ETV Bharat / state

ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କର: ମୁଖ୍ୟ ଶାସନ ସଚିବ - Chief Secy Meeting

author img

By ETV Bharat Odisha Team

Published : Apr 7, 2024, 7:03 AM IST

Etv Bharat
Etv Bharat

Chief Secy on drinking water problems: ରାଜ୍ୟରେ ଅସହ୍ୟ ଖରା ଓ ଗୁଳୁଗୁଳି ମଧ୍ୟରେ ବିଭିନ୍ନ ସ୍ଥାନରୁ ପାନୀୟ ଜଳ ସମସ୍ୟା ସାମ୍ନାକୁ ଆସୁଛି । ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାନୀୟ ଜଳର ସମସ୍ୟା ଦେଖିବାକୁ ମିଳୁଛି । ତୁରନ୍ତ ଏହି ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଏଥିପାଇଁ ଜିଲ୍ଲାପାଳଙ୍କ ସହିତ ସେ ବିଭିନ୍ନ ଜିଲ୍ଲାର ସ୍ଥିତି ସମୀକ୍ଷା କରିଛନ୍ତି । ଗ୍ରୀଷ୍ମ ଲହରୀ ଜାରି ରହିଥିବାରୁ ସତର୍କତାମୂଳକ ବିଭିନ୍ନ ପଦକ୍ଷେପ ନେବାକୁ ସେ ଜିଲ୍ଲାପାଳ ତଥା ସଂପୃକ୍ତ ବିଭାଗଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳ ପକ୍ଷରୁ ହେଉଥିବା ସାଧାରଣ ସଭା ଖୋଲା ସ୍ଥାନରେ ନକରିବାକୁ ପରାମର୍ଶ ଦେଇଛନ୍ତି ।

ଦିନରେ ଅଧିକ ତାପମାତ୍ରା ଓ ଗୁଳୁଗୁଳି ହେଉଥିବାରୁ ରାଜନୈତିକ ଦଳ ଏସଆରସିଙ୍କ ମାର୍ଗଦର୍ଶିକା ସଠିକ ଭାବେ ଅନୁପାଳନ କରନ୍ତୁ । ଶ୍ରମ ବିଭାଗ ନିର୍ଦ୍ଦେଶନାମା ଅନୁସାରେ ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ସାଢେ ୩ ମଧ୍ୟରେ ଶ୍ରମିକମାନେ ଯେମିତି ଅତ୍ୟଧିକ ଖରାରେ କାର୍ଯ୍ୟ ନକରନ୍ତି, ସେଥିପ୍ରତି ବିଭିନ୍ନ ବ୍ୟବସ୍ଥାରେ ତଦାରଖ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଆବଶ୍ୟକ ସବୁ ସ୍ଥାନରେ ଜଳଛତ୍ର କାର୍ଯ୍ୟକ୍ଷମ କରାଇବାକୁ କହିଛନ୍ତି । ପାନୀୟ ଜଳ ସମସ୍ତଙ୍କ ପାଇଁ ପ୍ରାଥମିକ ଆବଶ୍ୟକତା । ନିର୍ବାଚନ ଆଦର୍ଶ ଆଚରଣ ବିଧି ଦୃଷ୍ଟିରୁ ବିନା ବ୍ୟାନରରେ କୌଣସି ପ୍ରଚାର ଉଦ୍ଦେଶ୍ୟରେ ବ୍ୟାନର ବା ଫଟୋ ନ ରଖି ଜଳଛତ୍ର ପରିଚାଳନା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଅସହ୍ୟ ଖରାରେ ଦାଉ ସାଧୁଛି ଜଳସଙ୍କଟ, ଶୁଖି ଗଲାଣି ନାଳ ଗାଡିଆ - Drinking Water Problem

