ETV Bharat / state

ଓଡିଶା ଓ ଆନ୍ଧ୍ରରେ ଏକାସଙ୍ଗେ ନିର୍ବାଚନ; ଚର୍ଚ୍ଚାରେ କୋଟିଆ

author img

By ETV Bharat Odisha Team

Published : Mar 20, 2024, 5:33 PM IST

Election conduct in Kotia
Election conduct in Kotia

Election conduct in Kotia: ଓଡ଼ିଶା ଓ ଆନ୍ଧ୍ରରେ ଗୋଟିଏ ଦିନରେ (ମୋ' ୧୩)ରେ ହେବ ନିର୍ବାଚନ । ଦୁଇ ରାଜ୍ୟର ସୀମାନ୍ତବର୍ତ୍ତୀ ବହୁ ଚର୍ଚ୍ଚିତ କୋଟିଆ ପଞ୍ଚାୟତ ଏବେ ଚର୍ଚ୍ଚାରେ । ଅଧିକ ପଢ଼ନ୍ତୁ

Election conduct in Kotia

କୋରାପୁଟ: ସାଧାରଣ ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ସବୁଠି ଉଷ୍ମତା, ପ୍ରସ୍ତୁତ ହେଉଛି ପ୍ରଶାସନ । ହେଲେ ବହୁ ଚର୍ଚ୍ଚିତ କୋଟିଆ ବିବାଦ ତାତି କୋରାପୁଟ ନିର୍ବାଚନୀ ମାହୋଲକୁ ବେଶୀ ସରଗରମ କରିଛି । କାରଣ ମେ' ୧୩ରେ ଉଭୟ ଆନ୍ଧ୍ର ଓ ଓଡ଼ିଶାରେ ହେବ ନିର୍ବାଚନ । ତେଣୁ ଗତ କିଛି ବର୍ଷ ଅପେକ୍ଷା ଏଥର କୋଟିଆରେ ସ୍ଥିତି ଅଧିକ ସମ୍ବେଦନଶୀଳ ହେବାର ସମ୍ଭାବନା ରହିଛି । ବିଗତ ଦିନରେ କୋଟିଆବାସୀଙ୍କୁ ଭ୍ରମିତ କରିବାକୁ ବହୁ ଚେଷ୍ଟା କରିଛି ଆନ୍ଧ୍ର । ତେଣୁ ଏଥର ଓଡ଼ିଶା ନିର୍ବାଚନକୁ ଭଣ୍ଡୁର କରି ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଆନ୍ଧ୍ର ଚେଷ୍ଟା କରିପାରେ ବୋଲି ବରିଷ୍ଠ କଂଗ୍ରେସ ନେତା ନୀମାଇ ସରକାର ଆଶଙ୍କା କରିଛନ୍ତି ।

'ଅଧିକ ସମ୍ବେଦନଶୀଳ ହୋଇପାରେ ସ୍ଥିତି': ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏହି ନିର୍ବାଚନକୁ ଅବାଧ ଓ ନିରପେକ୍ଷ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ହେଲେ କୋଟିଆରେରେ ନିର୍ବାଚନୀ ତାତି ବହୁଗୁଣା । କୋଟିଆ ପଞ୍ଚାୟତରେ ଆନ୍ଧ୍ର ଓ ଓଡିଶା ମଧ୍ୟରେ ସୀମା ବିବାଦର ତାତି କମିନାହିଁ । ଏଭଳି ସ୍ଥିତିରେ ଚଳିତ ବର୍ଷ ଉଭୟ ରାଜ୍ୟରେ ମେ' ୧୩ ତାରିଖରେ ନିର୍ବାଚନ ହେଉଛି । ତେଣୁ ଗତ କିଛି ବର୍ଷ ଧରି ଆସିଥିବା ନିର୍ବାଚନୀ ଉଷ୍ମତା ଠାରୁ ଏଥର ସ୍ଥିତି ଅଧିକ ସମ୍ବେଦନଶୀଳ ହେବାର ସମ୍ଭାବନା ରହିଥିବା କୋରାପୁଟ ବାର ଆସୋସିଏସନର ପୂର୍ବତନ ସଭାପତି ତଥା ବିରିଷ୍ଠ ଆଇନଜୀବୀ ଅଜିତ ପାତ୍ର ଆଶଙ୍କା କରିଛନ୍ତି ।

'କୋଟିଆବାସୀଙ୍କୁ ଭ୍ରମିତ କରିବ ଆନ୍ଧ୍ର': ଗତଦିନରେ ଆନ୍ଧ୍ର ସରକାରଙ୍କ ଦ୍ବାରା କୋଟିଆବାସୀଙ୍କୁ ବିଭିନ୍ନ ଲାଳସା ଦେଖାଇ ଭ୍ରମିତ ପରିବେଶ ସୃଷ୍ଟି କରିବା ପାଇଁ ପ୍ରୟାସ କରାଯାଇଛି । ବର୍ତ୍ତମାନ ନିର୍ବାଚନ ସମୟରେ ଆନ୍ଧ୍ର ସରକାର କୋଟିଆ ପଞ୍ଚାୟତର ଗାଁ ଗଣ୍ଡାରେ ଓଡ଼ିଶା ଦ୍ବାରା କରାଯାଉଥିବା ସାଧାରଣ ନିର୍ବାଚନକୁ ଭଣ୍ଡୁର କରିବାର ପ୍ରଚେଷ୍ଟା କରାଯାଇପାରେ । ଆନ୍ଧ୍ର ସରକାର କୋଟିଆ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାର ପ୍ରୟାସ କରିପାରନ୍ତି ବୋଲି ପୂର୍ବତନ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନୀମାଇ ସରକାର କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଭୋଟ ଦେବ କୋଟିଆ, ସଚେତନ କଲେ କୋରାପୁଟ ଜିଲ୍ଲାପାଳ

