ETV Bharat / state

ଆଉ 5 ଜିଲ୍ଲାରେ ଗଡିଲା ଲକ୍ଷ୍ମୀ, ଉପାନ୍ତରୁ ଦୂର ହେବ ଯାତାୟତ ସମସ୍ୟା

author img

By ETV Bharat Odisha Team

Published : Feb 12, 2024, 6:16 PM IST

ଲକ୍ଷ୍ମୀ ବସ ଯୋଜନା: ଉପାନ୍ତରୁ ଦୂର ହେବ ଯାତାୟତ ସମସ୍ୟା
ଲକ୍ଷ୍ମୀ ବସ ଯୋଜନା: ଉପାନ୍ତରୁ ଦୂର ହେବ ଯାତାୟତ ସମସ୍ୟା

Laxmi Bus Service: ଲକ୍ଷ୍ମୀ ବସ ଯୋଜନାରେ ଯୋଡ଼ି ହେଲା ଆଉ ପାଞ୍ଚ ଜିଲ୍ଲା । ସୁନ୍ଦରଗଡ଼, ବରଗଡ଼,ବଲାଙ୍ଗୀର,କେନ୍ଦୁଝର ଏବଂ ମୟୂରଭଞ୍ଜରେ ଆଜି ଠାରୁ ଗଡ଼ିଲା ବସ । ଅଧିକ ପଢନ୍ତୁ

ଲକ୍ଷ୍ମୀ ବସ ଯୋଜନା: ଉପାନ୍ତରୁ ଦୂର ହେବ ଯାତାୟତ ସମସ୍ୟା

ଭୁବନେଶ୍ବର: ରାଜ୍ୟର ଲକ୍ଷ୍ମୀ ବସ ସେବାର ଯୋଡ଼ି ହେଲା ଆଉ ପାଞ୍ଚ ଜିଲ୍ଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପାଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ । ସେହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ବରଗଡ଼,ବଲାଙ୍ଗୀର,କେନ୍ଦୁଝର ଏବଂ ମୟୂରଭଞ୍ଜ । ଏହି ସେବା ଗମନାଗମନ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଲୋକେ କହିଛନ୍ତି । ସୁନ୍ଦରଗଡ଼ ଠାରେ ଉଦଘାଟିତ ହୋଇଯାଇଛି ଲକ୍ଷ୍ମୀ ବସ । ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ଆଜିଠାରୁ ଗଡ଼ିଛି ବସ । ତେବେ ଗ୍ରାମାଞ୍ଚଳରେ ରହୁଥିବା ଲୋକେ ବର୍ତ୍ତମାନ ସହର ଏବଂ ବ୍ଲକ ସହ ସିଧାସଳଖ ଭାବରେ ଯୋଡ଼ି ହୋଇପାରିବେ ।

ଗ୍ରାମାଞ୍ଚଳରେ ଦୂର ହେବ ଯାତାୟାତ ସମସ୍ୟା । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମାଆ ମାନଙ୍କୁ ବସ ପରିଚଳନା ଦାୟିତ୍ବ ଦିଆଯାଇଛି । ଏହାସହ ଲକ୍ଷ୍ମୀ ବସ ଗାଁର ଅର୍ଥନୀତିକୁ ମଜବୁତ କରିବାରେ ସହାୟକ ହେବ ବୋଲି ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବରୁ ଗ୍ରାମାଞ୍ଚଳରେ ଗମନାଗମନର ବହୁ ସମସ୍ୟା ଲାଗି ରହିଥିଲା ତେଣୁ ସରକାର ଏହି ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଛନ୍ତି । ସୁନ୍ଦରଗଡ଼ ଗ୍ରାମାଞ୍ଚଳର ମାଆ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କା ମୂଲ୍ୟରେ ଏହି ବସରେ ଯାତାୟତ କରି ପାରିବେ । ଏହି ଉଦଘାଟନ ଉତ୍ସବରେ ଜିଲ୍ଲାପାଳ ସମେତ ପରିବହନ ଅଧିକାରୀ ଏବଂ ମନ୍ତ୍ରୀ ସାରଦା ନାୟକ ସାମିଲ ହୋଇଥିଲେ ।

କେନ୍ଦୁଝରରେ ଆରମ୍ଭ ହେଲା ଲକ୍ଷ୍ମୀ ଏକ୍ସପ୍ରେସ :ଆଦିବାସୀ ଅଧୁଷିତ ତଥା ଉପାନ୍ତ କେନ୍ଦୁଝର ଜିଲ୍ଲାରେ ଯୋଗାଯୋଗର ମାଧ୍ୟମ ପାଲଟିଲା ଲକ୍ଷ୍ମୀ ଏକ୍ସପ୍ରେସ୍ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଭିଡିଓ କନଫରେନ୍ସ ଜରିଆରେ ଲୋକାର୍ପଣ କରିଛନ୍ତି । ଜିଲ୍ଲାରେ ୧୧ଟି ଲକ୍ଷ୍ମୀ ବସ ଶୁଭାରମ୍ଭ କରାଯାଇଛି । ସମସ୍ତ ପଞ୍ଚାୟତ, ବ୍ଲକ୍ ମୁଖ୍ୟାଳୟ ଓ ସଦର ମହକୁମାକୁ ଯୋଡ଼ିବ ଏହି ବସ ।

