ETV Bharat / state

କୋରାପୁଟରେ ସ୍କର୍ପିଓ-ବାଇକ-ଅଟୋ ମୁହାଁମୁହିଁ, ୩ ମୃତକଙ୍କ ପରିବାରକୁ ୩ଲକ୍ଷ ଲେଖାଏଁ ଅନୁକମ୍ପା ଘୋଷଣା

author img

By ETV Bharat Odisha Team

Published : Jan 26, 2024, 8:49 PM IST

Borigumma Accident
ବୋରିଗୁମ୍ମା ଦୁର୍ଘଟଣା

Borigumma Accident: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି ଭୟଙ୍କର ଦୁର୍ଘଟଣା । ବର୍ତ୍ତମାନସୁଦ୍ଧା ୩ ଜଣଙ୍କ ଜୀବନ ଯାଇଥିବାବେଳେ ମୃତକଙ୍କ ପରିବାରକୁ ୩ ଲକ୍ଷ ଲେଖାଏଁ ଅନୁକମ୍ପା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ବୋରିଗୁମ୍ମା ଦୁର୍ଘଟଣା

କୋରାପୁଟ/ଭୁବନେଶ୍ବର: କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଘଟିଛି ଭୟଙ୍କର ଦୁର୍ଘଟଣା । ଏହି ସିରିଜ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଆହତଙ୍କ ଉପଯୁକ୍ତ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଗୁରୁତରମାନେ ବର୍ତ୍ତମାନ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଅପରପକ୍ଷେ, ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, କୋଟପାଡ଼ରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ଉପରେ ଆଜି ଅପରାହ୍ନରେ ଘଟିଥିଲା ଦୁର୍ଘଟଣା । ଛତିଶଗଡ଼ ନମ୍ବର ଥିବା ଏକ ସ୍କର୍ପିଓ ବୋରିଗୁମ୍ମା ଅଭିମୁଖେ ଯାଉଥିବାବେଳେ ବିଜାପୁରଠାରେ ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ପରେ ପରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା । ଏହାପରେ ସ୍କର୍ପିଓଟି ପୁଣି ଥରେ ଅନ୍ୟ ଏକ ବାଇକକୁ ଧକ୍କା ଦେଇ ନିକଟସ୍ଥ ଏକ କଲଭର୍ଟ ଭିତରକୁ ପଶିଯାଇଥିଲା । ସେହି ସମୟରେ ଅଟୋରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ମୃତକମାନଙ୍କ ମଧ୍ୟରୁ ୨ ଜଣ ଅଟୋର ଯାତ୍ରୀ ଥିବାବେଳେ ତୃତୀୟ ବ୍ୟକ୍ତି ହେଉଛନ୍ତି ବାଇକ ଚାଳକ ।

ଏହା ମଧ୍ୟ ପଢନ୍ତୁ...ଦୁଆରଶୁଣି ଘାଟି ଦୁର୍ଘଟଣା: ମୃତକଙ୍କ ପରିବାରକୁ ରାଣୀ ପଣ୍ଡାଙ୍କ ସହାୟତା

ଏହା ମଧ୍ୟ ପଢନ୍ତୁ...ଗଜପତିରେ ସୁରକ୍ଷାକର୍ମୀଙ୍କ ଗାଡି ଦୁର୍ଘଟଣା, ଭୁଲ ବିବୃତି ପାଇଁ ବିଜୟଙ୍କୁ ବିଜେଡିର ସମାଲୋଚନା


ଆହତ ୧୦ ଜଣଙ୍କୁ ପ୍ରଥମେ ଜୟପୁର ‌ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତୀ ସମୟରେ ସେଠାରୁ ଗୁରୁତରମାନଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ଦୁର୍ଘଟଣା ପରେ ସ୍କର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି । ତେବେ ସ୍କର୍ପିଓରେ ବସିଥିବା ଅନ୍ୟ ୪ ଜଣଙ୍କୁ ଗ୍ରାମବାସୀ ପୋଲିସର ଜିମା ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବାଇକ, ଅଟୋ ଓ ‌ସ୍କର୍ପିଓକୁ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି ପୋଲିସ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଲାଗିି ରହିଥିଲା । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ । ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଦୀର୍ଘ ସମୟ ହେଲା ଅଟକି ରହିଥିଲା । ଘଟଣା ବାବଦରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ କ୍ଷତିପୂରଣ ଘୋଷଣା କରିଛନ୍ତି ।

ଇଟିଭି ଭାରତ, କୋରାପୁଟ/ ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.