ETV Bharat / state

ବୌଦ୍ଧରେ ଉଦଯାପିତ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

author img

By ETV Bharat Odisha Team

Published : Feb 6, 2024, 2:20 PM IST

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

World's First Odia Language Conference: ବୌଦ୍ଧ ଜିଲ୍ଲାରେ ଉଦଯାପିତ ହେଲା ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ବୌଦ୍ଧରେ ଉଦଯାପିତ ହେଲା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ବୌଦ୍ଧ: ଓଡ଼ିଆ ଭାଷା ସାହିତ୍ୟର ଅସ୍ମିତାକୁ ଅଧିକ ଋଦ୍ଧିମନ୍ତ କରିବାକୁ ପ୍ରଥମ ଥର ପାଇଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଇଛି । ସାରା ରାଜ୍ୟରେ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନ୍ଧକାରରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଜିଲ୍ଲାର ଅନେକ ବିଶିଷ୍ଟ ସାହିତ୍ୟିକମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯାଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସାରା ରାଜ୍ୟରେ ପ୍ରଥମ ଥର ପାଇଁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ବୌଦ୍ଧ ଜିଲ୍ଲାରେ ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଉଦଯାପିତ ହୋଇଥିବା ଦେଖିବାକୁ ମିଳିଛି । ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ ପରିସରରେ ଜିଲ୍ଲାର ତିନୋଟି ବ୍ଲକର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଅନ୍ଧକାର ମଧ୍ୟରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବ୍ୟାପକ ଅବ୍ୟବସ୍ଥା ଘେରରେ ଏହି କାର୍ଯ୍ୟକ୍ରମ କରାଯାଇଥିବା ଦେଖିବାକୁ ମିଳିଛି । ଏଭଳି ଭାଷା ସାହିତ୍ୟର ଅସ୍ମିତା କାର୍ଯ୍ୟକ୍ରମରେ ଅବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ..ଉଦ୍ଦେଶ୍ୟମୂଳକ ନୁହେଁ, କଣ୍ଠ କବି ଭୁଲରେ ପାଟିରୁ ଖସିଯାଇଥିଲା: ସଂହତି ପାଣି

ଅନ୍ୟପଟେ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ଓ ସାହିତ୍ୟପ୍ରେମୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଉସୀ ମାଆ ମନ୍ଦିରଠାରେ କେତେକ ଲେଖକମାନଙ୍କୁ ସମ୍ମାନିତ କରାଯାଇଥିଲା । ତେବେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ପ୍ରତିଭାବାନ ସାହିତ୍ୟ ସାଧକ ଥିବା ବେଳେ ପ୍ରଶାସନ ସେମାନଙ୍କୁ ସମ୍ପୂର୍ଣ୍ଣ ପାସୋରି ଦେଇଥିବା ଅଭିଯୋଗ ହୋଇଛି । ଏନେଇ ବୌଦ୍ଧ ସହରର ସାହିତ୍ୟିକ ନବୀନ ଚନ୍ଦ୍ର ଯୋଶୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରତିଭାବାନ ସାହିତ୍ୟ ସାଧକ ଓଡିଆ ଭାଷା ସାହିତ୍ୟର ଅସ୍ମିତା କାର୍ଯ୍ୟକ୍ରମରୁ ବାଦ ପଡ଼ିଥିବା କୁହାଯାଉଛି ।

ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ଅନେକ ଥର ମହାମନିଷୀମାନେ ପ୍ରଚେଷ୍ଟା କରିଥିଲେ । ଉତ୍କଳମଣି ଗୋପବନ୍ଧୁଙ୍କଠାରୁ ନେଇ ମଧୁବାବୁ, ଫକୀରମୋହନ, ଗୌରୀଶଙ୍କର, ଗଙ୍ଗାଧର ମେହେର, ଗୋପାଳ ପ୍ରହରାଜଙ୍କ ପର୍ଯ୍ୟନ୍ତ ଅନେକ ଓଡ଼ିଆଙ୍କ ତ୍ୟାଗ ଓ ସଂଘର୍ଷ ଫଳରେ ଓଡ଼ିଆ ଭାଷାର ପୁନରୁଦ୍ଧାର ହେବା ସହ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ୧୯୩୬ ମସିହାରେ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ତେବେ ବର୍ତ୍ତମାନ ସମୟରେ ରାଜ୍ୟ ସରକାର ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି ଧାରାରେ ପ୍ରଥମ ଥର ପାଇଁ ବିଶ୍ବ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରାଯାଇଛି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.