ETV Bharat / state

ପ୍ରମୋଦ ଚତୁର୍ଥ ଥର ରିପିଟ, କର୍ମୀଙ୍କ ମହଲରେ ଖୁସି - niali assembly constituency

author img

By ETV Bharat Odisha Team

Published : Mar 28, 2024, 8:43 PM IST

Niali Assembly Constituency: ବିଜେଡି ଚଳିତ ସାଧାରଣ ନିର୍ବାଚନ ପାଇଁ ଗତକାଲି ଦଳୀୟ ଟିକେଟ ଘୋଷଣା କରିଛି । ତେବେ ନିଆଳି ବିଧାନସଭା ଆସନରେ ଚତୁର୍ଥ ପାଇଁ ପ୍ରମୋଦ ମଲ୍ଲିକଙ୍କୁ ଭରସା କରିଛି ଦଳ । ଅଧିକ ପଢନ୍ତୁ

ନିଆଳିରେ ଚତୁର୍ଥ ବିଜୟ ଲକ୍ଷ୍ୟରେ ପ୍ରମୋଦ
ନିଆଳିରେ ଚତୁର୍ଥ ବିଜୟ ଲକ୍ଷ୍ୟରେ ପ୍ରମୋଦ

ନିଆଳିରେ ଚତୁର୍ଥ ବିଜୟ ଲକ୍ଷ୍ୟରେ ପ୍ରମୋଦ

ନିଆଳି: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ନିଆଳି ବିଧାୟକ ଡାକ୍ତର ପ୍ରମୋଦ କୁମାର ମଲ୍ଲିକଙ୍କ ଉପରେ ଚତୁର୍ଥ ପାଇଁ ଭରସା କରିଛନ୍ତି । ଯାହାକୁ ନେଇ କଟକ ଜିଲ୍ଲା ନିଆଳି ସଂରକ୍ଷିତ ବିଧାନସଭା ଆସନରେ ବିଜେଡି କର୍ମୀମାନଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଡାକ୍ତର ଜୀବନରୁ ସିଧା ରାଜନୀତି ମଇଦାନକୁ ଓହ୍ଲାଇ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଛନ୍ତି ପ୍ରମୋଦ ମଲ୍ଲିକ । ୨୦୦୯ ମସିହା ଠାରୁ ନିଆଳି ବିଧାନସଭା ଆସନରୁ ପ୍ରଥମେ ବିଜେଡି ଟିକେଟରେ ଲଢି ବିଜୟର ସ୍ବାଦ ଚାଖିଥିଲେ ସେ । ସେବେଠାରୁ ଆଉ ପ୍ରମୋଦ ପଛକୁ ଫେରି ନାହାଁନ୍ତି । ବହୁ ବାଦ ବିବାଦ ଭିତରେ ବିଜେଡିକୁ ସଙ୍ଗଠିତ କରିବା ସହିତ ରେକର୍ଡ ସଂଖ୍ୟକ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି ।

ତେବେ ମେଣ୍ଟ ଚର୍ଚ୍ଚା ସମୟରେ ଟିକେଟ୍ ପାଇବା ନେଇ ଅସ୍ପଷ୍ଟ ରହିଥିବାବେଳେ ମେଣ୍ଟ ନହେବା ପରେ ଗତକାଲି ଚିତ୍ର ସ୍ପଷ୍ଟ ହୋଇଯାଇଛି । ବିଜେଡି ତାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନିଆଳି ବିଧାନସଭା ଆସନ ପାଇଁ ତୃତୀୟ ଥରର ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ଚତୁର୍ଥ ଥର ପାଇଁ ରିପିଟ କରିଛି । ଦଳର ଆଶାୟୀ ପ୍ରାର୍ଥୀମାନଙ୍କୁ ପଛରେ ପକାଇ ଅତି ସହଜରେ ଚତୁର୍ଥ ପାଳିରେ ବିଜେଡି ଟିକେଟ ପାଇଛନ୍ତି ପ୍ରମୋଦ । ସେହିପରି ଚତୁର୍ଥ ଥର ବିଧାୟକ ହେବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ପ୍ରମୋଦ ମଲ୍ଲିକ । ତୃତୀୟ ପାଳିରେ ଯାହା ଉନ୍ନତି ଓ ପ୍ରଗତି ହୋଇଛି ଚତୁର୍ଥ ପାଳିରେ ଆହୁରି ବିକଶିତ ନିଆଳି ହେବ ବୋଲି ବିଜେଡିର ନେତା ଓ କର୍ମୀ କହିଛନ୍ତି ।‌

ଏହା ମଧ୍ୟ ପଢନ୍ତୁ.....ବରଗଡ଼ ଲୋକସଭା ଆସନରେ ଏଥର କଡ଼ା ଟକ୍କର, ୩ ଦଳ ଥରେ ଲେଖାଏଁ ହାତେଇଛନ୍ତି ଓ ହାର ବି ଦେଖିଛନ୍ତି - Bargarh Loksabha Constituency

ତେବେ ବିଧାୟକ ପ୍ରମୋଦ କୁମାର ମଲ୍ଲିକଙ୍କ ୨୦୦୯ ମସିହା ଠାରୁ ରାଜନୈତିକ ଭୋଟ ବ୍ୟବଧାନ ଉପରେ ଆସନ୍ତୁ ଏକ ନଜର ପକାଇବା । ୨୦୦୯ରୁ ବିଜେଡି ଅକ୍ତିଆରରେ ନିଆଳି । କଟକ ଜିଲ୍ଲାର ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀର ନାମ ପରିବର୍ତ୍ତନ କରାଯାଇ ୨୦୦୯ ମସିହାରେ ନିଆଳି ନିର୍ବାଚନ ମଣ୍ଡଳୀ ଭାବେ ନାମିତ ହୋଇଥିଲା । ତତ୍‌କାଳୀନ ଗୋବିନ୍ଦପୁର ନିର୍ବାଚନ ମଣ୍ଡଳୀରୁ ୨୦୦୦ ମସିହାରେ ବିଜେଡି ପ୍ରାର୍ଥୀ ଭାବରେ ପ୍ରଥମ ଥର ପାଇଁ ବିଜୟୀ ହୋଇଥିଲେ ପଞ୍ଚାନନ କାନୁନଗୋ । ପରବର୍ତ୍ତୀ ନିର୍ବାଚନରେ ଅର୍ଥାତ୍ ୨୦୦୪ରେ ଏଠାରେ କଂଗ୍ରେସ ପ୍ରାର୍ଥୀ ରବିନ୍ଦ୍ର କୁମାର ମଲ୍ଲିକ ବିଜୟୀ ହୋଇଥିଲେ ।

ଏହା ପରଠାରୁ ନିଆଳି ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ଭାବେ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ଲଗାତାର ଭାବେ ୩ ଥର ବିଜୟୀ ହୋଇଛନ୍ତି । ୨୦୦୯ରେ ସେ ପ୍ରଥମେ ୫୦ ହଜାର ୬୫୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୨୦୧୪ ନିର୍ବାଚନରେ ୨୫ ହଜାର ୮୦୯ ଓ ୨୦୧୯ରେ ୨୭ ହଜାର ୭୦୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ତେବେ ବର୍ତ୍ତମାନ ଦେଖିବାକୁ ବାକି ରହିଲା ୨୦୨୪ରେ ଏହି ଆସନରୁ କିଏ ବାଜି ମାରୁଛି ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.