ETV Bharat / state

ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଲେ ଉପାସନା, ମହାପ୍ରଭୁଙ୍କ ନେଲେ ଆଶୀର୍ବାଦ - Upasana Mohapatra Puri visit

author img

By ETV Bharat Odisha Team

Published : Mar 25, 2024, 1:24 PM IST

Upasana Mohapatra visits Puri: ନିର୍ବାଚନ ପୂର୍ବରୁ ପୁରୀ ଶ୍ରୀମନ୍ଦିର ଗସ୍ତ କରି ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ ବିଜେପି ନେତ୍ରୀ ଉପାସନା ମହାପାତ୍ର । ଅଧିକ ପଢନ୍ତୁ

Upasana Mohapatra visits Puri
Upasana Mohapatra visits Puri

Upasana Mohapatra visits Puri

ପୁରୀ: ଶ୍ରୀମନ୍ଦିରରେ ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ତଥା ବିଜେପି ନେତ୍ରୀ ଉପାସନା ମହାପାତ୍ର । ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବ୍ରହ୍ମଗିରି ଆସନରେ ନିର୍ବାଚନ ମଇଦାନରେ ଲଢିବା ପାଇଁ ଅଣ୍ଟା ଭିଡ଼ିଲେ ଆଶାୟୀ ପ୍ରାର୍ଥୀ ଉପାସନା ମହାପାତ୍ର । ବ୍ରହ୍ମଗିରିରୁ ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାରେ ଉପାସନା ମହାପାତ୍ରଙ୍କ ନାଁ ରହିଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଉପାସନା ମଧ୍ୟ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ରଙ୍କ ସହ ଉପାସନା ଆସି ପବିତ୍ର ଦୋଳ ପୂର୍ଣ୍ଣିମାରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଅନ୍ୟପଟେ ବିଜେଡିରୁ ଆଶାୟୀ ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ମଧ୍ୟ ନିର୍ବାଚନୀ ପ୍ରଚାର ଆରମ୍ଭ କରିଦେଇଛନ୍ତି ।

ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲେ ଆଶାୟୀ ପ୍ରାର୍ଥୀ ଉପାସନା ମହାପାତ୍ର । ଗତ 2019 ନିର୍ବାଚନରେ ବୟସ ହୋଇ ନଥିବାରୁ ସେ ନିର୍ବାଚନ ଲଢ଼ି ପାରିନଥିଲେ । ହେଲେ ଚଳିତ ନିର୍ବାଚନରେ ସେ ଲଢ଼ିବେ ବୋଲି ସ୍ପଷ୍ଟ କରିସାରିଛନ୍ତି ଏବଂ ପ୍ରସ୍ତୁତି ମଧ୍ୟ ଆରମ୍ଭ କରି ଦେଇଛନ୍ତି । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ପଞ୍ଚାୟତ ବୁଲି ବୁଲି ଲୋକମାନଙ୍କୁ ଭେଟୁଛନ୍ତି ଉପାସନା । ଲୋକମାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ମଧ୍ୟ ବୁଝୁଛନ୍ତି । ଲୁଲୁ ମହାପାତ୍ରଙ୍କ ପ୍ରତି ଲୋକଙ୍କ ଅଜସ୍ର ଭଲ ପାଇବା ଅଛି । ଏଣୁ ଆଗାମୀ ଦିନରେ ବ୍ରହ୍ମଗିରିବାସୀ ତାଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି ବିଜେପି ନେତ୍ରୀ ଉପାସନା ମହାପାତ୍ର । ବ୍ରହ୍ମଗିରିରୁ ବିଜେପି ତାଙ୍କୁ ଟିକେଟ ଦେବ ବୋଲି ଆଶା ରଖିଛନ୍ତି ଉପାସନା ।

