ETV Bharat / politics

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ରାଜନୈତିକ ଜୀବନକୁ ବାଜିରେ ଲଗାଇଥିଲେ ନବୀନ: ପାଣ୍ଡିଆନ

author img

By ETV Bharat Odisha Team

Published : Jan 20, 2024, 2:23 PM IST

VK Pandian on Parikrama Project: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଏତେ ସହଜ ନଥିଲା ବୋଲି କହିଛନ୍ତି 5T ତଥା ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ନିଆଁ ସହ ଖେଳିବା ପରି ଦୁଃସାହସିକ କାର୍ଯ୍ୟ ଥିଲା ବୋଲି କହିଛନ୍ତି ପାଣ୍ଡିଆନ । ଅଧିକ ପଢ଼ନ୍ତୁ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ

ଭୁବନେଶ୍ବର: ଲୋକାର୍ପିତ ହୋଇଛି ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ । ହେଲେ ଏହାକୁ ନେଇ ରାଜନୀତି ଦିନକୁ ଦିନ ଜୋର ଧରୁଛି । ବିରୋଧୀ ମାନେ ଏହାକୁ ନେଇ ବିଭିନ୍ନ ପ୍ରଶ୍ନ ଜରିଆରେ ସରକାରଙ୍କୁ ଘେରୁଥିବାବେଳେ ସାରା ବିଶ୍ବର ଜଗନ୍ନାଥ ପ୍ରେମୀ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ବୋଲି କହିଛନ୍ତି 5T ତଥା ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ତେବେ ଏହି କାମ ଏତେ ସହଜ ନଥିଲା ବୋଲି ସେ କହିଛନ୍ତି । ଶ୍ରୀମନ୍ଦିର ରୂପାନ୍ତରଣ ଏକ ଆହ୍ବାନ ଥିଲା । ନିଆଁ ସହ ଖେଳିବା ପରି ଦୁଃସାହସିକ କାର୍ଯ୍ୟ ଥିଲା ବୋଲି କହିଛନ୍ତି ପାଣ୍ଡିଆନ । ଶ୍ରୀମନ୍ଦିର ସହ ରାଜ୍ୟବାସୀଙ୍କ ଭାବାବେଗ ଏତେ ନିବିଡ଼ ଭାବରେ ଜଡ଼ିତ ଯେ ଏଥିରେ ସାମାନ୍ୟତମ ତ୍ରୁଟିବିଚ୍ୟୁତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ଥିଲା ବୋଲି ପାଣ୍ଡିଆନ କହିଛନ୍ତି ।

5T ତଥା ଆମ ଓଡ଼ିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କହିଛନ୍ତି, "ଶ୍ରୀମନ୍ଦିର ରୂପାନ୍ତରଣ ଓ ପରିକ୍ରମା ପ୍ରକଳ୍ପର ପରିକଳ୍ପନା ସମୟରେ ଏହି ସ୍ପର୍ଶକାତର ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବାକୁ ବହୁ ପ୍ରଭାବଶାଳୀ ଓ ଖ୍ୟାତନାମା ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଥିଲେ । କିଛି ଭୁଲତ୍ରୁଟି ହେଲେ ରାଜନୈତିକ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ପଡ଼ିପାରେ ବୋଲି ସତର୍କ କରାଇଥିଲେ । ଏହି ସବୁ ଚ୍ୟାଲେଞ୍ଜକୁ ଭ୍ରୁକ୍ଷେପ ନକରି ମହାପ୍ରଭୁଙ୍କ ପାଇଁ କିଛି କରିବାକୁ ମୁଖ୍ୟମନ୍ତ୍ରୀ ସଂକଳ୍ପବଦ୍ଧ ହୋଇଥିଲେ । ସରକାର ରହୁ କି ନରହୁ, ମହାପ୍ରଭୁଙ୍କ କାମ ଅଟକିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ନିଜ ରାଜନୈତିକ ଭବିଷ୍ୟତକୁ ପଛରେ ପକାଇ ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ହାତକୁ ନେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ପ୍ରଗାଢ଼ ଭକ୍ତି ଏହି ପ୍ରକଳ୍ପକୁ ସଫଳ କରିଛି ।"

ଏହା ମଧ୍ୟ ପଢ଼ନ୍ତୁ...ସରିଲା ପରିକ୍ରମା ଲୋକାର୍ପଣ, ପୁରୀରେ ପହଞ୍ଚିଲାନି ଗୁଆ-ଚାଉଳ !

