ETV Bharat / state

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିବାକୁ ଭକ୍ତଙ୍କ ଦାବି

author img

By ETV Bharat Odisha Team

Published : Feb 3, 2024, 10:01 AM IST

Etv Bharat
Etv Bharat

Puri Srimandir Crowd Management: ଶ୍ରୀମନ୍ଦିରରେ ପରିକ୍ରମା ମାର୍ଗ ଲୋକାପର୍ଣ ପରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ ଜମୁଛି । ମନ୍ଦିରରେ ଭିତରେ ଅତ୍ୟଧିକ ଭିଡ଼ ଯୋଗୁ ଭକ୍ତମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ସମାଧାନ କରିବାକୁ ଦାବି । ଅଧିକ ପଢନ୍ତୁ

ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବା ନିମନ୍ତେ ଓ ପରିକ୍ରମା ମାର୍ଗ ଦେଖିବା ନିମନ୍ତେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି । ଯେଉଁଥିପାଇଁ ଶ୍ରୀମନ୍ଦିର ଭିତରେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାରେ ବାଧା ଉପୁଜୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଶୃଙ୍ଖଳିତ ଦର୍ଶନ ନିମନ୍ତେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପରେ ଏହାକୁ ଦେଖିବାକୁ ଶ୍ରୀକ୍ଷେତ୍ରରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଛି । ମହାପ୍ରଭୁଙ୍କ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ବୁଲି ଭକ୍ତ ବେଶ ଆନନ୍ଦିତ ହେଉଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ଶ୍ରୀକ୍ଷେତ୍ରକୁ ଭକ୍ତଙ୍କ ଆଗମନ ବେଶ ବୃଦ୍ଧି ପାଇଛି । ଅନ୍ୟପଟେ ଜାନୁଆରୀ ୨୯ ତାରିଖରୁ ପ୍ରତି ପଞ୍ଚାୟତରୁ ଲୋକଙ୍କୁ ବସ୍ ଯୋଗେ ଅଣାଯାଇ ଜଗନ୍ନାଥ ଦର୍ଶନ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରଦକ୍ଷିଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏହି ଯୋଜନା ଯୋଗୁ ପ୍ରତିଦିନ ୧୦ ହଜାରରୁ ଊର୍ଦ୍ଧ୍ବ ଭକ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସି ଆନନ୍ଦରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପରିକ୍ରମା ମାର୍ଗ ପ୍ରଦକ୍ଷିଣ କରୁଛନ୍ତି । ସରକାରଙ୍କ ଏହି ବ୍ୟବସ୍ଥାକୁ ଭକ୍ତମାନେ ପ୍ରଶଂସା କରୁଥିବା ବେଳେ ମନ୍ଦିର ମଧ୍ୟରେ ଅସମ୍ଭାଳ ଭିଡ ପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯାତାୟାତରେ କଲବଲ ପୁରୀ ବାସିନ୍ଦା

ଶ୍ରୀମନ୍ଦିର ଭିତରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଭକ୍ତ ଓ ସେବାୟତ । ଶ୍ରୀମନ୍ଦିର ସାତପାହାଚ ଠାରୁ ଜୟବିଜୟ ଦ୍ଵାର ଯାଏଁ ସୃଷ୍ଟି ହେଉଥିବା ଅସମ୍ଭାଳ ଭିଡ଼ ପରିସ୍ଥିତିକୁ ଉତ୍ତମ ଭାବେ ପରିଚାଳନା ପାଇଁ ଭକ୍ତମାନେ ଦାବି କରିଛନ୍ତି । ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଭିଡ଼ ଯୋଗୁ ଭକ୍ତମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ଏନେଇ ସ୍ବତନ୍ତ୍ର ପଦକ୍ଷେପ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଦାବି କରିଛନ୍ତି ଭକ୍ତ ।

ଏନେଇ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ ସମର୍ଥ ବର୍ମା କହିଛନ୍ତି, "ପୁରୀକୁ ଆସୁଥିବା ଭକ୍ତଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ଶ୍ରୀମନ୍ଦିର ଭିତରେ ଭକ୍ତମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇବେ ସେନେଇ ଖୁବଶୀଘ୍ର ସେବାୟତଙ୍କ ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ।'

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.