ETV Bharat / state

ଓଡ଼ିଶାର ମିଛୁଆ ରାଧୁଆଙ୍କୁ ନିର୍ବାଚନରେ ଜବାବ ଦେବେ ଲୋକେ: ବିଜେପି

author img

By ETV Bharat Odisha Team

Published : Feb 17, 2024, 2:01 PM IST

Anil Biswal
'ଓଡିଶାର ମିଛୁଆ ରାଧୁଆଙ୍କୁ ନିର୍ବାଚନରେ ଜବାବ ଦେବେ ଲୋକେ'

BJP slams odisha government: କ୍ୟାବିନେଟ ନିଷ୍ପତ୍ତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । କହିଲେ କ୍ୟାବିନେଟ ଘୋଷଣା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି । ଅଧିକ ପଢନ୍ତୁ

ଭୁବନେଶ୍ୱର: ''ଓଡ଼ିଶାରେ ସରକାରୀ ବିରୋଧୀ ହାଓ୍ୱା ବୋହୁଛି । ତାକୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଯେତେ ପରଦା ଢାଙ୍କିବା ପାଇଁ ଚେଷ୍ଟା କଲେ ବି ଆଉ ସଫଳ ହେବେ ନାହିଁ । ୨୦୨୪ ନିର୍ବାଚନକୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ଡରି ଯାଇଛନ୍ତି । ରାଜ୍ୟ କ୍ୟାବିନେଟରେ ହୋଇଥିବା ଘୋଷଣା ସବୁ ପ୍ରମାଣିତ କରୁଛି । ମିଛୁଆ ରାଧୁଆ ଗପର ରାଧୁଆ ଚରିତ୍ର ଉପରେ ଯେମିତି ଗାଁ ଲୋକଙ୍କ ବିଶ୍ୱାସ ତୁଟି ଯାଇଥିଲା । ସେମିତି ଓଡିଶାର କ୍ୟାବିନେଟ ଘୋଷଣା ଉପରେ ଲୋକଙ୍କ ବିଶ୍ୱାସ ତୁଟିଯାଇଛି ।'' ଏଭଳି ଢଙ୍ଗରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ପ୍ରେସ ରିଲିଜ ଜାରି କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

କ୍ୟାବିନେଟ ନିଷ୍ପତ୍ତିକୁ ନେଇ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ସେ କହିଛନ୍ତି, "ଆଗରୁ ମିଶନ ଶକ୍ତିର ମହିଳାଙ୍କ ପାଇଁ ସରକାର କ୍ୟାବିନେଟରେ ଘୋଷଣା କରିଥିବା ମିଶନ ଶକ୍ତି ସ୍କୁଟି ଯୋଜନା କୁଆଡେ ଗଲା ? ସ୍କୁଟି ଦେବେ ବୋଲି ସରକାର କହିଥିଲେ । କିନ୍ତୁ ତାହା ନଦେଇ ସ୍କୁଟି ବଦଳରେ ଦେଉଛନ୍ତି ମାତ୍ର ୧୦୦୦ ଟଙ୍କା । ଓଡ଼ିଶାର ମାତୃଶକ୍ତିକୁ ଏହି ଧୋକାକୁ ଓଡିଶାର ମହିଳା କେବେ ସହିବେ ନାହିଁ । ନୂଆ-ଓ'ରେ ସରକାର ଛାତ୍ର ବୃତ୍ତି ବାବଦରେ ବର୍ଷକୁ ମାତ୍ର ୯ ହଜାର ଟଙ୍କା ଦେବେ । ସରକାରଙ୍କ ପାଖରେ ବଳକା ୪୦ ହଜାର କୋଟି ଟଙ୍କାର ରାଜସ୍ୱ ରହିଛି । ଛାତ୍ରବୃତ୍ତିରେ କାହିଁକି ସରକାରଙ୍କ ପାଖରେ ଗରିବ ପିଲାଙ୍କୁ ବୃତ୍ତି ଦେବାବେଳକୁ ପଇସା ନାହିଁ ? କାହିଁକି ଏହାକୁ ୨୦ ହଜାର ଟଙ୍କା କରାଗଲା ନାହିଁ ? ତା' ଛଡା କାଳିଆ ବୃତ୍ତି ଯୋଜନାରେ ଯେଉଁମାନେ ବୃତ୍ତି ପାଇଛନ୍ତି ସେମାନଙ୍କୁ କାହିଁକି ନୂଆ-ଓ ଛାତ୍ରଛାତ୍ରୀ ବୃତ୍ତିରୁ ବଞ୍ଚିତ କରାଗଲା ? ଅନେକ ପିଲା ଏବେ ଛାତ୍ରବୃତ୍ତି ପାଇବାରୁ ବଞ୍ଚିତ ହେବେ ।"

ଏହାମଧ୍ୟ ପଢନ୍ତୁ..ରାଜ୍ୟ କ୍ୟାବିନେଟ; 10 ବିଭାଗର 12 ପ୍ରସ୍ତାବକୁ ମୋହର

ସେ ଆଉ ମଧ୍ୟ କହିଛନ୍ତି ଯେ, ୨୪ ବର୍ଷରେ ଓଡ଼ିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଜୀବନ ଓ ଜୀବିକାକୁ ନଷ୍ଟ କରି ବାହାର ରାଜ୍ୟର ଶିଳ୍ପ ଓ ବୟନକୁ ଆଣି ଓଡ଼ିଶାରେ ପ୍ରାଧାନ୍ୟ ଦେଉଥିବା ନବୀନ ସରକାର ଏବେ କେବଳ ଭୋଟ ପାଇଁ ସେମାନଙ୍କ ଶରଣ ପଶିଛନ୍ତି । ୨୪ ବର୍ଷର ବିଜେଡି ସରକାରରେ ଏମିତି ଅନେକ କ୍ୟାବିନେଟ ନିଷ୍ପତ୍ତି ଓଡିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ପାଇଁ ନିଆଯାଇଛି । କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହିଯାଇଛି । ଲୋକଙ୍କ ପାଖରେ ପହଞ୍ଚିନି କି ଓଡ଼ିଶାର ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର ହୋଇପାରିନି । ୨୦୨୪ରେ ଓଡ଼ିଶାରେ ବିଜେପିର ସରକାର ହେବ । ହସ୍ତଶିଳ୍ପ ଓ ବୁଣାକାରଙ୍କ ଦୁଃଖ ଦୂର ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.