ETV Bharat / state

ନାହିଁ ନାହିଁରେ ଚାଲିଛି ବୌଦ୍ଧ ଜିଲ୍ଲା ସଂଗ୍ରହାଳୟ, ଅବହେଳିତ ଐତିହ୍ୟ - BOUDH MUSEUM

author img

By ETV Bharat Odisha Team

Published : Apr 18, 2024, 4:57 PM IST

ବୌଦ୍ଧରେ ଅବହେଳିତ ଐତିହ୍ୟ, ଖାଲି ପଡିଛି ଜିଲ୍ଲା ସଂଗ୍ରହାଳୟ
ବୌଦ୍ଧରେ ଅବହେଳିତ ଐତିହ୍ୟ, ଖାଲି ପଡିଛି ଜିଲ୍ଲା ସଂଗ୍ରହାଳୟ

MUSEUM NEGLECTED: ବିଶ୍ବ ଐତିହ୍ୟ ଦିବସରେ ଅବହେଳିତ ବୌଦ୍ଧ ଜିଲ୍ଲାର ଐତିହ୍ୟ । ବିଶ୍ବ ପ୍ରସିଦ୍ଧ ଗନ୍ଧରାଡ଼ି ମନ୍ଦିର ଓ ରାମେଶ୍ବର ମନ୍ଦିର ତ୍ରୟ ଦୀର୍ଘ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ଏକମାତ୍ର ଜିଲ୍ଲା ସଂଗ୍ରହାଳୟ ବର୍ତ୍ତମାନ ଅବହେଳିତ ହୋଇ ରହିଛି । ଅଧିକ ପଢନ୍ତୁ

ବୌଦ୍ଧରେ ଅବହେଳିତ ଐତିହ୍ୟ, ଖାଲି ପଡିଛି ଜିଲ୍ଲା ସଂଗ୍ରହାଳୟ

ବୌଦ୍ଧ: ଅବହେଳିତ ଅବସ୍ଥାରେ ବୌଦ୍ଧ ଜିଲ୍ଲାର ଐତିହ୍ୟ । ବିଶ୍ବ ପ୍ରସିଦ୍ଧ ଗନ୍ଧରାଡ଼ି ମନ୍ଦିର ଓ ରାମେଶ୍ବର ମନ୍ଦିର ତ୍ରୟ ଦୀର୍ଘ ବର୍ଷ ହେଲା ଅବହେଳାର ଶିକାର ହୋଇ ରହିଥିବା ବେଳେ ପଶ୍ଚିମ ଓଡ଼ିଶାର ଏକମାତ୍ର ଜିଲ୍ଲା ସଂଗ୍ରହାଳୟ ବର୍ତ୍ତମାନ ଅବହେଳିତ ହୋଇରହିଛି । କଳା ସଂସ୍କୃତି ଓ ଐତିହ୍ୟର ଅନନ୍ୟ ନିଦର୍ଶନ ତଥା ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ଆଦ୍ୟ ପୀଠ ବର୍ତ୍ତମାନ ବିପଦରେ ରହିଛି ।

ବୌଦ୍ଧ ଜିଲ୍ଲା ନିଜର ଐତିହ୍ୟକୁ ନେଇ ବେଶ ପ୍ରସିଦ୍ଧି ଲାଭ କରିଆସିଛି । ବୌଦ୍ଧ ଜିଲ୍ଲାର କୋଣ ଅନୁକୋଣରେ ଭରପୁର ରହିଛି ପ୍ରାଚୀନ ଐତିହ୍ୟ । ତନ୍ମଧ୍ୟରୁ ଜିଲ୍ଲା ସଦର ମହକୁମା ଠାରେ ଥିବା ରାମେଶ୍ବର ମନ୍ଦିର ତ୍ରୟ ଓ ଗନ୍ଧରାଡ଼ିର ହରିହର ମନ୍ଦିର ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ହୋଇ ରହିଆସିଛି । ଗୋଟିଏ ମଣ୍ଡପ ଉପରେ ଉଭୟ ଶୈବ ଓ ବିଷ୍ଣୁଙ୍କ ଉପାସନା ହେଉ ଅବା ନାରଙ୍ଗୀ ପଥର ଉପରେ ସୁକ୍ଷ୍ମ କାରୁକାର୍ଯ୍ୟ ହେଉ ଯୁଗେ ଯୁଗେ ସମସ୍ତଙ୍କୁ ଆକର୍ଷିତ କରିଆସୁଛି ।

