ETV Bharat / state

୬ ଜିଲ୍ଲାରେ ଗଡ଼ିଲା ୧୯୮ ଲକ୍ଷ୍ମୀ ବସ; ୧୩୬୩ ପଞ୍ଚାୟତର ୭୫ ଲକ୍ଷ ଲୋକ ଉପକୃତ

author img

By ETV Bharat Odisha Team

Published : Feb 16, 2024, 9:15 PM IST

୬ ଜିଲ୍ଲାରେ ଗଡ଼ିଲା ୧୯୮ ଲକ୍ଷ୍ମୀ ବସ
୬ ଜିଲ୍ଲାରେ ଗଡ଼ିଲା ୧୯୮ ଲକ୍ଷ୍ମୀ ବସ

Laxmi Bus Services in 6 more districts: ଆଜି ଆଉ ୬ ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢ଼ନ୍ତୁ

୬ ଜିଲ୍ଲାରେ ଗଡ଼ିଲା ୧୯୮ ଲକ୍ଷ୍ମୀ ବସ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ ଜିଲ୍ଲାରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଛନ୍ତି । ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଆଜିଠୁ ଲକ୍ଷ୍ମୀ ବସ ଗଡ଼ିଛି । ଗାଁ ଲୋକମାନେ ଲକ୍ଷ୍ମୀ ବସ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ । ଲକ୍ଷ୍ମୀ ବସ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଭିସି ଯୋଗେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । 5T ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲା ଗସ୍ତ ପରେ ଲୋକଙ୍କ ଅସୁବିଧାକୁ ଅନୁଭବ କରିଥିଲୁ । ଲୋକଙ୍କ ପ୍ରସ୍ତାବକୁ ଅନୁଶୀଳନ କରି ଗାଁ ଲୋକଙ୍କର ଯୋଗାଯୋଗ ସମସ୍ୟା ଦୂର କରିବା ପାଇଁ ଲକ୍ଷ୍ମୀ ବସ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆଜିର ଶୁଭାରମ୍ଭ ପରେ ୬ ଜିଲ୍ଲାର ୧୩୬୩ ପଞ୍ଚାୟତରେ ୧୯୮ ବସ ଚାଲିଲା । ଏହାଦ୍ବାରା ୭୫ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।" ଖୋର୍ଦ୍ଧାର ୧୫୪ ପଞ୍ଚାୟତରେ ୨୨ ବସ ଚାଲିବା ଦ୍ବାରା ୧୫.୫୦ ଲକ୍ଷ ଲୋକ ଉପକୃତ ହେବେ ।

ସେହିପରି ପୁରୀର ୪୩୩ ପଞ୍ଚାୟତରେ ୪୪ ବସ ଚାଲିବା ଦ୍ବାରା ୧୪ ଲକ୍ଷ ୬୦ ହଜାର ଲୋକ ଉପକୃତ ହେବେ । କେନ୍ଦ୍ରାପଡାର ୧୯୬ ପଞ୍ଚାୟତରେ ୩୭ ବସ ଚାଲିବା ୧୧ ଲକ୍ଷ ୩୭ ହଜାର ଲୋକ ଉପକୃତ ହେବେ । ଭଦ୍ରକର ୧୫୮ ପଞ୍ଚାୟତରେ ୨୫ ବସ ଚାଲିଛି । ଏହାଦ୍ବାରା ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ । ଯାଜପୁରର ୨୩୩ ପଞ୍ଚାୟତରେ ୩୯ ବସ ଚାଲିବା ଦ୍ବାରା ୧୩ ଲକ୍ଷ ୭୦ ହଜାର ଲୋକ ଉପକୃତ ହେଲେ । ସେହିଭଳି ନୟାଗଡର ୧୮୯ ପଞ୍ଚାୟତରେ ୩୧ ବସ ଚାଲିଛି । ଏହାଦ୍ବାରା ୯ ଲକ୍ଷ ୩୪ ହଜାର ଲୋକ ଉପକୃତ ହେଲେ । ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ ଚଳାଚଳର ସୁବିଧା ହୋଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ ଚାଲିବ ।

ଏହା ମଧ୍ୟ ପଢ଼ନ୍ତୁ...ଆଉ 5 ଜିଲ୍ଲାରେ ଗଡିଲା ଲକ୍ଷ୍ମୀ, ଉପାନ୍ତରୁ ଦୂର ହେବ ଯାତାୟତ ସମସ୍ୟା

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଲକ୍ଷ୍ମୀ ବସ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ । ଲକ୍ଷ୍ମୀ ବସ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଲକ୍ଷ୍ମୀ ବସ ଲୋକଙ୍କୁ ଲୋକଙ୍କ ସହିତ ଯୋଡିବ । ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ । ପିଲାଙ୍କୁ ସ୍କୁଲ କଲେଜ ନେବ । ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ମହିଳା ଓ ଛାତ୍ରଛାତ୍ରୀ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯିବା ଆସିବା କରିପାରିବେ ।"

କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଆମ ଓଡିଶା- ନବୀନ ଓଡିଶା ସଂଯୋଜକ ଶ୍ରୀମୟୀ ମିଶ୍ର, ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ, ପୂର୍ବତନ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ‘ଆମ ଓଡିଶା, ନବୀନ ଓଡିଶା’ ସଂଯୋଜକ ଡଃ ସଞ୍ଜୟ ଦାସ, ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ, ବିଧାୟକ ରମେଶ ଚନ୍ଦ୍ର ବେହେରା ଓ ବିଧାୟକ ଡଃ ଅରୁଣ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହା ମାଧ୍ୟମରେ ଗରିବ ପରିବାର ଆର୍ଥିକ ଖର୍ଚ୍ଚାନ୍ତରୁ ମୁକ୍ତ ହୋଇ ସଞ୍ଚୟ କରିପାରିବେ । ଲକ୍ଷ୍ମୀ ଯୋଜନା ପଞ୍ଚାୟତର ବିକାଶକୁ ଗତିଶୀଳ କରିବ। ଗ୍ରାମାଞ୍ଚଳ ଜନଜୀବନରେ ଉନ୍ନତି ଆଣିବ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ବାଗତ ଭାଷଣ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.