ETV Bharat / state

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯାତାୟାତରେ କଲବଲ ପୁରୀ ବାସିନ୍ଦା

author img

By ETV Bharat Odisha Team

Published : Feb 1, 2024, 8:44 PM IST

Difficulty in transportation
Difficulty in transportation

Difficulty in transportation for Corridor Project: ପୁରୀ ବାସିନ୍ଦାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ପ୍ରଶାସନର ଅପରିଣାମଦର୍ଶିତା ଯୋଗୁଁ ଯାତାୟତ ନେଇ କଲବଲ ଜିଲ୍ଲାବାସୀ । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଯାତାୟାତରେ କଲବଲ ପୁରୀ ବାସିନ୍ଦା

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ହୋଇଛି । ହେଲେ ଏହାକୁ ନେଇ କଲବଲ ହେଉଛନ୍ତି ପୁରୀ ବାସିନ୍ଦା । ପ୍ରଶାସନର ବେପରୁଆ ନୀତି ଯୋଗୁଁ ରାତି ପାହିଲେ ହଜାର ହଜାର ଲୋକ ଯାତାୟାତ ନେଇ ବେଶ ଅସୁବିଧା ଭୋଗୁଛନ୍ତି । ଏଭଳି ସ୍ଥିତି ହେଲାଣି ଯେ ଲୋକେ ଗୃହବନ୍ଦୀ ଭଳି ଜୀବନ କାଟୁଛନ୍ତି । ଦୈନଦିନ କାର୍ଯ୍ୟ ଠପ୍ ହୋଇ ପଡ଼ିଛି । ରୋଗୀଟିଏ ଭଲରେ ହସ୍ପିଟାଲ ଯାଇ ପାରୁନଥିବା ବେଳେ ସ୍କୁଲକୁ ଛାତ୍ରଛାତ୍ରୀ ଯାଇପାରୁନଥିବା ଅଭିଯୋଗ ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପରେ ପୁରୀ ଜିଲ୍ଲା ପ୍ରଶାସନ ସ୍ଥାନୀୟ ଅଧିବାସୀଙ୍କ ମତାମତ ନ ନେଇ ମନ ଇଚ୍ଛା ବ୍ୟାରିକେଡ ନିର୍ମାଣ କରିଛି । ଫଳରେ ଶ୍ରୀମନ୍ଦିରର ଦୋଳବେଦୀ କୋଣ ରାସ୍ତା ଏକ ପ୍ରକାର ବନ୍ଦ ହୋଇଯାଇଛି । ପ୍ରଶାସନ ଦୋଳ ବେଦୀ କୋଣ ରାସ୍ତାରେ ଏକ ସ୍ଥାୟୀ ଫାଟକ ନିର୍ମାଣ କରିଛି । ଭକ୍ତମାନେ ମନ୍ଦିର ଯିବା ପାଇଁ ବାରିକେଡ ଦୋଳ ବେଦୀ କୋଣରେ ହୋଇଥିବାରୁ ଭକ୍ତଙ୍କ ଯାତାୟାତ ପାଇଁ ସବୁବେଳେ ଗେଟ୍ ବନ୍ଦ ରହୁଛି । ରେଳ ଫାଟକ ଯେଭଳି ରେଳ ଆସିଲା ବେଳେ ବନ୍ଦ ରହୁଛି ଭକ୍ତଙ୍କ ଯାତାୟତ ପାଇଁ ଦୋଳବେଦୀ କୋଣ ରାସ୍ତାରେ ଏକ ଫାଟକ କରାଯାଇଛି । ଏହା ସବୁବେଳେ ବନ୍ଦ ରହିଥିବାରୁ ଜରୁରୀ କାର୍ଯ୍ୟ, ଦୈନନ୍ଦିନ କାର୍ଯ୍ୟ ପାଇଁ ଯାଉଥିବା ଲୋକେ ପ୍ରାୟ ଅଧଘଣ୍ଟା ଠିଆ ହୋଇ ରହୁଛନ୍ତି ।

ଏହା ବି ପଢନ୍ତୁ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜନୈତିକ ଜୀବନକୁ ବାଜିରେ ଲଗାଇଥିଲେ ନବୀନ: ପାଣ୍ଡିଆନ