ବିଭିନ୍ନ ରାସ୍ତାରେ ସ୍ଥାନେ ସ୍ଥାନେ ଲୋକେ ଯେପରି ପାଣି ପାଇବେ, ସେଥିପାଇଁ ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ପରାମର୍ଶ ଦେଇଛନ୍ତି । ଯାତ୍ରୀବାହୀ, ମୋ ବସରେ ଯାତ୍ରା କରୁଥିବା ବସରେ ପ୍ରାଥମିକ ଚିକିତ୍ସା ବାକ୍ସ ସହ ଆବଶ୍ୟକ ଜରୁରୀକାଳୀନ ସ୍ଥିତି ପାଇଁ ପାନୀୟ ଜଳ, ଓଆରଏସ ପ୍ୟାକେଟ ରଖାଯାଉ । ବିଡିଓ, ତହସିଲଦାର, ଉପ-ଜିଲ୍ଲାପାଳ ଆଦି ଅଧିକାରୀମାନେ ବସରେ ଏସବୁ ଅଛି କି ନାହିଁ ଅଚାନକ ଯାଞ୍ଚ କରନ୍ତୁ । ବସରେ ଗଲାବେଳେ କୌଣସି ଯାତ୍ରୀ ଅସୁସ୍ଥ ହେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିକଟରେ ବସ ଅଟକାନ୍ତୁ । ସେଠାରେ ଅଧିକ ଚିକିତ୍ସା ପାଇଁ ଅସୁସ୍ଥ ବ୍ୟକ୍ତିଙ୍କୁ ଛାଡି ପାରିବେ । ଏ ସଂପର୍କରେ ବସ ଡ୍ରାଇଭର, କଣ୍ଡକ୍ଟର ଓ ବସ ମାଲିକଙ୍କୁ ଅଧିକ ସଚେତନ କରାଯାଉ ।

ବିଭିନ୍ନ ଆପାର୍ଟମେଣ୍ଟ ନିର୍ମାଣସ୍ଥଳରେ ଆବଶ୍ୟକ ଓଆରଏସ, ପାନୀୟ ଜଳ ଆଦି ରହୁଛି କି ନାହିଁ, ତାହା ତଦାରଖ କରାଯାଉ । ବିଭିନ୍ନ ଡାକ୍ତରଖାନାରେ ଅଂଶୁଘାତ ମୁକାବିଲା ନିମନ୍ତେ ଶଯ୍ୟା ପ୍ରସ୍ତୁତି ହେବ । ଜିଲ୍ଲାପାଳମାନେ ଯାଞ୍ଚ କରି ପ୍ରସ୍ତୁତି ସଠିକ ରହିଛି କି ନାହିଁ, ତାହା ଅନୁଧ୍ୟାନ କରିବେ । ହସ୍ପିଟାଲରେ ଜେନେରେଟର ସେଟ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ ନିର୍ଘଣ୍ଟ କରାଯାଇଥିବା ସମୟ ଅନୁସାରେ ଛାତ୍ରଛାତ୍ରୀ ପାଣି ପିଇବା, ବିଦ୍ୟାଳୟରେ ଓଆରଏସ ପ୍ୟାକେଟ ଉପଲବ୍ଧ ହେବା ସହ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହିତ ନିୟମିତ ସ୍ଥିତି ଯାଞ୍ଚ କରିବାକୁ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଛତା, ଆବଶ୍ୟକ ସ୍ଥଳେ ତଉଲିଆ ଓ ପାଣି ବୋତଲ ଆଣିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ମାଆମାନଙ୍କୁ ଏଥିପାଇଁ ସଚେତନ କରିବାକୁ କୁହାଯାଇଛି । ବିଭିନ୍ନ ଜିଲ୍ଲାରୁ ପାନୀୟ ଜଳ ସମସ୍ୟା ନେଇ ଟ୍ୱିଟର ବା ସାମାଜିକ ଗଣମାଧ୍ୟମରେ ଯେଉଁ ଅଭିଯୋଗ ଆସୁଛି, ତାହାକୁ ଗୁରୁତର ସହ ନେଇ ପାନୀୟ ଜଳ ବ୍ୟବସ୍ଥା କରିବାକୁ ସେ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ପଞ୍ଚାୟତିରାଜ ବିଭାଗ ପକ୍ଷରୁ ପାନୀୟ ଜଳ ବ୍ୟବସ୍ଥା ସଂପର୍କରେ ନିଆଯାଇଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି । ସେହିପରି ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କ ପାଇଁ ପାଣିର ବ୍ୟବସ୍ଥା କରିବାକୁ ବ୍ୟବସ୍ଥା ଉନ୍ନୟନ କମିଶନର ଅନୁ ଗର୍ଗ ପରାମର୍ଶ ଦେଇଛନ୍ତି । ଜିଲ୍ଲାପାଳମାନେ ସାଧାରଣ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା ସତ୍ତ୍ୱେ ମନୁଷ୍ୟର ବଞ୍ଚି ରହିବା ପାଇଁ ପ୍ରମୁଖ ଆବଶ୍ୟକତା ପାନୀୟ ଜଳ ଭଳି ମାନବିକତା ସଂପର୍କିତ ପ୍ରସଙ୍ଗ ଉପରେ ଜିଲ୍ଲାପାଳମାନେ ପ୍ରତିଦିନ କିଛି ସମୟ ସମୀକ୍ଷା କରି ସମସ୍ୟାର ସମାଧାନ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ପାନୀୟ ଜଳ ଯୋଗାଣ ପାଇଁ ବିଦ୍ୟୁତ ସରବରାହ ଯେପରି ବ୍ୟାଘାତ ନଘଟେ, ସେଥିପାଇଁ ବିଦ୍ୟୁତ ବିତରଣ କମ୍ପାନୀ ସହିତ ନିୟମିତ ବୈଠକ କରି ସମସ୍ୟାର ସମାଧାନ କରାଯାଉଥିବା ସଂପର୍କରେ ଶକ୍ତି ବିଭିଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ କହିଛନ୍ତି ।

