ETV Bharat / state

ବିଜୁ ଛାତ୍ର ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ, କାଉଣ୍ଟର କଲା ଛାତ୍ର କଂଗ୍ରେସ - Preparatory Meeting Of BCJD

author img

By ETV Bharat Odisha Team

Published : Mar 25, 2024, 10:16 AM IST

Preparatory Meeting Of BCJD: ବିଜୁ ଛାତ୍ର ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନିର୍ବାଚନ ପାଇଁ ଛାତ୍ରଙ୍କୁ ଗୁରୁ ଦାୟିତ୍ୱ ଦେବା ନେଇ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

BCJD Meeting
BCJD Meeting

BCJD Meeting

ଭୁବନେଶ୍ବର: ବିଜୁ ଛାତ୍ର ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ହୋଇଛି ବୈଠକ । ରାଜନୀତିରେ ଛାତ୍ରମାନେ ନିର୍ଣ୍ଣାୟକ ଦାୟିତ୍ୱ ତୁଲାଉଥିବାବେଳେ ଛାତ୍ର ବିଜେଡ଼ିକୁ ନିର୍ବାଚନ ପାଇଁ ଗୁରୁ ଦାୟିତ୍ୱ ଦେବା ନେଇ ଆଲୋଚନା ହୋଇଛି । ଏହି ବୈଠକରେ ରାଜ୍ୟର ସବୁ ଜିଲ୍ଲାର ଛାତ୍ର ବିଜେଡି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପଦାଧିକାରୀ ଛାତ୍ର ନେତାମାନେ ଯୋଗ ଦେଇଥିଲେ । ଛାତ୍ର ନେତୃତ୍ୱକୁ ଗୁରୁତ୍ୱ ଦେଇ ଏହି ବୈଠକ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରିବା ପାଇଁ ସଂଗଠନ ସମ୍ପାଦକ ଛାତ୍ର ନେତାଙ୍କୁ ପରାମର୍ଶ ଦେଇଥିଲେ ।

ବିକାଶର ଧାରାକୁ ନେଇ ବିଜେଡି ଯେଉଁ ଯୋଜନା ସବୁ କରିଛି ତାହାକୁ ତୃଣ ମୂଳସ୍ତରରେ ପହଞ୍ଚାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ବିଶେଷ ଭାବେ ନୂଆ ଭୋଟରଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରିବା ଲାଗି ଷ୍ଟ୍ରାଟେଜି ହୋଇଛି । ତେଣୁ ୭ ଲକ୍ଷ ନୂଆ ଭୋଟରଙ୍କ ଉପରେ ବିଜେଡିର ନଜର ରହିଥିବାବେଳେ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ନୂଆ ଭୋଟରଙ୍କୁ ଅନୁପ୍ରାଣିତ କରିବାକୁ ପରାମର୍ଶ ଦେଇଛି ଦଳ । ସେହିପରି ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଯେଉଁ ରୂପାନ୍ତରଣ କାର୍ଯ୍ୟ ହୋଇଛି ତାହାକୁ ଯୁବ ବର୍ଗଙ୍କ ପାଖରେ ପହଞ୍ଚାଇବାକୁ କୁହାଯାଇଛି । 'ନୂଆ ଓ' ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରକୁ ନେବା ସହ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଛି ।

ସେହିପରି ପୁଞ୍ଜିନିବେଶକୁ ନେଇ ରାଜ୍ୟରେ ଯେଉଁ ନିଯୁକ୍ତି ସୃଷ୍ଟି ହୋଇଛି ତାହାର ସଫଳତା ମଧ୍ୟ ଯୁବବର୍ଗଙ୍କ ପାଖରେ ପହଞ୍ଚାଇବାକୁ ପରାମର୍ଶ ଦିଆଯାଇଛି । ବିଶେଷ କରି ତୃଣମୂଳ ସ୍ତରରେ ଯାଇ ସିଧାସଳଖ ଲୋକଙ୍କ ସହ ବା ଯୁବବର୍ଗଙ୍କ ସହ ମିଶି ଲୋକଙ୍କ ସମସ୍ୟାକୁ ବୁଝି କାର୍ଯ୍ୟ କରିବାକୁ ସାଂଗଠନିକ ସମ୍ପାଦକ ପରାମର୍ଶ ଦେଇଛନ୍ତି । ସେହିପରି ସୋସିଆଲ ମିଡ଼ିଆ ବର୍ତ୍ତମାନ ନିର୍ବାଚନୀ ପ୍ରଚାରରେ ନିର୍ଣ୍ଣାୟକ ଭୂମିକା ନେଇଥିବାବେଳେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ହୋଇ ନିର୍ବାଚନ ପ୍ରଚାରକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।"୨୦୩୬ ସୁଦ୍ଧା ସଶକ୍ତ, ସମୃଦ୍ଧ ଓ ନବୀନ ଓଡ଼ିଶା ଗଠନ ହେବ" ବୋଲି କହିଛନ୍ତି ଛାତ୍ର ବିଜୁ ଜନତା ଦଳର ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ।

ଏହା ବି ପଢନ୍ତୁ...ଏଥର ଛାତ୍ରଛାତ୍ରୀ ହିଁ ଆଣିବେ ପରିବର୍ତ୍ତନ: କଂଗ୍ରେସ

ସେପଟେ ବିଜେଡିର ଏହି ବୈଠକକୁ କାଉଣ୍ଟର କରି ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ କହିଛନ୍ତି, "ବିଜେଡି ଯେତେ ବୈଠକ କଲେ ବି କୌଣସି ପ୍ରଭାବ ପଡ଼ିବନାହିଁ । ଛାତ୍ର ନେତା କଂଗ୍ରେସ ପ୍ରତି ଆକୃଷ୍ଟ ଅଛନ୍ତି । ସବୁ ଯୁବ ଛାତ୍ର ଜାଣିସାରିଛନ୍ତି ବିଜେଡି ସରକାର କ'ଣ କରିଛି । ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ପରେ ଯୁବ ଭୋଟର ଉତ୍ସାହିତ । ଛାତ୍ରଙ୍କୁ ତାଙ୍କ ଅଧିକାର ଦେବାରେ ବିଜେଡ଼ି ସରକାର ବିଫଳ। ଆଗକୁ ଘର ଘର ବୁଲି ସରକାରଙ୍କ ବିଫଳତା ନେଇ ଛାତ୍ର କଂଗ୍ରେସ ଭୋଟରଙ୍କୁ ବୁଝାଇବ । ସୋସିଆଲ ମିଡିଆରେ ମଧ୍ୟ ଛାତ୍ର କଂଗ୍ରେସ ସମ୍ପୂର୍ଣ୍ଣ ସକ୍ରିୟ ଅଛି । ବିଜେଡି ପରି ଅସତ୍ୟ ଓ ମିଛ ପ୍ରଚାର କରୁନାହିଁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.