ETV Bharat / state

ଗିରଫ ହେଲେ ଫ୍ଲାଟ୍ ସଉକିଆ RTO, 19 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

author img

By ETV Bharat Odisha Team

Published : Feb 16, 2024, 2:17 PM IST

RTO Basant Mohapatra Arrested
ଗିରଫ ହେଲେ ଫ୍ଲାଟ ସଉକିଆ ଆରଟିଓ ବାବୁ

RTO Basant Mohapatra Arrested: ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ବୌଦ୍ଧ ଆରଟିଓ ବସନ୍ତ ମହାପାତ୍ର । ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେସୁଦ୍ଧା ତାଙ୍କ ନିକଟରୁ 19 କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ୱର: ଗିରଫ ହେଲେ ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ବସନ୍ତ ମହାପାତ୍ର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗତକାଲି(ଗୁରୁବାର) ଚଢାଉ କରିଥିବା ବେଳେ ଆଜି(ଶୁକ୍ରବାର) ଗିରଫ କରିଛି ଭିଜିଲାନ୍ସ । ଗତକାଲିଠାରୁ ତାଙ୍କ ବାସଭବନ ଓ ସମ୍ପର୍କୀୟଙ୍କ ବାସଭବନ ସମେତ 10ଟି ସ୍ଥାନରେ ରେଡ୍ କରି ତାଙ୍କ ନିକଟରୁ ପାଖାପାଖି 19 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଏହି ସମ୍ପତ୍ତି ମଧ୍ୟରେ କେବଳ 14 କୋଟି 50 ଲକ୍ଷ ଟଙ୍କାର ରହିଛି କେବଳ ଫ୍ଲାଟ୍ ।


ଭିଜିଲାନ୍ସ ନିର୍ଦ୍ଦେଶାଳୟରୁ ମିଳିଥିବା ସୂଚନା‌ ଅନୁସାରେ, ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ବସନ୍ତ ମହାପାତ୍ରଙ୍କର ଫ୍ଲାଟ ସଉକିନ ଥିଲେ । ଭୁବନେଶ୍ୱରଠାରୁ ନେଇ ବେଙ୍ଗାଲୁରୁ ପର୍ଯ୍ୟନ୍ତ ତାଙ୍କର ଏକାଧିକ ଫ୍ଲାଟ ରହିଛି । 2 କୋଟି ଟଙ୍କାର ଉତ୍କଳ କନିକା ଗ୍ୟାଲେରିଆରେ‌ ଏକ ସଂପି ମଲ୍ ରହିଛି । କଳ୍ପନା ସ୍ଥିତ ଉତ୍କଳ ରୟାଲ୍‌ ରେସିଡେନ୍ସିରେ କୋଟିଏ ଟଙ୍କା ମୂଲ୍ୟର ଏକ ଫ୍ଲାଟ ରହିଛି । କଳାରାହାଙ୍ଗ ଅଞ୍ଚଳରେ ଜେଡ୍‌-1 ଇଷ୍ଟେଟ ଆଇକନିକ୍‌ରେ 5 ବିଏଚ୍‌କେ ଫ୍ଲାଟ୍‌ ପାଇଁ ଅଗ୍ରୀମ 1.35 କୋଟି ଟଙ୍କା ଦେଇଥିବା ଭିଜିଲାନ୍ସ ସୂଚନା ଦେଇଛି । ଆଉମଧ୍ୟ ଶୈଳଶ୍ରୀ ବିହାର ଅଞ୍ଚଳରେ ଥିବା ୱେଷ୍ଟ୍‌ ଆଣ୍ଡ ଆପାର୍ଟମେଣ୍ଟରେ ଏକ ଫ୍ଲାଟ୍‌ ରହିଛି । ରଙ୍ଗମାଟିଆ ହରପ୍ରିୟା ଏନ୍‌କ୍ଲେଭରେ ମଧ୍ୟ ଏକ ଦାମି ଫ୍ଲାଟ ଠାବ ହୋଇଛି । ସେହିପରି ପାହାଳଠାରେ ଉତ୍କଳ ସିଗ୍ନେଚରରେ ରହିଛି ବିଳାସମୟ ଫ୍ଲାଟ୍ । ଏସବୁକୁ ମିଶାଇ ଆକଳନ କଲେ ଆରଟିଓ ବାବୁ 14 କୋଟି 50 ଲକ୍ଷର କେବଳ ଫ୍ଲାଟ୍ କିଣିଥିବା ନେଇ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. କୋଟିପତି RTO: ୧୦ ସ୍ଥାନରେ ଭିଜିଲାନ୍ସ ରେଡ୍, ଆଖି ଲାଖିଲା ଭଳି ସମ୍ପତ୍ତି ଠାବ

ଭୁବନେଶ୍ବର ଆକ୍ସିସ ବ୍ୟାଙ୍କରେ 2 କୋଟି 11 ଲକ୍ଷ 79 ହଜାର ଟଙ୍କା ଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କରେ 44 ଲକ୍ଷ 35 ହଜାର ଟଙ୍କା ଓ ଏସବିଆଇରେ 39 ଲକ୍ଷ 55 ହଜାର ଟଙ୍କା ରହିଛି । ଇନ୍‌ସ୍ୟୁରାନ୍ସ ଓ ବଣ୍ଡ୍ ଜମା ମଧ୍ୟ ଠାବ କରାଯାଇଛି । ଏନଏଚଏଆଇ କ୍ୟାପିଟାଲ ଗେନ ବଣ୍ଡରେ 48 ଲକ୍ଷ ଟଙ୍କା ଓ ମ୍ୟାକ୍ସ ଲାଇଫ୍‌ରେ 31 ଲକ୍ଷ 90 ହଜାର ଟଙ୍କା ରହିଛି । ଘରୁ ନଗଦ 1 ଲକ୍ଷ 16 ହଜାର 700 ଟଙ୍କା, 600 ଗ୍ରାମ୍‌ର ସୁନା ଗହଣା, 318 ଗ୍ରାମର ରୁପା, 9 ଲକ୍ଷ ଟଙ୍କାର ଆସବାବପତ୍ର ମଧ୍ୟ ଜବତ କରାଯାଇଛି । ଗୋଟିଏ ବାଇକ୍‌ ଠା‌ବ ହୋଇଛି । ଠାବ ହୋଇଥିବା ସ୍ଥାବର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୯ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ତେବେ ଖୁବ ଶୀଘ୍ର ଗିରଫ ଆରଟିଓକୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.