ETV Bharat / state

ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ରୋମାଞ୍ଚ ରଞ୍ଜନ - romancha ranjan file nomination

author img

By ETV Bharat Odisha Team

Published : May 6, 2024, 9:28 PM IST

ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ରୋମାଞ୍ଚ ରଞ୍ଜନ
ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ରୋମାଞ୍ଚ ରଞ୍ଜନ (ETV BHARAT ODISHA)

ROMANCHA RANJAN FILE NOMINATION: ନାମାଙ୍କନର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ଦେବଗଡ଼ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ । ଅଧିକ ପଢନ୍ତୁ

ଶକ୍ତି ପ୍ରଦର୍ଶନ କରି ନାମାଙ୍କନ ଭରିଲେ ରୋମାଞ୍ଚ ରଞ୍ଜନ (ETV BHARAT ODISHA)

ଦେବଗଡ଼: ନାମାଙ୍କନ ଭରିଲେ ରୋମାଞ୍ଚ ରଞ୍ଜନ ବିଶ୍ବାଳ । ଦେବଗଡ଼ ବିଧାନସଭା ଆସନରେ ଶକ୍ତି ପ୍ରଦର୍ଶନ କରିଛି ବିଜେଡି । ଆଜି ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନରେ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ହଜାର ହଜାର ସଂଖ୍ୟାରେ ସମର୍ଥକଙ୍କ ଗହଣରେ ଆସି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ଲୋକଙ୍କ ଅଦ୍ଭୂତପୂର୍ବ ସମାଗମ ପରିଲକ୍ଷିତ ହୋଇଥିବା ବେଳେ ଦେବଗଡ଼ ସହର ଜନ ସମୁଦ୍ରରେ ପରିଣତ ହୋଇଥିଲା । ବିଜେଡି ପ୍ରାର୍ଥୀଙ୍କ ପ୍ରତି ଏଭଳି ଜନ ସମର୍ଥନ ବିରୋଧୀ ଶିବିରରେ ଛନକା ସୃଷ୍ଟି କରିଛି ।

ଦେବଗଡ଼ ବିଧାନସଭା ଆସନରେ ଆଜି ପ୍ରାର୍ଥୀପତ୍ର ଦାଖଲର ଅନ୍ତିମ ଦିନରେ ନିଜ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରୋମାଞ୍ଚ । ଆଜି(ସୋମବାର) ଦିନ 10ଟା ସମୟରେ ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ପୁରୁଣାଗଡ଼ ସ୍ଥିତ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଠାରୁ ନିଜର ପ୍ରାୟ 20 ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ନିକଟରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡିର ବହୁ ସଂଖ୍ୟାରେ ପୁରୁଖା ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହିଥିଲେ ।


ଏଠାରେ ସୂଚନାଯୋଗ୍ୟ ଯେ, ଦେବଗଡ଼ ବିଧାନସଭା ଆସନ ପାଇଁ ବିଜେଡି ପ୍ରଥମେ ସମ୍ବଲପୁର ଲୋକସଭା ସାଂସଦ ନିତେସ ଗଙ୍ଗଦେବଙ୍କ ଧର୍ମପତ୍ନୀ ତଥା ବାମଣ୍ଡା ରାଜ ପରିବାର ସଦସ୍ୟା ଅରୁନ୍ଧତୀ ଦେବୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା । ତେବେ ଶେଷ ମୁହୂର୍ତ୍ତରେ ରାଜନୈତିକ କାରଣ ବଶତଃ ଅରୁନ୍ଧତୀଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ପୂର୍ବତନ ବିଜେଡି ସଭାପତି ତଥା ଯୁବନେତା ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ଦଳୀୟ ଟିକଟ ଦେଇଥିଲା । ପ୍ରାର୍ଥୀ ପରିବର୍ତ୍ତନ ପରେ ଜିଲ୍ଲା ବିଜେଡିରେ ଏନେଇ ବିଦ୍ରୋହ ହେବାର ଆଶଙ୍କା କରାଯାଉଥିଲା । ପ୍ରାର୍ଥୀ ପରିବର୍ତ୍ତନକୁ ନେଇ ବିଜେଡିରେ ଅସନ୍ତୋଷ ଦେଖାଦେବାର ଆଶଙ୍କା ଥିବାରୁ ଏହାର ଫାଇଦା ମୁଖ୍ୟ ବିରୋଧୀ ଦଳ ନେବେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଥିଲା ।

ଏହା ମଧ୍ୟ ପଢନ୍ତୁ .....ସଞ୍ଜୀବ ଭରିଲେ ନାମାଙ୍କନ, ରୋଡ଼ ସୋରେ ସାମିଲ ହେଲେ ଧର୍ମେନ୍ଦ୍ର - Sanjib Sahoo File Nomination

ହେଲେ ସମସ୍ତ ଆଶଙ୍କାକୁ ମିଥ୍ୟା ପ୍ରମାଣିତ କରିଛି ବିଜେଡି । ବିଜେଡି ପ୍ରାର୍ଥୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ପ୍ରାର୍ଥୀ ଭାବେ ପାଇବା ପରେ ବିଧାନସଭା କ୍ଷେତ୍ରରେ ବିଜେଡି କର୍ମୀ ଓ ସମର୍ଥକଙ୍କ ମହଲରେ ଅଧିକ ଉତ୍ସାହ ପରିଲକ୍ଷିତ ହୋଇଛି । ଯାହାର ପ୍ରତିଫଳନ ଆଜିର ପ୍ରାର୍ଥୀପତ୍ର ଦାଖଲ ଅବସରରେ ବହୁ ବରିଷ୍ଠ ବିଜେଡି କର୍ମୀମାନେ ଉପସ୍ଥିତ ରହିଥିଲେ । ତେବେ ଏହି ବିପୁଳ ଜନ ସମର୍ଥନ ଆଗାମୀ ନିର୍ବାଚନରେ କେତେ ଦୂର ଭୋଟରେ ରୂପାନ୍ତରିତ ହେଉଛି ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.