ETV Bharat / state

ଉଲ୍ଲେଖନୀୟ ସେବା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ୫୦ ପୋଲିସ ଅଧିକାରୀ ସମ୍ମାନିତ

author img

By ETV Bharat Odisha Team

Published : Jan 26, 2024, 9:46 PM IST

Police Officers receive President and Governor Medals: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ଉଲ୍ଲେଖନୀୟ ସେବା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ୫୦ ଜଣ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି । ଅଧିକ ପଢ଼ନ୍ତୁ

୫୦ ପୋଲିସ ଅଧିକାରୀ ସମ୍ମାନିତ
୫୦ ପୋଲିସ ଅଧିକାରୀ ସମ୍ମାନିତ

ଭୁବନେଶ୍ବର: ୭୫ତମ ସାଧାରଣତନ୍ତ୍ର ଦିବସ ଅବସରରେ ମିଳିଛି ସେବା ପାଇଁ ସମ୍ମାନ । ଉଲ୍ଲେଖନୀୟ ସେବା, ସାହସିକତା ଓ ବିଶିଷ୍ଟ ସେବା ପାଇଁ ୫୦ ଜଣ ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଛି । ନିଷ୍ଠାପର ସେବା ପାଇଁ ସେବା ଅଧିକାରୀଙ୍କୁ ମିଳିଛି ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ । ରାଜ୍ୟ ଆରକ୍ଷୀ ବାହିନୀ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ବାହିନୀ ଏବଂ ଓଡ଼ିଶା କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୫୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ଆଜି ରାଜ୍ୟପାଳ ରଘୁବର ଦାସ ୨୦୨୩ ମସିହା ସ୍ବାଧୀନତା ଦିବସ ପାଇଁ ରାଷ୍ଟ୍ରପତି ଓ ରାଜ୍ୟପାଳ ପଦକ ପ୍ରଦାନ କରିଛନ୍ତି ।

ସ୍ଥାନୀୟ ଲୋକସେବା ଭବନ କନ୍‌ଭେନ୍‌ସନ୍‌ ହଲ୍‌ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ରାଜ୍ୟ ଆରକ୍ଷୀ ବାହିନୀର ୪ ଜଣଙ୍କୁ ସେମାନଙ୍କ ମାଓ ବିରୋଧୀ ଅଭିଯାନ ପାଇଁ ରାଷ୍ଟ୍ରପତିଙ୍କ ଦ୍ବାରା ପ୍ରଦତ୍ତ ସାହସିକତା ପଦକ ଓ ମାନପତ୍ର ପ୍ରଦାନ କରିଥିଲେ । ସେହିପରି ଦୁଇଜଣ ଆରକ୍ଷୀ ଅଧିକାରୀଙ୍କୁ ତାଙ୍କର ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ସହ ୧୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିବାବେଳେ ୧୧ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ତାଙ୍କର ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପଦକ ସହ ୭ ହଜାର ୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ୨୦୨୩ ମସିହା ସ୍ବାଧୀନତା ଦିବସ ପାଇଁ ରାଜ୍ୟ ଆରକ୍ଷୀ ବାହିନୀର ୨୦ ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପଦକ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

ସେହିପରି ଅଗ୍ନିଶମ ଓ ଜରୁରୀକାଳୀନ ସେବା ବର୍ଗର ଦୁଇଜଣ ଅଧିକାରୀ ଓ ଓଡ଼ିଶା କାରାଗାର ସଂଗଠନରେ କାର୍ଯ୍ୟରତ ୫ ଜଣ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠ ଓ ବୃତ୍ତିଗତ ନୈପୁଣ୍ୟ ପାଇଁ ୨୦୨୩ ସ୍ବାଧୀନତା ଦିବସ ପାଇଁ ପ୍ରଶଂସନୀୟ ସଂସ୍କାର ସେବା ପଦକ, ୭,୫୦୦ ଟଙ୍କାର ପ୍ରୋତ୍ସାହନ ରାଶି ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପଦକ ପ୍ରଦାନ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ସମସ୍ତଙ୍କୁ ପଦକ, ମାନପତ୍ର ଓ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ରାଜ୍ୟ ପୋଲିସ ଡିଜି ଅରୁଣ କୁମାର ଷଡ଼ଙ୍ଗୀ, ରାଜ୍ୟ କାରାଗାର ଓ ସଂସ୍କାରସେବା ମହାନିର୍ଦ୍ଦେଶକ ଅମ୍ରିତ ମୋହନ ପ୍ରସାଦ, ରାଜ୍ୟ ଅଗ୍ନିଶମ, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ମହାନିର୍ଦ୍ଦେଶକ ସୁଧାଂଶୁ ଷଡ଼ଙ୍ଗୀଙ୍କ ସମେତ ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁରର ନାଟ୍ୟକାର ବିନୋଦ କୁମାର ପଶାୟତଙ୍କୁ ମିଳିବ ପଦ୍ମଶ୍ରୀ

