ETV Bharat / state

ଉଲିବୁର ଖଣି ଦୁର୍ନୀତି: ରେଡ୍ ପରେ EDର ଜେରା, DSPL ଓ ସ୍ନେହପୁଷ୍ଫ କମ୍ପାନି କର୍ମଚାରୀ ହାଜର

author img

By ETV Bharat Odisha Team

Published : Mar 12, 2024, 5:06 PM IST

ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡିର ଜେରା
ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡିର ଜେରା

Uliburu Mining Scam: ଉଲିବୁର ଖଣି ଦୁର୍ନୀତି ମାମଲାରେ DSPL ଦୀପକ ଷ୍ଟିଲ ଆଣ୍ଡ ପାଓ୍ବାରର ଅଫିସିଆଲ୍ ଓ ଚାର୍ଟାଡ ଆକାଉଣ୍ଟ ସହ ସ୍ନେହପୁଷ୍ପ ମାର୍କେଟିଂ କମ୍ପାନିର କର୍ମକର୍ତ୍ତାଙ୍କୁ ଇଡିର ଜେରା । ଅଧିକ ପଢନ୍ତୁ

ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡିର ଜେରା

ଭୁବନେଶ୍ବର: କେନ୍ଦୁଝର ଉଲିବୁର ଖଣି ଦୁର୍ନୀତି ମାମଲାରେ ପୁଣି ଖୋଳତାଡ଼ । ରେଡ୍ ପରେ ପଚରାଉଚରା ଆରମ୍ଭ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । DSPL ଦୀପକ ଷ୍ଟିଲ ଆଣ୍ଡ ପାଓ୍ବାରର ଅଫିସିଆଲ୍ ଓ ଚାର୍ଟାଡ ଆକାଉଣ୍ଟ ସହ ସ୍ନେହପୁଷ୍ପ ମାର୍କେଟିଂ କମ୍ପାନିର କର୍ମକର୍ତ୍ତାଙ୍କୁ ଜେରା କରୁଛି ଇଡି । ୨୦୧୩ ମସିହାର ଖଣି ଦୁର୍ନୀତି ମାମଲାର 10 ବର୍ଷ ପରେ ଆର୍ଥିକ କାରବାର ରାଜ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ଦୀପକ ଗୁପ୍ତାଙ୍କ ବାପାଙ୍କୁ ପଚରାଉଚରା: DSPLର ମୁଖ୍ୟ ଦୀପକ ଗୁପ୍ତାଙ୍କ ବାପା ହରିଚରଣ ଗୁପ୍ତାଙ୍କ ସମେତ ତାଙ୍କ ଚାର୍ଟାଡ ଆକାଉଣ୍ଟଙ୍କୁ ମଧ୍ୟ ପଚରା କରୁଛି ଇଡି। ଏନେଇ‌ ପୂର୍ବରୁ ଗତ ମାର୍ଚ୍ଚ ୧ ତାରିଖରେ ହୋଇଥିବା ରେଡ୍ ଆଧାରରେ ପରେ ସମନକୁ ଆଧାର କରି ହାଜର ହୋଇ ତଥ୍ୟ ରଖିଛନ୍ତି । ଏହାସହ ସେମାନଙ୍କ ଆର୍ଥିକ କାରବାର ଛାନଭିନ କରୁଛି ଇଡି । ସେହିପରି ସ୍ନେହପୁଷ୍ପର ମଧ୍ୟ କିଛି କର୍ମକର୍ତ୍ତା ମଧ୍ୟ ହାଜର ହୋଇଛନ୍ତି । ଏନେଇ ଇଡି ସମନ ଆଧାରରେ ହାଜର ହୋଇ ନିଜର ପକ୍ଷ ରଖିବା ସହ ଆର୍ଥିକ କାରବାରର ତଥ୍ୟ ରଖିଛନ୍ତି ।