ବିଶେଷ କରି ଗଡନ୍ତି ଛକ, ବାସେଳି ସାହୀ, ଲୋକନାଥ ରୋଡ଼ ଅଞ୍ଚଳର ହଜାର ହଜାର ବାସିନ୍ଦା ଏଥିପାଇଁ ବେଶ ଅସୁବିଧା ଭୋଗୁଛନ୍ତି । ସେହିପରି ବଡ ଦାଣ୍ଡରେ ଭୁଲ ସ୍ଥାନରେ ଏସି ଟନେଲ ନିର୍ମାଣ ଯୋଗୁ ଶ୍ରୀକୃଷ୍ଣ ସିନେମା ହଲ ଗଳିରେ ମଧ୍ୟ ଫାଟକ ଲଗାଇଛି ପ୍ରଶାସନ । ଫଳରେ ଚୂଡ଼ଙ୍ଗ ସାହି, ମାର୍କଣ୍ଡଶ୍ବର ସାହୀ, ହାଡ ଗୋଡ଼ିଆ ସାହୀର ହଜାର ହଜାର ବାସିନ୍ଦା ଯାତାୟତ କରି ପାରୁନାହାନ୍ତି । ତେବେ ନୂଆ ଭାବେ ନିର୍ମାଣ ହୋଇଥିବା ଶ୍ରୀମାର୍ଗ ରାସ୍ତା ହେଲା ପରେ ଏହା ବିକଳ୍ପ ରାସ୍ତା ଭାବେ ବ୍ୟବହାର ପାଇଁ ସ୍ଥାନୀୟ ଲୋକଙ୍କୁ ବେଶ ସୁବିଧା ହେଇଥିଲା । ହେଲେ ଏହାକୁ କେବଳ ଭକ୍ତଙ୍କ ଯାତାୟତ ପାଇଁ କରାଯାଇ ସ୍ଥାନୀୟ ଲୋକଙ୍କ ଯାତାୟତ ପାଇଁ ଅଧିକାଂଶ ସମୟରେ ବନ୍ଦ ରହୁଛି ।

ଏନେଇ ବାରମ୍ବାର ଜିଲ୍ଲା ପ୍ରଶାସନକୁ ସ୍ଥାନୀୟ ଲୋକେ ଅବଗତ କଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଏନେଇ ବରିଷ୍ଠ ଆଇନଜୀବି ରମେଶ ପ୍ରସାଦ ସିଂହ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଶ୍ରୀମନ୍ଦିର ଚାରି ପାଖରେ ଥିବା ଲୋକେ ସରକାରଙ୍କ ଆହ୍ଵାନରେ ନିଜର ଜାଗା ସରକାରଙ୍କୁ ଦେଲେ । ହେଲେ କାର୍ଯ୍ୟ ସରିଲା ପରେ ପ୍ରଶାସନ ଓ ସରକାର ସବୁ ଭୁଲି ଗଲେ । କେବଳ ଭକ୍ତଙ୍କ ସୁବିଧା ଆଳରେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ କଲେ ନାହିଁ । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି । ଏହାକୁ ନେଇ ଆଗାମୀ ଦିନରେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିବ। ସରକାର ଏ ଦିଗରେ ଧ୍ୟାନ ନ ଦେଲେ ଆଗାମୀ ଦିନରେ ସରକାରଙ୍କୁ ଲୋକେ ବିରୋଧ କରିବେ ।"

ସେହିପରି ଜଣେ ପୁରୀ ବାସିନ୍ଦା କହିଛନ୍ତି, "ସରକାର ପ୍ରକଳ୍ପ ଆଳରେ ନିଜର ରାଜନୈତିକ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଛନ୍ତି । ଯାହାକି ଠିକ୍ ନୁହେଁ । ସରକାରଙ୍କ ଅପାରଗତା ଯୋଗୁଁ ହଜାର ହଜାର ଲୋକ ଯାତାୟତ ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି । କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶ୍ରୀମନ୍ଦିର ପରିକ୍ରମା ମାର୍ଗ କରି ଲାଭ କଣ ? ଯଦି ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ନ ହୁଏ ଆଗାମୀ ଦିନରେ ଭୟଙ୍କର ସ୍ଥିତି ଉପୁଜିବ । ତୁରନ୍ତ ପୁରୀ ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ।"

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.