ETV Bharat / state

କାଲି ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ: ଅବହେଳିତ ଜନ୍ମମାଟି ତେନ୍ତୁଳିଗୁମ୍ମା, କୋରାପୁଟ ନା ମାଲକାନଗିରିରେ ଅସ୍ପଷ୍ଟ - Tentuligumma Village Neglected

author img

By ETV Bharat Odisha Team

Published : Mar 28, 2024, 10:09 PM IST

Tentuligumma Village Neglected : କାଲି ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖ ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ । ହେଲେ ଏବେବି ଅବହେଳିତ ଅବସ୍ଥାରେ ତାଙ୍କ ଜନ୍ମସ୍ଥାନ ଓ ପରିବାର । ଅଧିକ ପଢନ୍ତୁ

Tentuligumma Village Neglected
Tentuligumma Village Neglected

Tentuligumma Village Neglected

କୋରାପୁଟ: କାଲି ଅର୍ଥାତ୍ ମାର୍ଚ୍ଚ ୨୯ ତାରିଖ ଶହୀଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ । ପ୍ରତିବର୍ଷ ଏହି ଦିବସରେ ମାଳ ମାଳ ପ୍ରତିଶ୍ରୁତି ଆସିଲେ ବି ତାହା ପାଣିର ଗାର ସାଜିଥାଏ । ବିକାଶରୁ ଦୂରରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ତେନ୍ତୁଳିଗୁମ୍ମା। ଇତିହାସ ରଚିଥିବା ଏହି ଗାଁ ବିଷୟରେ ପିଲାମାନେ ପାଠ ପଢୁଛନ୍ତି ସତ । ହେଲେ ଏହା କୋରାପୁଟ ଜିଲ୍ଲାରେ ଅଛି ନା ମାଲକାନଗିରି ଜିଲ୍ଲାରେ ତାହା ଅସ୍ପଷ୍ଟ । ଯେଉଁଥିପାଇଁ ଉତ୍ତର ଦେଲାବେଳକୁ ଦ୍ବନ୍ଦ୍ବରେ ପଡିଯାନ୍ତି ଛାତ୍ରଛାତ୍ରୀ । ଗାଁ ଟି କୋରାପୁଟ ଜିଲ୍ଲାରେ ଥିଲେ ମଧ୍ୟ କୋରାପୁଟରୁ ତେନ୍ତୁଳିଗୁମ୍ମା ପହଞ୍ଚିବା ପାଇଁ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି ପାର ହୋଇ ଅନେକ ଅଙ୍କାବଙ୍କା ବାଟ ଦେଇ ଯିବାକୁ ହୋଇଥାଏ । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଦଣ୍ଡାବାଡି ଓ ତେନ୍ତୁଳିଗୁମ୍ମା ମଧ୍ୟରେ ଥିବା ନଦୀ ଏହି ସମସ୍ୟା ସୃଷ୍ଟି କରିଥିବାବେଳେ ତା ଉପରେ ପୋଲ ନିର୍ମାଣ କରିବାର ସେତେଟା ପ୍ରୟାସ କରାଯାଇନଥିବା କୁହାଯାଏ । ଶହୀଦଙ୍କ ଗାଁରେ ଲୋକେ ସାଧାରଣ ଜୀବନ ଜିଇବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଶହୀଦ ଲକ୍ଷ୍ମଣ ନାୟକଙ୍କ ନାତି ମଧୁ ନାୟକ ।

ଗାଁର ବିକାଶ ଦିଗରେ ଅଣଦେଖା କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ । ଏହାସହ ଶହୀଦଙ୍କ ପରିବାରକୁ ଦିଆଯାଉଥିବା ପ୍ରତିଶ୍ରୁତି ରକ୍ଷା ହେଉନଥିବା ମଧୁ ନାୟକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, "ପକ୍କା ଘର , ଜମିକୁ ଜଳ ଯୋଗାଣ ଭଳି ପ୍ରତିଶ୍ରୁତି ପାଣିର ଗାର ସାଜିଛି ।" ଶହୀଦଙ୍କ ଝିଅ ତଥା ମଧୁ ନାୟକଙ୍କ ମା'ଙ୍କ ଦେହାନ୍ତର କିଛି ମାସ ପୂର୍ବରୁ ସ୍ବାଧୀନତା ସଂଗ୍ରାମୀ ପରିବାରକୁ ମିଳୁଥିବା ଭତ୍ତା ମଧ୍ୟ ବ୍ୟାଙ୍କରେ ରହିଯାଇଛି । ହେଲେ ସେଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇନଥିବା କହି ସେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ "ଶହୀଦଙ୍କ ପରିବାର ଓ ଗ୍ରାମ ପ୍ରତି ସରକାର ବିଶେଷ ଦୃଷ୍ଟି ଦେଇ ଶହୀଦଙ୍କ ପ୍ରତି ବାସ୍ତବ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାର ଆବଶ୍ୟକ ରହିଛି" ବୋଲି ବିଶିଷ୍ଟ ସ୍ବେଚ୍ଛାସେବୀ ଶରତ ବୁରୁଦା ଦାବି କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ...ଅବହେଳିତ ଅବସ୍ଥାରେ କନ୍ଧ ସମ୍ପ୍ରଦାୟର ଦୁଇ ପ୍ରାଚୀନ ପୀଠ, ଜୋର ଧରୁଛି ପୁନଃଉତ୍ଥାନ ଦାବି

ସୂଚନା ଅନୁସାରେ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡ଼ିଠାରୁ ତେନ୍ତୁଳିଗୁମ୍ମାକୁ ସଡ଼କ ନିର୍ମାଣ ଓ ନଦୀ ଉପରେ ଅସମ୍ପୂର୍ଣ୍ଣ ପୋଲର ନିର୍ମାଣ କାର୍ଯ୍ୟ ତୁରନ୍ତ ସମ୍ପନ୍ନ କରାଯିବାକୁ ଦାବି କରିଛନ୍ତି ଶହୀଦ ଲକ୍ଷ୍ମଣ ନାୟକଙ୍କ ପରିବାର । ଅପରପକ୍ଷରେ ଯେଉଁ ଥାନା ଆକ୍ରମଣ କରି ଶହୀଦ ଲକ୍ଷ୍ମଣ ନାୟକ ଫାଶୀ ଖୁଣ୍ଟରେ ଝୁଲିଥିଲେ ସେହି ସଂଗ୍ରାମ ସମ୍ପର୍କରେ ମାଥିଲି ଥାନା କିମ୍ବା ଶହୀଦଙ୍କ ଜନ୍ମମାଟି ତେନ୍ତୁଳିଗୁମ୍ମାଠାରେ ବିବରଣୀ ଉପସ୍ଥାପନା କରାଯାଇନାହିଁ । ଏ ସମ୍ପର୍କରେ ଗବେଷକ ଡକ୍ଟର ପରେଶ ରଥ କହିଛନ୍ତି, "ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଶହୀଦଙ୍କ ଜନ୍ମମାଟିରେ ତାଙ୍କ ଜୀବନୀ ଓ ଆଦିବାସୀଙ୍କ ସ୍ବାଧୀନତା ସଂଗ୍ରାମକୁ ନେଇ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରିବାକୁ ଦାବି ହୋଇଛି । ଫଳରେ ଭବିଷ୍ୟତ ପିଢ଼ି ଶହୀଦଙ୍କ ବଳିଦାନକୁ ମନେ ରଖିପାରନ୍ତେ ।"

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.