ETV Bharat / state

ରାଜ୍ୟରେ ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟିତ

author img

By ETV Bharat Odisha Team

Published : Mar 2, 2024, 4:13 PM IST

CM Naveen
CM Naveen

Teaching Hospitals Inauguration: ଓଡିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ । ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟିତ । ଅଧିକ ପଢନ୍ତୁ

ରାଜ୍ୟରେ ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ବର: ଓଡିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଯୋଡି ହୋଇଛି ଆଉ ଏକ ନୂଆ ଫର୍ଦ୍ଦ । ରାଜ୍ୟର ସ୍ବାସ୍ଥ୍ୟ ସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଉଦଘାଟନ କରିଛନ୍ତି । ଏହା ସହିତ ୪ଟି ମେଡିକାଲ କଲେଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ବ ସ୍ତରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ରଖିଛନ୍ତି ।

ଉଦଘାଟିତ ହୋଇଥିବା ଟିଚିଂ ହସ୍ପିଟାଲ ଗୁଡିକ ହେଲା ବଲାଙ୍ଗୀରର ୬୫୦ ଶଯ୍ୟା ବିଶିଷ୍ଟ ଭୀମ ଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବାରିପଦାର ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ ଏବଂ ହସ୍ପିଟାଲ, ସୁନ୍ଦରଗଡରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀ ଧର ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ବାଲେଶ୍ବରରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ । ଏହା ସହିତ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନ୍ସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁରରେ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ବ ସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଭିତ୍ତି ପ୍ରସ୍ତର ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ‘ସୁସ୍ଥ ଓଡିଶା ସୁଖୀ ଓଡିଶା’ ଗଠନ ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଆଜିର ଦିନ ଏକ ମାଇଲଷ୍ଟୋନ । ଗୋଟିଏ ଦିନରେ ୫ଟି ମେଡିକାଲ କଲେଜ ହସ୍ପିଟାଲରେ ୨,୯୫୦ ଶଯ୍ୟା ଯୋଡି ହେଲା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି । ବଲାଙ୍ଗୀରରୁ ବାରିପଦା, ସୁନ୍ଦରଗଡରୁ କେନ୍ଦୁଝର ଓ ବାଲେଶ୍ବର ସବୁ ଅଞ୍ଚଳର ଜନସାଧାରଣ ଏହା ଦ୍ବାରା ଉପକାର ପାଇବେ । ଆମ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ବାସ ବଢିଛି । ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇବା ଲକ୍ଷ୍ୟ ।

ଏହା ବି ପଢନ୍ତୁ- ସ୍ବାସ୍ଥ୍ୟ କ୍ଷେତ୍ରରେ ସଞ୍ଜିବନୀ, ସୋମବାର ୨୫ ଜିଲ୍ଲାର ୬୭ଟି ରୂପାନ୍ତରଣ ହସ୍ପିଟାଲର ଲୋକାର୍ପଣ

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା । ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ପ୍ରତିଷ୍ଠାନ ହୋଇଛି । ଆଗାମୀ ଦିନରେ ଆଉ ୩ଟି ମେଡିକାଲ କଲେଜ ମଧ୍ୟ ହେବାକୁ ଯାଉଛି । ପ୍ରତି ବର୍ଷ ଡାକ୍ତର ଓ ପାରାମେଡିକ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି । ଆଗରୁ ବର୍ଷକୁ ମାତ୍ର ୩୨୧ ଜଣ ଏମବିବିଏସ ଡାକ୍ତର ଓ ୨୫୪ ଜଣ ସ୍ପେଶିଆଲିଷ୍ଟ ବାହାରୁ ଥିଲେ । ଏବେ ୨୫୨୫ ଏମବିବିଏସ ଡାକ୍ତର ଓ ୯୭୨ ସ୍ପେଶିଆଲିଷ୍ଟ ବାହାରୁଛନ୍ତି । ଲୋକଙ୍କ ସୁବିଧା ପାଇଁ ହସ୍ପିଟାଲଗୁଡିକୁ ଆମ ହସ୍ପିଟାଲରେ ବିକଶିତ ହେଉଛି ।"

କଟକର ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ, ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜ, ବୁର୍ଲାର ଭିମ୍ସାର ଓ ରାଉରକେଲାର ଆରଜିଏଚକୁ ବିଶ୍ବ ସ୍ତରୀୟ ହସ୍ପିଟାଲରେ ରୂପାନ୍ତର କରିବା ପାଇଁ ଭିତ୍ତି ଦିଆଗଲା । ଏଥିପାଇଁ ୩ ହଜାର ୪୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଜାରୀ କହିଛନ୍ତି, "ଲୋକଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି । 5T ଉପକ୍ରମରେ ରାଜ୍ୟର ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଲୋକଙ୍କୁ ଉନ୍ନତମାନର ଓ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକ୍ରମ ଜାରି ରହିଛି ।"

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସଂଚାଳନା କରିଛନ୍ତି । ଏ ସବୁ ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶରେ ସହଯୋଗ କରିଥିବା ସମସ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି । ଗ୍ରାମାଞ୍ଚଳର ସବୁ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମୁଖ୍ୟମନ୍ତ୍ରୀ ସମ୍ବଲପୁରରୁ ଶୁଭାରମ୍ଭ କରିବେ । ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜର ଛାତ୍ରଛାତ୍ରୀ ଯେଉଁ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କରିଛନ୍ତି । ଖୁବଶୀଘ୍ର ତାହା କାର୍ଯ୍ୟକାରୀ ହେବ ।

ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁ, ‘ଆମ ଓଡିଶା ନବୀନ ଓଡିଶା’ ସଂଯୋଜକ ଯୋଗେଶ ସିଂ, ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟବାସୀଙ୍କୁ ଉତ୍ତମ ମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଓଡିଶାବାସୀ କେବେ ବି ଭୁଲିବେ ନାହିଁ । ରୂପାନ୍ତରଣ କ୍ଷେତ୍ରରେ ଓଡିଶାକୁ ଭାରତରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା କାର୍ଯ୍ୟକାରୀ ହୋଇଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସାରା ବିଶ୍ବରେ ବେଞ୍ଚମାର୍କ ସୃଷ୍ଟି କରିଛି । ବଲାଙ୍ଗିର ଓ ସୁନ୍ଦରଗଡର ଏହି ନୂଆ ହସ୍ପିଟାଲ କେବଳ ଜିଲ୍ଲା ବାସୀଙ୍କୁ ନୁହେଁ, ପଡୋଶୀ ରାଜ୍ୟମାନଙ୍କୁ ମଧ୍ୟ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବ ବୋଲି ସେମାନେ କହିଛନ୍ତି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ବାଗତ ଭାଷଣ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.