'ମତଦାନ ପାଇଁ ଅଧିକ ଭୋଟରଙ୍କୁ ଆକୃଷ୍ଟ କରାଯିବ': ସେପଟେ ଏହି ନିର୍ବାଚନ ସମ୍ପୂର୍ଣ୍ଣ ରୂପେ ଓଡ଼ିଶା ସରକାରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେବ ଏବଂ ଭୋଟର ଯେମିତି ସେମାନଙ୍କ ଗାଁ ନିକଟରେ ଭୋଟ ଦେଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ଜିଲ୍ଳାପାଳ ଭି.କୀର୍ତ୍ତି ଭାସନ ସୂଚନା ଦେଇଛନ୍ତି । ସୀମାବର୍ତ୍ତୀ ଅଞ୍ଚଳରେ ସୁଚାରୁ ରୂପେ ନିର୍ବାଚନ ସମ୍ପନ୍ନ କରିବା ପାଇଁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ଜଣାଇଛନ୍ତି ।

ପଞ୍ଚାୟତ ନିର୍ବାଚନ କରିଥିଲା ଆନ୍ଧ୍ର: ଓଡ଼ିଶାରେ ଏକ ଅଭିନ୍ନ ଅଙ୍ଗ କୋଟିଆ ପଞ୍ଚାୟତରେ ୫୧୯୭ ଜଣ ଭୋଟର ରହିଛନ୍ତି । ଏଠାରେ ନିର୍ବାଚନ କରିବା ପାଇଁ ପ୍ରଶାସନ ସଜବାଜ ହେଉଛନ୍ତି । ହେଲେ ଓଡିଶା ଓ ଆନ୍ଧ୍ରପ୍ରଦେଶର ସୀମାରେ ଥିବା କୋରାପୁଟ ଜିଲ୍ଲାର ଏହି କୋଟିଆ ପଞ୍ଚାୟତର ଫାଟୁସିନେରୀରେ ଆନ୍ଧ୍ର ସରକାର ବିଗତ ଦିନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ କରିଥିବା ସହ ଫଗୁଣସିନେରୀ ଓ ତଳ ଗଞ୍ଜେଇପଦରକୁ ମଧ୍ୟ ପଞ୍ଚାୟତର ମାନ୍ୟତା ଦେଇ ନିର୍ବାଚନ ଅନୁଷ୍ଠିତ କରାଇଛନ୍ତି । ତେବେ ଆସନ୍ତା ଦିନରେ ଓଡିଶା ପ୍ରଶାସନ କୋଟିଆ ପଞ୍ଚାୟତର ସମସ୍ତ ୨୧ଟି ଗ୍ରାମରେ ନିର୍ବାଚନ କରିବା ପାଇଁ ଅଣ୍ଟା ଭିଡିଥିବା ଯୋଗୁଁ କୋଟିଆରେ ନିର୍ବାଚନର ଗୁରୁତ୍ଵ ବଢ଼ିଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ବାଜିଲା ନିର୍ବାଚନ ବିଗୁଲ; ଓଡ଼ିଶାରେ 4 ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ

ନିର୍ବାଚନ ପାଇଁ ପ୍ରସ୍ତୁତ ଜିଲ୍ଲା ପ୍ରଶାସନ: କୋରାପୁଟ ଜିଲ୍ଲାରେ ୫ ଗୋଟି ନିର୍ବାଚନ ମଣ୍ଡଳୀରେ ଭୋଟର ମତଦାନ କରିବାକୁ ଥିବାବେଳେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସାମ୍ବାଦିକ ଓ ରାଜନୈତିକ ଦଳର ସଦସ୍ୟଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି । ଜୟପୁର ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ସାନ୍ଧ୍ୟ ୬ଟା ଓ ଆଉ ୪ଟି ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମତଦାନ କରାଯିବ । କୋରାପୁଟ ଜିଲ୍ଲାରେ ୧୧୫୮ ବୁଥରେ ଭୋଟ ଗ୍ରହଣ କରାଯିବ । ଜିଲ୍ଲାରେ ୯,୬୯,୦୯୧ ଭୋଟର ରହିଥିବାବେଳେ ୫୦,୦୪୦୫ ମହିଳା ଭୋଟର ରହିଛନ୍ତି । ୮୫ରୁ ଊର୍ଦ୍ଧ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ଜଣାଇଛନ୍ତି । ସୀମାବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ପୋଲିସ ତରଫରୁ ନାକା ବନ୍ଦି କରାଯିବା ସହିତ ସମସ୍ତ ଗାଡିକୁ ଯାଞ୍ଜ କରାଯିବ । ନିର୍ବାଚନ ସମୟରେ ଯେଉଁମାନେ ଆଚରଣ ବିଧି ଉଲ୍ଲଂଘନ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଅଭିନବ ସୋନକର କହିଛନ୍ତି । ନିର୍ବାଚନ ପ୍ରଚାର ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର ସଦସ୍ୟଙ୍କ ଫଟୋ ଥିବା ସମସ୍ତ ହୋର୍ଡିଂକୁ ଘୋଡାଇ ଦିଆଯାଉଛି ଅଥବା ବାହାର କରିଦିଆଯାଉଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.