କେନ୍ଦୁଝର ଜିଲ୍ଲାକୁ ୭୦ଟି ବସ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସୂଚନା ମିଳିଛି । ପରିବହନ ବିଭାଗ ପକ୍ଷରୁ ଅତ୍ୟାଧୁନିକ ଓ ଆରାମଦାୟକ ବସ ସେବା ଯୋଗାଯୋଗର ଏକ ମାଇଲଖୁଣ୍ଟ ହେବାକୁ ଯାଉଛି । ଫଳରେ ଗ୍ରାମାଞ୍ଚଳରେ କୃଷି ଉତ୍ପାଦନ କରୁଥିବା ଚାଷୀ ସହଜରେ ଓ ଅଳ୍ପ ଭଡାରେ ନିଜର ଉତ୍ପାଦିତ ସାମଗ୍ରୀକୁ ଆଣି ବ୍ଲକ ମୁଖ୍ୟାଳୟ କିମ୍ବା ଜିଲ୍ଲା ସଦର ମହକୁମାରେ ପହଞ୍ଚି ଉଚିତ ମୂଲ୍ୟ ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ମହିଳା, ଭିନ୍ନକ୍ଷମ ଓ ଛାତ୍ରଛାତ୍ରୀମାନେ ମାତ୍ର ୫ ଟଙ୍କାରେ ଏହି ଲକ୍ଷ୍ମୀବସରେ ଯାତ୍ରା କରିବାର ସୁଯୋଗ ପାଇପାରିବେ । ବସ ଗୁଡିକ ରହଣୀ ପାଇଁ ପ୍ରତି ବ୍ଳକରେ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ତଥା ସମସ୍ତ ସୁବିଧା ସୁଯୋଗ ରହିଥିବା ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି । ସ୍ଥାନୀୟ ମେଡିକାଲ କଲେଜ ପଡିଆରେ ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ରାଜ୍ୟ ପରିବହନ ବିଭାଗର ସଚିବ ଉଷା ପାଢ଼ୀ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ପାଟଣା ବିଧାୟକ ଜଗନ୍ନାଥ ନାଏକ, ଘସିପୁରା ବିଧାୟକ ବଦ୍ରୀନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଲକ୍ଷ୍ମୀ ନାଏକ, ଜିଲ୍ଲାପାଳ ବିଶାଲ ସିଂହ ପ୍ରମୁଖ ସାମିଲ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ ....୫ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ; ୧୩୪୦ ପଞ୍ଚାୟତକୁ ୩୦୧ ବସ, ଉପକୃତ ହେବେ ୮୩ ଲକ୍ଷ

ବରଗଡ଼ ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ: ଆଜି ବରଗଡ଼ ଜିଲ୍ଲାରେ ଉଦଘାଟନ ହୋଇଛି ଲକ୍ଷ୍ମୀ ଯୋଜନା । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ତରଫରୁ 21 ଗୋଟି ବସ ଯୋଗାଇ ଦେଇଛନ୍ତି । ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକକୁ ଓ ବ୍ଲକରୁ ସହରାଞ୍ଚଳକୁ ଯାତାୟାତର ସୁବିଧା ଯୋଗେଇବ ଏହି ବସ । ଜିଲ୍ଲାକୁ ସମୁଦାୟ 80ଟି ବସ ଦିଆଯିବ ବୋଲି ସୂଚନା ମିଳିଛି । ତେବେ ଆଜିର ଏହି ସମାରୋହରେ ମନ୍ତ୍ରୀ ରୀତା ସାହୁ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ ଯୋଗଦେଇଥିଲେ ।

ଲକ୍ଷ୍ମୀ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ଯାତାୟାତ ପାଇଁ ଛାତ୍ରଛାତ୍ରୀ, ଭିନ୍ନକ୍ଷମ ଏବଂ ମହିଳାଙ୍କ ପାଇଁ ମାତ୍ର 5 ଟଙ୍କା ଭଡା ଧାର୍ଯ୍ୟ କରାଯାଇ ଥିବାବେଳେ ଜନସାଧାରଣଙ୍କ ପାଇଁ ଦୂରତା ହିସାବରେ ବସ ଭଡା ଧାର୍ଯ୍ୟ କରାଯାଇଛି । ଜନସାଧାରଣଙ୍କ ପାଇଁ 10 କିଲୋମିଟର ଦୂରତା ପର୍ଯ୍ୟନ୍ତ 5 ଟଙ୍କା ଭଡା, 11 ରୁ 20 କିଲୋମିଟର ଦୂରତା ପର୍ଯ୍ୟନ୍ତ 10 ଟଙ୍କା ବସ ଭଡା, 21 ରୁ 40 କିଲୋମିଟର ଦୂରତା ପର୍ଯ୍ୟନ୍ତ 15 ଟଙ୍କା ବସ ଭଡା, 41 ରୁ 60 କିଲୋମିଟର ଦୂରତା ପର୍ଯ୍ୟନ୍ତ 25 ଟଙ୍କା ବସ ଭଡା ଏବଂ 61 ରୁ 80 କିଲୋମିଟର ଦୂରତା ପର୍ଯ୍ୟନ୍ତ 30 ଟଙ୍କା ବସ ଭଡା ଧାର୍ଯ୍ୟ କରିଛନ୍ତି ସରକାର । ଏହି ସେବା ମାଧ୍ୟମରେ ଜିଲ୍ଲାର ପ୍ରତ୍ୟେକ ଶ୍ରମିକ , କୃଷକ , ଭିର୍ନ୍ନକ୍ଷମ ଏବଂ ମହିଳାମାନେ ବିଶେଷ ଭାବେ ଉପକୃତ ହେବେ ।

ଇଟିଭି ଭାରତ, ସୁନ୍ଦରଗଡ଼/ ବରଗଡ଼/ ବଲାଙ୍ଗୀର/କେନ୍ଦୁଝର/ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.