ETV Bharat / state

ବୌଦ୍ଧ RTOଙ୍କ କଳା କାରନାମା ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

author img

By ETV Bharat Odisha Team

Published : Feb 17, 2024, 2:29 PM IST

ଆରଟିଓ
ଆରଟିଓ

Boudh RTO Arrest Update: ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର । ସେ ଜେଲ୍ ଯିବା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଉତ୍ସବ ପାଳନ କରାଯାଇଛି । ଏହାସହ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢ଼ନ୍ତୁ,

ଆରଟିଓ

ବୌଦ୍ଧ: ବହୁ ଚର୍ଚ୍ଚିତ ଦୁର୍ନୀତି ଗ୍ରସ୍ତ ବୌଦ୍ଧ ଆରଟିଓ ଭିଜିଲାନ୍ସରେ ଧରାପଡ଼ି ଜେଲ ଯିବା ପରେ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଉତ୍ସବ ପାଳନ କରାଯାଇଛି । ଅଧିକାରୀ ଜଣଙ୍କ ନାଁରେ ଦୀର୍ଘ ଦିନ ହେବ ବାରମ୍ବାର ଅଭିଯୋଗ ହୋଇ ଆସୁଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ଏହି କରିତକର୍ମା ବାବୁଙ୍କୁ କିଭଳି ପଦୋନ୍ନତି ମିଳିଲା ? RTO ବାବୁ ଏହି କଳା କାରନାମା କାହାର ଛତ୍ରଛାୟାରେ କରୁଥିଲେ ସେନେଇ ପ୍ରଶ୍ନବାଚୀ ଉଠିଛି ? ଯାହାକୁ ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କରିଛି ।

ବୌଦ୍ଧ ଜିଲ୍ଲାର ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ କୋଟି କୋଟି ଟଙ୍କାର ଅମାପ ସମ୍ପତ୍ତି ସମସ୍ତଙ୍କୁ ହତ ଚକିତ କରିଛି । ଦୀର୍ଘ ବର୍ଷ ହେଲା ଏହି କରିତକର୍ମା ସରକାରୀ ବାବୁ ବେଧଡକ ଭାବରେ ସାଧାରଣ ଲୋକଙ୍କଠାରୁ ଅର୍ଥ ଲୁଟି ଚାଲିଥିବା ବେଳେ ଶେଷରେ ଭିଜିଲାନ୍ସର ସ୍ବତନ୍ତ୍ର ସ୍କ୍ୱାଡ୍ ଚଢାଉରେ ଧରାପଡ଼ିଛନ୍ତି । ବୌଦ୍ଧରେ ସେ ରହୁଥିବା ଭଡାଘର ଓ ଅଫିସ ସମେତ ଭୁବନେଶ୍ବର, ବ୍ରହ୍ମପୁର ଓ ଭଞ୍ଜନଗର ଭଳି ୧୦ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢାଉ କରି ଏହି ଦୁର୍ନୀତି ଗ୍ରସ୍ତ ଆରଟିଓଙ୍କ ୧୯ କୋଟି ଟଙ୍କାର ସମ୍ପତ୍ତି ଠାବ କରିଛି । ତେବେ ବୌଦ୍ଧ ଜିଲ୍ଲାର ଆହୁରି ମଧ୍ୟ ଏଭଳି କେତେକ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁ ବେଧଡକ ଭାବରେ ଅର୍ଥ ଆଦାୟ କରୁଥିବା ବେଳେ ଧରାପଡ଼ିଥିବା ଆରଟିଓଙ୍କ ଲିଙ୍କ ଜିଲ୍ଲାର କିଛି ନେତା ସହ ଜଡିତ ଥିବାରୁ ଏହାର ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି ବୋଲି ଦାବି କରିଛି କଂଗ୍ରେସ ।

ଏହା ମଧ୍ୟ ପଢ଼ନ୍ତୁ.....ଗିରଫ ହେଲେ ଫ୍ଲାଟ୍ ସଉକିଆ RTO, 19 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଛି । ଦୁଇ ଦିନ ପୂର୍ବରୁ ଭିଜିଲାନ୍ସ ଚଢାଉ କରି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କଠାରୁ ୧୯ କୋଟି ଟଙ୍କାର ସମ୍ପତ୍ତି ଠାବ କରି ତାଙ୍କୁ ଜେଲ ପଠାଇଥିବା ବେଳେ, ଏହି ଦୁର୍ନୀତି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛି କଂଗ୍ରେସ ପାର୍ଟି । ସେପଟେ ଏହି ଦୁର୍ନୀତି ଗ୍ରସ୍ତ ଆରଟିଓ ଜେଲ୍ ଯିବାପରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସଂଗଠନ ପକ୍ଷରୁ ଉତ୍ସବ ପାଳନ କରାଯାଇଛି । ଆରଟିଓ ଅଫିସ ସମ୍ମୁଖରେ ଜିଲ୍ଲା ସାମାଜିକ ସୁରକ୍ଷା ପରିଷଦ ଓ ଡ଼୍ରାଇଭର ମହାସଂଘ ପକ୍ଷରୁ ପାରମ୍ପରିକ ବାଦ୍ୟ ବଜାଇ ନାଚଗୀତ ସହିତ ମିଷ୍ଟାନ୍ନ ବଣ୍ଟନ କରି ଉତ୍ସବ ପାଳନ କରାଯାଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.