ସାହାସିକତା ପୁରସ୍କାର ପାଇଁ ଚନ୍ଦକା SOG ସୁବେଦାର ପ୍ରହଲ୍ଲାଦ ହିମିରିକା , SOG SI ସନ୍ତୋଷ କୁମାର ଗୁରୁ, କୋରାପୁଟ ତୃତୀୟ ବାଟାଲିୟନର ସୁନୀଲ କୁମାର ବରିହା, ବରଗଡ଼ କନଷ୍ଟେବଳ ସୁଜିତ କୁମାର ରାଣା ରାଷ୍ଟ୍ରପତି ପୁରସ୍କାର ପାଇଛନ୍ତି । ବିଶିଷ୍ଟ ସେବା ପାଇଁ ଓଡିଶା ପୋଲିସ ଆଧୁନିକୀକରଣର ADGP ସଞ୍ଜୟ କୁମାର, ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଅତିରିକ୍ତ ଏସ୍‌ପି ରବୀନ୍ଦ୍ର ନାଥ ଶତପଥୀ ରାଷ୍ଟ୍ରପତି ପଦକ ପାଇଛନ୍ତି । ଉଲ୍ଲେଖନୀୟ ସେବା ପାଇଁ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର, ଜୟପୁର ଭିଜିଲାନ୍ସ ଏସପି ବେଣୁଧର ନାୟକ, ସ୍ପେଶାଲ ବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଅନନ୍ତ ଚରଣ ପତି, ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଏସ୍‌ପି ରାଜୀବ ଲୋଚନା ପଣ୍ଡା, ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ ଡିଏସ୍‌ପି ଅମିତା ତ୍ରିପାଠୀ, ଏସିପି ଉମାକାନ୍ତ ପ୍ରଧାନ, ଏସ୍‌ଆଇ ଦିଲ୍ଲୀପ ନାୟକ, ଏସ୍‌ଆଇ ଗୁପ୍ତ ପ୍ରସାଦ ମହାନ୍ତି, ହାବିଲଦାର କୃଷ୍ଣଚନ୍ଦ୍ର ମହାନ୍ତ, କନଷ୍ଟେବଳ ପିଟର ତିର୍କୀ ଓ ସୁଶାନ୍ତ ମାଝୀ ରାଷ୍ଟ୍ରପତି ପଦକ ପାଇଛନ୍ତି ।

ସେହିପରି ସମ୍ମାନଜନକ ରାଜ୍ୟପାଳ ପଦକ ପାଇଁ କାଟାଗୋରୀ ୧ରେ ପୂର୍ବାଞ୍ଚଳ ପୋଲିସ ଆଇଜି ହିମାଂଶୁ ଲାଲ, କ୍ରାଇମବ୍ରାଞ୍ଚ ଆଇଜି ସଫିନ ଅହମ୍ମଦ ରହିଛନ୍ତି । କାଟାଗୋରୀ ୨ରେ ଗଞ୍ଜାମ ଏସ୍‌ପି ଜଗମୋହନ ମିନା, ସମ୍ବଲପୁର ଏସ୍‌ପି ମୁକେଶ ଭାମୁ ରହିଥିବାବେଳେ କାଟାଗୋରୀ ୩ରେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ଅତିରିକ୍ତ ଏସ୍‌ପି ଉଦୟଭାନୁ ମିଶ୍ର, କମିଶନରେଟ ପୋଲିସ ଏସିପି ମାନସ ଗଡନାୟକ ସମ୍ମାନଜନକ ପୁରସ୍କାର ପାଇଛନ୍ତି । ସେହିପରି କାଟାଗୋରୀ ୪ରେ ଇନ୍ସପେକ୍ଟର ଅନୀଲ ଆନନ୍ଦ, ପାଟପୁର ଇନ୍ସପେକ୍ଟର ସବ୍ୟସାଚୀ ମଲ୍ଲ, ଭିଜିଲାନ୍ସ ଆଇଆଇସି ହେମାମାଳିନୀ ନାୟକ ରହିଥିବାବେଳେ କାଟାଗୋରୀ ୫ରେ ଏସ୍‌ଆଇ ଦିଲ୍ଲୀପ ନାୟକ, ଏସ୍‌ଆଇ ଯୁଗଳ ସ୍ବାଇଁ, ଏସ୍‌ଆଇ ସଞ୍ଜୟ ପଟ୍ଟନାୟକ, କାଟାଗୋରୀ ୬ରେ ଏଏସ୍ଆଇ ବିକାଶ ପାତ୍ର, ପ୍ରଜାପତି ମେହେର, ହାଭିଲଦାର ପ୍ରଶାନ୍ତ ବିଶ୍ବାଳ ଓ କାଟାଗୋରୀ ୭ରେ ସିପାହୀ ବିଶ୍ବକର୍ମା ମୁଣ୍ଡା, କନଷ୍ଟେବଳ ରମେଶ ସାହୁ, କେଦାରନାଥ ମିଶ୍ର, ନରେଶ ଚୌଧୁରୀ ଓ ସନାତନ ସାହୁଙ୍କୁ ମିଳିଛି ସମ୍ମାନଜନକ ରାଜ୍ୟପାଳ ପଦକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.