ETV Bharat / state

ସିବିଆଇ ଜାଲରେ ଜିଏସଟି ସୁପେରିଟେଣ୍ଡେଣ୍ଟ, ଲାଞ୍ଚ ନେବା ବେଳେ ଧରାପଡିଲେ

author img

By ETV Bharat Odisha Team

Published : Jan 26, 2024, 11:19 AM IST

Etv Bharat
Etv Bharat

CBI raid Senior GST Officer: ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରା ପଡିଲେ କଲୁଙ୍ଗା ଶିଳ୍ପାଞ୍ଚଳ ସୁପେରିଟେଣ୍ଡେଣ୍ଟ । ଅଧିକ ପଢନ୍ତୁ

ରାଉରକେଲା: ରାଉରକେଲାରେ ସିବିଆଇ ରେଡ । ରାଉରକେଲା କେନ୍ଦ୍ରୀୟ ଜିଏସଟି କାର୍ଯ୍ୟାଳୟର ଅଧିକାରୀଙ୍କ ଘରେ ରେଡ କରିଛି ସିବିଆଇ । ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡିଛନ୍ତି କଲୁଙ୍ଗା ଶିଳ୍ପାଞ୍ଚଳ ସୁପେରିଟେଣ୍ଡେଣ୍ଟ ଭାବରେ କାର୍ଯ୍ୟରତ ଅମରକାନ୍ତ କୁମାର ହିମାଂଶୁ । ରେଡ ପରେ ଅମରକାନ୍ତଙ୍କୁ ଭୁବନେଶ୍ବର ନେଇଯାଇଛି ସିବିଆଇ । ଟିକସ ଫାଙ୍କୁଥିବା ଅଭିଯୋଗରେ ବ୍ୟବସାୟୀଙ୍କ ଘରେ ରେଡ କରୁଥିବା ଅଧିକାରୀ ଏବେ ସିବିଆଇ ଜାଲରେ ଛନ୍ଦି ହୋଇପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ସିବିଆଇ ଜାଲରେ ପାରାଦ୍ୱୀପ ସ୍ୱାସ୍ଥ୍ୟ ସଂଗଠନ ଅଧିକାରୀ; ଘରୁ ବୈଦେଶିକ ମୁଦ୍ରା, କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଜବତ

ଜନୈକ ଠିକାଦାର ଏବଂ ଜିଏସଟି ବିଭାଗ ସୁପେରିଟେଣ୍ଡେଣ୍ଟ ମଧ୍ୟରେ ପ୍ରଥମେ ବିଲ ହେରଫେର ଲାଗି ଲକ୍ଷେ ଟଙ୍କାର ଡିଲ ହୋଇଥିଲା। ପରବର୍ତ୍ତୀ ମୁହୂର୍ତ୍ତରେ ଲାଞ୍ଚ ଦେବାକୁ 30 ହଜାର ସ୍ଥିର ହୋଇଥିଲା । କିସ୍ତି ଭାବରେ ଲାଞ୍ଚ ଟଙ୍କା ନେବାକୁ ଡିଲ କରିଥିଲେ ଅଧିକାରୀ ଜଣଙ୍କ । ଏନେଇ ସିବିଆଇ ବିଭାଗ ବିଶେଷସୁତ୍ରରୁ ଖବର ପାଇବା ପରେ ଚଢାଉ ପାଇଁ ଜାଲ ବିଛାଇଥିଲା । ଗତକାଲି (ଗୁରୁବାର) କଲୁଙ୍ଗା ଶିଳ୍ପାଞ୍ଚଳ ସୁପେରିଟେଣ୍ଡେଣ୍ଟ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ମୁତବାକ ଚଢାଉ କରିଥିଲା ସିବିଆଇ । ଏହାପରେ ଅମରକାନ୍ତ କୁମାର ହିମାଂଶୁଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରାଯାଇଥିଲା ।

ପରେ ରାଉରକେଲା ସହରର ଦୁଇଟି ସ୍ଥାନରେ ସିବିଆଇ ଛାନଭିନ କରିଥିଲା । ଉକ୍ତ ଅଧିକାରୀଙ୍କ ବାସଭବନ ଏବଂ ସିଭିଲ ଟାଉନ ଶିପ ଅଫିସରେ ଚଢ଼ାଉ ଜାରି ରହିଛି । ଚଢାଉ ସମୟରେ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି । କେଉଁ କେଉଁ କେସରେ ବାବୁ ଜଣକ ସାମିଲ ଥିଲେ ଏବଂ କେଉଁ ଆକାଉଣ୍ଟକୁ କେତେ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଛି ସେନେଇ ଛାନଭିନ ଚାଲିଛି । ଘର ସହ ଅଫିସର କାଗଜ ପତ୍ର ଯାଞ୍ଚ କରୁଛି ସିବିଆଇ ବିଭାଗ । ବର୍ତ୍ତମାନ ସୁଦ୍ଧା ଅମରକାନ୍ତ କୁମାର ହିମାଂଶୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିନାହିଁ ।

କଲୁଙ୍ଗା ଶିଳ୍ପାଞ୍ଚଳ ସୁପେରିଟେଣ୍ଡେଣ୍ଟ ଅମରକାନ୍ତ କୁମାର ହିମାଂଶୁ ବାରମ୍ବାର ଠିକାଦାରଙ୍କୁ ଲାଞ୍ଚ ମାଗୁଥିଲେ । ଏଥିରେ ଅତିଷ୍ଠ ହୋଇ ଶେଷରେ ସିବିଆଇକୁ ଅବଗତ କରାଇଥିଲେ ଠିକାଦାର ଜଣଙ୍କ । ଅଭିଯୋଗ ମୁତାବକ ଗତକାଲି ସିବିଆଇ ଚଢାଉ କରିଥିଲା । ବର୍ତ୍ତମାନ ସୁଦ୍ଧା ଅମରକାନ୍ତଙ୍କୁ ଗିରଫ କରାଯାଇଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.