ମାର୍ଚ୍ଚ 1 ତାରିଖରେ ରେଡ୍: ଗତ ମାର୍ଚ୍ଚ 1 ତାରିଖରେ ଇଡି ଭୁବନେଶ୍ୱର ସମେତ ଯୋଡ଼ା, ବଡ଼ବିଲ, ରାଉରକେଲାର ୧୨ଟି ସ୍ଥାନରେ‌ ଏକକାଳୀନ ରେଡ କରିଥିଲା । ଏହାକୁ ଆଧାର କରି ଦୀପକ ଷ୍ଟିଲ ଆଣ୍ଡ ପାଓ୍ବାର ଏବଂ ସ୍ନେହପୁଷ୍ଫ ମାର୍କେଟିଂ କର୍ମକର୍ତ୍ତା ତଥା ନିର୍ଦ୍ଦେଶକ ଓ ସହଯୋଗୀଙ୍କ ଘରେ ରେଡ କରାଯାଇଥିଲା । ପ୍ରିଭେନସନ ଅଫ ମନି ଲଣ୍ଡରି PMLA ମାମଲାରେ ଏହି ଖଣି ଦୁର୍ନୀତିର ଆର୍ଥିକ କେଳେଙ୍କାରୀର ରାଜ ଖୋଜୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରେଡ ପରେ ଇଡି ପକ୍ଷରୁ ସୂଚନା ଦିଆଯାଇଥିଲା, କଲିକତା ଓ ବଡ଼ବିଲର ଅନେକ ସେଲ କମ୍ପାନି ଦର୍ଶାଇ ତାର ବୋଗସ ବା ଫର୍ଜି ନିର୍ଦ୍ଦେଶକଙ୍କ ଜରିଆରେ ଖଣି ଦୁର୍ନୀତି ବା ବେଆଇନ୍ ଖନନ କରି ଦୁର୍ନୀତି କରାଯାଇଥିଲା । ପ୍ରଥମେ ଭିଜିଲାନ୍ସ ଯାଞ୍ଚ କରିଥିବା ବେଳେ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ଯାଞ୍ଚ ଆରମ୍ଭ କରିଥିଲା । ଏହାକୁ ଆଧାର କରି ଓଡ଼ିଶାର ୪ଟି ସହରର ୧୨ଟି ସ୍ଥାନରେ ରେଡ କରି ୩୦ ଲକ୍ଷ ନଗଦ ଟଙ୍କା ସମେତ ଏକ କୋଟି ୨୪ ଲକ୍ଷର ଦୁଇ କେଜି ସୁନା ଗହଣା ସମେତ ଏକ ଭୋଲଭୋ କାର ମଧ୍ୟ ଜବତ କରିଥିଲା । ଏଥି ସହ କିଛି ହାର୍ଡ ଡିସ୍କ ଓ ଡିଜିଟାଲ ଏଭିଡେନ୍ସ ପେନ୍ ଡ୍ରାଇଭ୍ ଅନ୍ୟାନ୍ୟ ତଥ୍ୟ ମଧ୍ୟ ସିଜ କରିଥିବା ପୁର୍ବରୁ ଇଡି ଦର୍ଶାଇଥିଲା।

ଏହା ମଧ୍ୟ ପଢନ୍ତୁ: ଉଲିବୁର ଖଣି ଦୁର୍ନୀତି ମାମଲାରେ ଇଡି ରେଡ୍; ପୁଳା ପୁଳା ଟଙ୍କା-ସୁନା ଜବତ

ଇଡି ତଦନ୍ତକୁ ନେଇ ପ୍ରଶ୍ନବାଚୀ: ୧୮୦୦କୋଟି ଟଙ୍କାର ଦୁର୍ନୀତି ମାମଲାରେ ଇଡିର ତଦନ୍ତ ସଭିଙ୍କୁ ଚକିତ କରିଛି । ୨୦୧୩ମସିହାରେ ଭିଜିଲାନ୍ସ ଏହାର ତଦନ୍ତ ଆରମ୍ଭ କରିଥିଲା ।ସେତେବେଳେ ଏହି ଘଟଣାରେ ଦିପକ ଷ୍ଟିଲ ଆଣ୍ଡ ପାଓ୍ବାର DSPL ର ମୁଖ୍ୟ ଦୀପକ ଗୁପ୍ତାଙ୍କୁ ଗିରଫ କରାଯାଇଥିଲା । ପରେ ଏହି ମାମଲାରେ ଏକାଧିକ ଯୋଡ଼ି ହୋଇଥିଲେ । ଖଣି ନିର୍ଦ୍ଦେଶାଳୟର କର୍ମଚାରୀ ସହ କିଛି ଲିଜଧାରୀ ଓ ଅନ୍ୟାନ୍ୟ କର୍ମଚାରୀ ଏହି ମାମଲାରେ ଯୋଡ଼ି ହୋଇଥିଲା।ବର୍ତ୍ତମାନ ଏହି ମାମଲା ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ବିଚାରାଧିନ ରହିଥିଲା । ତିନି ବର୍ଷ ତଳେ ଏହି ମାମଲାରେ ଜାମିନ ପାଇଥିଲେ ଦିପକ ଗୁପ୍ତା ।ଏପରିକି ୭ବର୍ଷ ଧରି ଜେଲରେ ରହିବା ପରେ ତାଙ୍କୁ ବେଲ ମିଳିଥିଲା । 2015 ଜୁଲାଇ ମାସରେ 6 ଜଣଙ୍କ ନାଁରେ NBW ଜାରି କରାଯାଇଥିଲା।ହରି ଚରଣ ଗୁପ୍ତା, କାନ୍ଦଣା ଦେବି ଗୁପ୍ତା, ନିତୁ ଗୁପ୍ତା, ଚମ୍ପକ ଗୁପ୍ତା, ରାଉତରାୟ ମୁର୍ମୁ, ଜଗଦୀଶ ମିଶ୍ରାଙ୍କ ନାଁରେ ଜାମିନ ବିହିନ ଗିରଫ ପରୱାନା ଜାରି କରାଯାଇଛି । ତେବେ ଏମାନଙ୍କୁ କାହିଁକି ପଳାତକ ଘୋଷଣା କରାଯାଉନାହିଁ ଓ ଗିରଫ କରାଯାଉନାହିଁ ବୋଲି ଏହାର ଜବାବ ରଖିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏପରିକି ଏହି ମାମଲାରେ‌ ବିଚାର ପ୍ରକ୍ରିୟାରେ ପ୍ରଭାବିତ ଯୋଗୁଁ ଏହି ମାମଲାରେ ତିନିବର୍ଷ ତଳେ ଏକ ରିଟ ପିଟିସନ ଧନଞ୍ଜୟ କୁମାର ଡଗରାଙ୍କ ଦ୍ଵାରା ହାଇକୋର୍ଟରେ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.