ସେହିପରି ମତଦାନ ଗଣନା କେନ୍ଦ୍ର ପ୍ରକୋଷ୍ଠରେ ଯେପରି ବିଦ୍ୟୁତ ସରବରାହ ବ୍ୟାଘାତ ନଘଟେ ସେଥିପ୍ରତି ଦୃଷ୍ଟି ଦେବା ସହ ଡିଜି ସେଟ, ଓଆରଏସ ପ୍ୟାକେଟ ଓ ପାନୀୟ ଜଳ ବ୍ୟବସ୍ଥା ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି । ଗ୍ରୀଷ୍ମ ପ୍ରବାହ ବା ଅଂଶୁଘାତ ଜନିତ କୌଣସି ପ୍ରକାର ଅଘଟଣର ତ୍ୱରିତ ମୁକାବିଲା କରିବାକୁ ଜିଲ୍ଲାପାଳମାନେ ପ୍ରସ୍ତୁତ ରହି ତଦନୁସାରେ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସମୟରେ ଆଶା, ଅଙ୍ଗନବାଡି କର୍ମୀମାନେ ବିନା ମୂଲ୍ୟରେ ଯେପରି ଓଆରଏସ ଯୋଗାଇଦେବେ, ସେଥିପ୍ରତି ବ୍ୟବସ୍ଥା କରିବାକୁ କହିଛନ୍ତି । ପ୍ରଚଣ୍ଡ ରୌଦ୍ରତାପରେ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବାର ସମ୍ଭାବନା ଦୃଷ୍ଟିରୁ ସ୍ଥାନୀୟ ସ୍ୱେଚ୍ଛାସେବୀଙ୍କ ସହାୟତାରେ ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତି ରହିବାକୁ ସେ ପରାମର୍ଶ ଦେଇଛନ୍ତି । ଯେଉଁ ସ୍ଥାନରେ ଜଳ ଉତ୍ସରେ ପାଣିର ଅଭାବ ରହିଛି, ସେସବୁ ଅଞ୍ଚଳର ଲୋକଙ୍କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ବିଦ୍ୟାଳୟମାନଙ୍କରେ ଅଦ୍ୟାବଧି ନଳକୂପଗୁଡିକର ମରାମତି ଆବଶ୍ୟକତା ରହିଛି, ତାହାକୁ ପଂଚାୟତିରାଜ ବିଭାଗ ସହାୟତାରେ ତ୍ୱରିତ ସଚଳ କରାଯିବା ଆଦି ସଂପର୍କରେ ବୈଠକରେ ଆଲୋଚନା ହୋଇଛି ।

ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ନଗର ଉନ୍ନୟନ ଓ ସହରାଂଚଳ ବିକାଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜି. ମାଥି ଭାଥାନନ୍, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ, ଅର୍ଥ ବିଭାଗ ତଥା ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ, ଓସଡମାର ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଭିସି ଜରିଆରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.