ତେବେ ଦୀର୍ଘ ବର୍ଷ ହେଲା ଜିଲ୍ଲାର ଏହି ପ୍ରାଚୀନ ଐତିହ୍ୟ ଅବହେଳାର ଶିକାର ହୋଇ ଆସୁଛି । ସେପଟେ ଗତ ପ୍ରାୟ ତିନି ବର୍ଷ ତଳେ ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ତତ୍କାଳୀନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଉଦ୍ୟମ କ୍ରମେ ଜିଲ୍ଲାର ଐତିହ୍ୟ, ସଂସ୍କୃତିକୁ ଆଧାର କରି ଜିଲ୍ଲା ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଥିଲା । ପରବର୍ତ୍ତୀ ସମୟରେ ଇଲେଭେନ ଡି, ଆକ୍ବାରିୟମ, ଭୁଲଭୁଲେୟା ଭଳି ବିଭିନ୍ନ ବିଷୟ ସଂଗ୍ରହାଳୟରେ ଯୋଡ଼ି ହୋଇ ଆକର୍ଷଣୀୟ ହୋଇଥିଲା । କିନ୍ତୁ ଗତ କିଛି ମାସ ହେଲା ଏହି ସଂଗ୍ରହାଳୟ ଦର୍ଶକ ଓ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିପାରୁନାହିଁ । ମ୍ୟୁଜିୟମର ଉପରେ ମହଲାରେ ପ୍ରତିଷ୍ଠା କରାଯାଇଥିବା ଇଲେଭେନ ଡି ଓ ଅନ୍ୟାନ୍ୟ ପ୍ରକୋଷ୍ଠ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିରହିଛି । ଏହାଛଡା ଆକ୍ବାରିୟମରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରପାତି ଖରାପ୍ ହେତୁ ସେଠାରେ ଥିବା ଅନେକ ମାଛ ମରିଗଲେଣି ।

ଏହା ମଧ୍ୟ ପଢନ୍ତୁ..... କାଲି ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ: ଅବହେଳିତ ଜନ୍ମମାଟି ତେନ୍ତୁଳିଗୁମ୍ମା, କୋରାପୁଟ ନା ମାଲକାନଗିରିରେ ଅସ୍ପଷ୍ଟ - Tentuligumma Village Neglected

ଦୈନିକ ଅଳ୍ପ ସଂଖ୍ୟକ ଦର୍ଶକ ମ୍ୟୁଜିୟମକୁ ଆସୁଥିବା କାରଣରୁ ଏଠାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଦରମା ମଧ୍ୟ ବାହାରୁ ନାହିଁ । ଏପରିକି ବିଦ୍ୟୁତ ବିଲ୍ ମଧ୍ୟ ପୈଠ ହେବାରେ ସମସ୍ୟା ଦେଖାଯାଇଛି । ଆଜି ବିଶ୍ବ ଐତିହ୍ୟ ଦିବସରେ ମଧ୍ୟ ଅଳ୍ପ ସଂଖ୍ୟକ ଦର୍ଶକ ମ୍ୟୁଜିୟମକୁ ଆସିଥିବାବେଳେ ଏହାକୁ ଆକର୍ଷଣୀୟ ତଥା ଏହାର ପ୍ରଚାର ପ୍ରସାର ଦିଗରେ ଜିଲ୍ଲାର ସଂସ୍କୃତି ବିଭାଗ କିମ୍ବା ପର୍ଯ୍ୟଟନ ବିଭାଗ କୌଣସି ଆନ୍ତରିକତା ପ୍ରଦର୍ଶନ କରୁନାହିଁ । ବୁଦ୍ଧିଜୀବୀ ଏନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ଏନେଇ ରାଜ୍ୟ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.