ETV Bharat / state

ବୌଦ୍ଧ ମଡେଲ କଲେଜରେ ଛାତ୍ର ଅଶାନ୍ତି, ରାଜରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ - Boudh Student Protest

author img

By ETV Bharat Odisha Team

Published : Apr 27, 2024, 1:30 PM IST

Boudh Student Protest
Boudh Student Protest

Boudh Student Protest: ଅନେକ ସମସ୍ୟାକୁ ନେଇ ବୌଦ୍ଧ ମଡେଲ କଲେଜରେ ଛାତ୍ର ଅଶାନ୍ତି । ଏହି ସବୁ ରହିଛି କାରଣ

Boudh Student Protest

ବୌଦ୍ଧ: ଜିଲ୍ଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି । ବିଭିନ୍ନ ସମସ୍ୟାକୁ ନେଇ ଆଜି ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଏହାସହ ସମାଧାନ କରିବା ପାଇଁ ମଧ୍ୟ ଦାବି କରିଛନ୍ତି । ଶହଶହ ସଂଖ୍ୟାରେ ଛାତ୍ରଛାତ୍ରୀ ଏକାଠି ହୋଇ ଆନ୍ଦୋଳନ କରିଥିଲେ । ବୌଦ୍ଧ ପୋଲିସର ହସ୍ତକ୍ଷେପ ପରେ ରାସ୍ତାରୋକ ହଟାଇଥିଲେ ।

ଜିଲ୍ଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟରେ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଛି । ବୌଦ୍ଧ ଜିଲ୍ଲାର ବାମଣ୍ଡା ନିକଟରେ ରହିଛି ଜିଲ୍ଲାର ଏକମାତ୍ର ସରକାରୀ ଆଦର୍ଶ ସ୍ନାତକ ମହାବିଦ୍ୟାଳୟ । ତେବେ ଏହି ମହାବିଦ୍ୟାଳୟଟି ବ୍ୟାପକ ସମସ୍ୟା ଘେରରେ ରହିଥିବା ଅଭିଯୋଗ ହୋଇଛି । ବିକ୍ଷୋଭ କରୁଥିବା ଜଣେ ଛାତ୍ର କହିଛନ୍ତି, "ମହାବିଦ୍ୟାଳୟରେ ପାନୀୟଜଳର ଉତ୍କଟ ସମସ୍ୟା ରହିଥିବା ବେଳେ ପ୍ରବଳ ଗ୍ରୀଷ୍ମପ୍ରବାହ ସମୟରେ ମଧ୍ୟ ପାନୀୟଜଳର ସୁବିଧା କିମ୍ବା ବିଦ୍ୟୁତ କାଟ ସମୟରେ ଛାତ୍ରଛାତ୍ରୀ ଗରମ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି । ସେପଟେ ଏହି ମହାବିଦ୍ୟାଳୟ ମଧ୍ୟରେ ଅଣଛାତ୍ରଙ୍କ ଅବାଧ ପ୍ରବେଶ ଯୋଗୁଁ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି । ଏହାଛଡା ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ହେତୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସଦାସର୍ବଦା ବିପଦ ରହୁଛି । କଲେଜ ଉପରେ ଧ୍ୟାନ ଦେବା ପାଇଁ ଆମେ ନିବେଦନ କରୁଛୁ ।"

ଏହା ମଧ୍ୟ ପଢନ୍ତୁ: ନାହିଁ ନାହିଁରେ ଚାଲିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଅବହେଳିତ ଐତିହ୍ୟ - BOUDH MUSEUM

ପ୍ରାୟ ସମୟରେ ସଡକ ଦୁର୍ଘଟଣା ଘଟି ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ଗତକାଲି(ଶୁକ୍ରବାର) ପୁଣିଥରେ ଦୁଇ ଜଣ ଛାତ୍ରୀ ସଡକ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ ହୋଇଛି । ଆଜି ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା କୁନେଇ ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ଜାତୀୟ ରାଜପଥକୁ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଫଳରେ ଉଭୟ ପାର୍ଶ୍ବରେ ଶହ ଶହ ଯାନବାହନ ଅଟକି ରହିଥିଲା । ବୌଦ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରାଯିବ ବୋଲି ପ୍ରତିଶୃତି ଦେବାପରେ ରାସ୍ତା ରୋକ ହଟିଥିବା ସୂଚନା ରହିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.