ବିଜେପି ନେତ୍ରୀ ଉପାସନା କହିଛନ୍ତି,"ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ଲଢିବା ପ୍ରତ୍ୟେକଙ୍କର ଅଧିକାର । ସମସ୍ତେ ନିଜ ନିଜ ହିସାବରେ ପ୍ରସ୍ତୁତ ହେଉଛନ୍ତି । ସେଥିରେ କିଛି ଟିପ୍ପଣୀ ଦେବି ନାହିଁ । ମୁଁ ଲୋକଙ୍କ ସୁଖ ଦୁଃଖରେ ରହିଛି। ତାଙ୍କ ବାପା ସ୍ବର୍ଗତ ଲୁଲୁ ପଟ୍ଟନାୟକଙ୍କ ଦୃଢ଼ ସଙ୍ଗଠନ ରହିଛି ।" ଏଣୁ ବ୍ରହ୍ମଗିରିରେ ସେ ନିଶ୍ଚିତ ଲୋକଙ୍କ ଆଶୀର୍ବାଦ ପାଇବେ ବୋଲି ଉପାସନା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. ବିଜୁ ଛାତ୍ର ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ, କାଉଣ୍ଟର କଲା ଛାତ୍ର କଂଗ୍ରେସ - Preparatory Meeting Of BCJD

ଅନ୍ୟପଟେ ବିଜେଡିରୁ ବ୍ରହ୍ମଗିରି ଆସନରେ ଉମାକାନ୍ତ ସାମନ୍ତରାୟ ପ୍ରାର୍ଥୀ ହେବା ନେଇ ଦଳ ଗ୍ରୀନ ସିଗ୍ନାଲ ଦେଲା ପରେ ଉମା ବ୍ରହ୍ମଗିରି ଯାଇ ରୋଡ ଶୋ କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ରବିବାର ଦିନ ବ୍ରହ୍ମଗିରି ବଜାରରେ ଏକ ବିଶାଳ ଶୋଭାଯାତ୍ରା କରିଥଲେ ଉମା । ଯେଉଁ ଥିରେ ଶହ ଶହ ବିଜେଡି କର୍ମୀ ସାମିଲ ହେଇଥିଲେ । ପରେ ସେ ବ୍ରହ୍ମଗିରିର ଆରାଧ୍ୟ ଦେବତା ପ୍ରଭୁ ଅଲାରନାଥଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ ।

ଉମା କହିଛନ୍ତି,"ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଆମ ନେତା, ସେ ଯାହା ନିଷ୍ପତ୍ତି ନେବେ ମୁଁ ମାନିବି । ନବୀନ ପଟ୍ଟନାୟକ ହେଉଛନ୍ତି ବିକାଶ ପୁରୁଷ । ତାଙ୍କ ନେତୃତ୍ଵ ଯୋଗୁ ଓଡ଼ିଶା ଆଜି ଦେଶରେ ଏକ ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି । ଓଡ଼ିଶାରେ ବ୍ୟାପକ ବିକାଶ ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର, ସାକ୍ଷୀଗୋପାଳ ମନ୍ଦିର, ବ୍ରହ୍ମଗିରି ଅଲାରନାଥ ମନ୍ଦିରର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ବହୁ ପଦକ୍ଷେପ ନେଇଛନ୍ତି । ବ୍ରହ୍ମଗିରିବାସୀ ମୋ ଉପରେ ବିଶ୍ୱାସ ରଖି ମତେ ଆଶୀର୍ବାଦ ପ୍ରଦାନ କରନ୍ତୁ । ମୁଁ ନିଶ୍ଚିତ ବ୍ରହ୍ମଗିରିରେ ଆହୁରୀ ବିକାଶ କରିବି ।

ସେ ଆଉ ମଧ୍ୟ କହିଛନ୍ତି ଯେ, ସେ ତୃଣମୂଳସ୍ତରରୁ ଲଢେଇ କରି ନେତା ହୋଇଛନ୍ତି । ସେ କାହାକୁ ଭୟ କରନ୍ତି ନାହିଁ । ଲୋକ ସେବା ହିଁ ତାଙ୍କର ମୂଳ ଲକ୍ଷ୍ୟ । ଏଣୁ ବ୍ରହ୍ମଗିରି ବାସୀ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କଙ୍କ ପ୍ରତି ବିପୁଳ ସମର୍ଥନ ଦେଇ ବିଜେଡିକୁ ଜିତାଇବେ ବୋଲି ଉମା ଆଶା ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.