ETV Bharat / state

ନବରଙ୍ଗପୁରରେ ମିନି ମାରାଥନ, ଦୌଡ଼ିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ

author img

By ETV Bharat Odisha Team

Published : Mar 4, 2024, 1:09 PM IST

Updated : Mar 4, 2024, 1:58 PM IST

ନବରଙ୍ଗପୁରରେ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ
ନବରଙ୍ଗପୁରରେ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ

Tribal Cultural And Sports Festival in Nabarangpur: ନବରଙ୍ଗପୁରରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଅନୁଷ୍ଠିତ ହୋଇଛି ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ । ଏ ଅବସରରେ ଆୟୋଜିତ ମିନି ମାରାଥନରେ ଦୌଡ଼ିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ । ଅଧିକ ପଢ଼ନ୍ତୁ,

ନବରଙ୍ଗପୁର

ନବରଙ୍ଗପୁର: ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତରଫରୁ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା ମହୋତ୍ସବ ଉପଲକ୍ଷେ ମିନି ମାରାଥନ । ମାରାଥନରେ ଭାଗ ନେଇ ଦୌଡ଼ିଲେ ଆନ୍ତର୍ଜାତିକ ଧାବିକା ଦୂତୀ ଚାନ୍ଦ । 3 ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ସାମିଲ ହେବା ନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି, ଯାହାକୁ ନେଇ ନବରଙ୍ଗପୁରରେ ଉତ୍ସବର ମାହୋଲ ।

ଆଜିଠାରୁ(ସୋମବାର) ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ୩ ଦିନଧରି ନବରଙ୍ଗପୁରର ନୂତନ ମଣ୍ଡେଇ ପଡିଆଠାରେ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଅନୁଷ୍ଠିତ ହେଉଛି ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ଓ କ୍ରୀଡା କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରଥମ ଦିନରେ ସ୍ଥାନୀୟ ପୁରୁଣା ମଣ୍ଡେଇ ପଡିଆଠାରୁ ନୂତନ ମଣ୍ଡେଇ ପଡ଼ିଆ ପର୍ଯ୍ୟନ୍ତ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଧାବିକା ଦୂତୀ ଚାନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୌଡ଼ିଥିଲେ । ଆସନ୍ତାକାଲି ଅର୍ଥାତ ୫ ତାରିଖ ଦ୍ବିତୀୟ ଦିନରେ ଜନଜାତି କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବାସହ କ୍ରୀଡା ସାମଗ୍ରୀ, ସାଂସ୍କୃତିକ ପୋଷାକ, ବାଦ୍ୟଯନ୍ତ୍ର ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାସହ ୬ ତାରିଖ ଅର୍ଥାତ ଶେଷଦିନ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କଳାକାର ଓ ଖେଳାଳିମାନଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହ ଏକ ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ।

କାର୍ଯ୍ୟକ୍ରମର ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଓଡ଼ିଆ ସିନେ ତାରକା ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁଙ୍କ ସମେତ ପଶ୍ଚିମ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ, ଉମାକାନ୍ତ ବାରିକ, ପଙ୍କଜ ତାଣ୍ଡି ଯୋଗଦେଇ ଉପସ୍ଥିତ ଲୋକଙ୍କୁ ମନରଞ୍ଜନ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ୧୦ ହଜାର ଲୋକଙ୍କ ସମାଗମ ହେବାର ଲକ୍ଷ୍ୟ ରଖିଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ସେପଟେ ନବରଙ୍ଗପୁର ଜିଲ୍ଲାକୁ ପ୍ରଥମ ଥର ଆସି ଖୁସି ବ୍ୟକ୍ତ କରିଛନ୍ତି ଦୂତୀ ଚାନ୍ଦ । ନିଜ ଜୀବନ ସଂଘର୍ଷମୟ ସମୟକୁ ଉପସ୍ଥିତ ଜନତାଙ୍କ ସମ୍ମୁଖରେ ପ୍ରକାଶ କରିବା ସହିତ ସଂଘର୍ଷ ସମୟରେ ଭାଙ୍ଗି ନପଡି ତାକୁ ନିଜ ସଫଳତାରେ ପରିବର୍ତ୍ତନ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କେନ୍ଦୁଝରରେ ଆଦି ମହୋତ୍ସବ, ୩ ଦିନ ଧରି ଚାଲିବ ଆଦିବାସୀ କଳାସଂସ୍କୃତି ପ୍ରଦର୍ଶନ

ଦୂତୀ ପୁରୁଣା ମଣ୍ଡେଇ ପଡିଆରୁ ନୂତନ ମଣ୍ଡେଇ ପଡିଆ ପର୍ଯ୍ୟନ୍ତ ଦୌଡ ସମାପ୍ତ କରିଥିଲେ । ଏଥିସହ ଏହି ଦୌଡ କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କ ସହ ସହରର ଅନେକ ବୁଦ୍ଧିଜୀବୀ ଓ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରି ଦୌଡ଼ିଥିଲେ । ଦୌଡ ଶେଷ କରି ପ୍ରଥମରୁ ତୃତୀୟ ସ୍ଥାନ କରିଥିବା ତିନି ଛାତ୍ର ଓ ତିନି ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯିବା ସହିତ ୧୦ ଜଣ ଛାତ୍ର ଓ ୧୦ ଜଣ ଛାତ୍ରୀଙ୍କୁ ସାନ୍ତ୍ବନା ମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଦୌଡ କାର୍ଯ୍ୟକ୍ରମରେ ଦୂତିଙ୍କ ସହ ରାଜ୍ୟ ଉପଦେଷ୍ଟା-ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପ୍ରଦୀପ ମାଝୀ, ନବରଙ୍ଗପୁର ବିଧାୟକ ସଦଶିବ ପ୍ରଧାନୀ, ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ ପ୍ରମଖ ଏହି ଦୌଡ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଇଟିଭି ଭାରତ, ନବରଙ୍ଗପୁର

Last Updated :Mar 4, 2024, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.