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି, "ପରିକ୍ରମା ପ୍ରକଳ୍ପର ପରିକଳ୍ପନାରୁ ଆରମ୍ଭ କରି ଲୋକାର୍ପଣ ପର୍ଯ୍ୟନ୍ତ ଅନେକ ଘଟଣା ଘଟିଛି, ଯାହା ସାଧାରଣ ଲୋକଙ୍କୁ ଅଗୋଚର । ମହାପ୍ରଭୁଙ୍କ ଇଚ୍ଛା ବିନା ଏହି ପ୍ରକଳ୍ପ କଦାପି ସମ୍ଭବ ହୋଇ ପାରିନଥାନ୍ତା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସମସ୍ତେ ଗର୍ବିତ । କିନ୍ତୁ ଏହାକୁ ଫଳପ୍ରସୂ କରାଯିବା କୌଣସି କଣ୍ଟକିତ ପଥ ଠାରୁ କିଛି କମ ନଥିଲା । ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ନବୀନ ପଟ୍ଟନାୟକଙ୍କ କ୍ୟାରିୟର ବାଜିରେ ଲାଗିଥିଲା । ପରିକ୍ରମା ପ୍ରକଳ୍ପର ରୂପରେଖ ପ୍ରସ୍ତୁତି ସମୟରେ ଏହି କାର୍ଯ୍ୟରୁ ଓହରିଯିବାକୁ କିଛି ପ୍ରଭାବଶାଳୀ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କୁ ସତର୍କ କରାଇଥିଲେ । ଶ୍ରୀମନ୍ଦିର ସହିତ ରାଜ୍ୟବାସୀଙ୍କ ସମ୍ପର୍କ ଏତେ ଦୃଢ଼ ଓ ଗଭୀର ଯେ ସାମାନ୍ୟତମ ତ୍ରୁଟି ତାଙ୍କ ରାଜନୈତିକ କ୍ୟାରିୟରକୁ ନଷ୍ଟ କରିଦେଇପାରେ ବୋଲି କହିଥିଲେ । ସରକାର ବଦଳିବାର ଆଶଙ୍କା ମଧ୍ୟ ବ୍ୟକ୍ତ କରିଥିଲେ । ଶ୍ରୀମନ୍ଦିର ପ୍ରକଳ୍ପ ପରିକଳ୍ପନାକୁ ବାଦ ଦେଇ ଅନ୍ୟ କୌଣସି ପ୍ରକଳ୍ପ ହାତକୁ ନେବାକୁ ପରାମର୍ଶ ମୁଖ୍ୟମନ୍ତ୍ରୀଙ୍କ ଉପରେ କୌଣସି ପ୍ରଭାବ ପକାଇନଥିଲା ।"

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଦେଖିବାକୁ ଛୁଟିବ ଭକ୍ତଙ୍କ ସୁଅ, ଜଗିବେ 26 ପ୍ଲାଟୁନ ପୋଲିସ ଫୋର୍ସ

ପାଣ୍ଡିଆନଙ୍କ ମତରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାବାସୀ ମୋତେ ୫ ଥର ମୁଖ୍ୟମନ୍ତ୍ରୀ ଆସନରେ ବସାଇଛନ୍ତି । ଓଡ଼ିଶାବାସୀ ମୋତେ ବିଶ୍ବାସ ଓ ଭରସା କରିବା ସହିତ ଆକୁଣ୍ଠ ଭଲପାଇବା ଦେଇଛନ୍ତି । ମହାପ୍ରଭୁଙ୍କ ପ୍ରତି ଓଡ଼ିଶାବାସୀଙ୍କର ଆକୁଣ୍ଠ ବିଶ୍ବାସ ଓ ଶ୍ରଦ୍ଧା ରହିଛି । ମୁଁ ଯଦି ଶ୍ରୀକ୍ଷେତ୍ରର ବିକାଶ କାମ ନକରିବି ତାହେଲେ ଇତିହାସ ମୋତେ କ୍ଷମା ଦେବ ନାହିଁ । ସରକାରଙ୍କ ଉପରେ ବିପଦ ଆସିଲେ ବି ସବୁର ସାମ୍ନା କରିବି । କିନ୍ତୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବନ୍ଦ ହେବନାହିଁ । ଯେକୌଣସି ପରିସ୍ଥିତିରେ ବି କାମ ଆଗେଇ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ବୋଲି ପାଣ୍ଡିଆନ କହିଛନ୍ତି । ସେ କହିଛନ୍ତି, "ଶ୍ରୀମନ୍ଦିର ରୂପାନ୍ତରଣ ଓ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ପୂର୍ବରୁ ମଧ୍ୟ ଚିନ୍ତା କରାଯାଇଥିଲା । ବହୁ ବଡ଼ ବଡ଼ ରାଜା ଓ ବ୍ରିଟିଶ ଅମଳର ଜିଲ୍ଲାପାଳମାନେ ବି ଉଦ୍ୟମ କରିଥିଲେ । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ବିଜୁ ପଟ୍ଟନାୟକ ମଧ୍ୟ ଚିନ୍ତା କରିଥିଲେ । କିନ୍ତୁ କାମ ଆରମ୍ଭ ପୂର୍ବରୁ ସେମାନେ ଓହରିଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଟଳ ନିଷ୍ପତ୍ତି ଓ ମହାପ୍ରଭୁଙ୍କ ପ୍ରତି ଥିବା ଭକ୍ତିଭାବ ଯୋଗୁଁ ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାସ୍ତବ ରୂପ ନେଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.