ETV Bharat / state

ପରୀ ହତ୍ୟା ମାମଲାରେ ହୀନ ରାଜନୀତି କରିଥିଲେ କେନ୍ଦ୍ରମନ୍ତ୍ରୀ: ବିଜେଡି

author img

By ETV Bharat Odisha Team

Published : Feb 6, 2024, 11:05 PM IST

ପରୀ ହତ୍ୟା ମାମଲା
ପରୀ ହତ୍ୟା ମାମଲା

BJD Targets BJP: ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାର ରାୟ ଆସିଛି । ପରୀକୁ ନ୍ୟାୟ ମିଳିଥିବା ବେଳେ ଏହି ମାମଲାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଅଧିକ ପଢ଼ନ୍ତୁ

ପରୀ ହତ୍ୟା ମାମଲାରେ ହୀନ ରାଜନୀତି କରିଥିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ବହୁଚର୍ଚ୍ଚିତ ନାବାଳିକା ପରୀ ହତ୍ୟା ମାମଲାର ରାୟ ଆସିଛି । ଦୀର୍ଘ 4ବର୍ଷ ପରେ ପରୀକୁ ନ୍ୟାୟ ମିଳିଛି । ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ନୟାଗଡ଼ ସ୍ପେଶାଲ ଚିଲଡ୍ରେନ କୋର୍ଟ । ଗୋଟେ ପଟେ ପରୀକୁ ନ୍ୟାୟ ମିଳିଥିବା ବେଳେ ଅନ୍ୟ ପଟେ ଏହି ମାମଲାକୁ ନେଇ ବିଜେପି ଉପରେ ବର୍ଷିଛି ବିଜେଡି । ଏକ ସମ୍ବାଦିକ ସମ୍ମିଳନୀ କରି ପରୀ ହତ୍ୟାକୁ ନେଇ ବିଜେପି ହୀନ ରାଜନୀତି କରିଥିବା କହିଛନ୍ତି ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ।

ବିଜୁ ଜନତା ଦଳ ମହିଳା ଶାଖା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି, "ନାବାଳିକା ପରୀ ନିଖୋଜ ଓ ହତ୍ୟା ଘଟଣା ଅତ୍ୟନ୍ତ ଦୁଃଖଦ ଥିଲା । ଯାହା ସମସ୍ତଙ୍କୁ ମର୍ମାହତ କରିଥିଲା । ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଥିବା ଯୋଗୁଁ ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାର ଏସଆଇଟି ଗଠନ କରିଥିଲେ । ତଦନ୍ତକୁ ତଦାରଖ କରିବା ପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରିଥିଲେ । ନିୟମିତ ବ୍ୟବଧାନରେ ତଦନ୍ତର ଅଗ୍ରଗତି ନେଇ ଏସଆଇଟି ଷ୍ଟାଟସ୍ ରିପୋର୍ଟ ଦାଖଲ କରୁଥିଲା । ଏସଆଇଟି ବହୁ ପରିଶ୍ରମ କରି ପ୍ରକୃତ ଅପରାଧୀକୁ ଚିହ୍ନଟ କରିବା ସହ ତଥ୍ୟ ପ୍ରମାଣ ଜୁଟାଇଥିଲା । ଯାହା ଫଳରେ ଆଜି ଅପରାଧୀକୁ ୨୦ ବର୍ଷ ଦଣ୍ଡ ବିଧାନ ହୋଇଛି । ପରୀକୁ ନ୍ୟାୟ ମିଳିଛି । ଏହି ଐତିହାସିକ ରାୟ ଆସିବା ପରେ ରାଜ୍ୟ ବିଜେପି ନେତାଙ୍କର ଅସଲ ମୁଖା ଖୋଲିଯାଇଛି ।"

ସେ ଆହୁରି ମଧ୍ୟ କହିଛନ୍ତି, "ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ଓଡିଶାରେ ବିଜେପିର କିଛି ନେତା ପରୀ ନିଖୋଜ ଓ ହତ୍ୟା ମାମଲାର ରାଜନୀତିକରଣ କରିଥିଲେ । ତଦନ୍ତକୁ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ । ଏହା ଓଡିଶାବାସୀଙ୍କୁ ଶକ୍ତ ଆଘାତ ଓ ଦୁଃଖ ଲାଗିଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ବାରମ୍ବାର ପ୍ରସଙ୍ଗର ରାଜନୀତିକରଣ କରି ମାମଲାକୁ ବିଳମ୍ବିତ ଓ ଦିଗହରା କରିବାକୁ ଅପଚେଷ୍ଟା କରିଥିଲେ । ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଉଦ୍ୟମ କରି ଝଟକା ପାଇଥିଲେ । ଦେଶର ନାମୀଦାମୀ ଓକିଲଙ୍କୁ ମାମଲା ଲଢିବାକୁ କୋର୍ଟରେ ଠିଆ କରାଇଥିଲେ । ପାଞ୍ଚ ବର୍ଷର ଜଣେ କୋମଳମତି ନୀରିହ ଶିଶୁର ହତ୍ୟା ଘଟିଥିଲା । ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏହିଭଳି ମାମଲାରେ ଜଣେ ବ୍ୟକ୍ତି କିଭଳି ରାଜନୀତି କରିପାରିବ, ତାହା ହିଁ ଓଡିଶାବାସୀଙ୍କୁ ଆଚମ୍ବିତ କରିଥିଲା ।"

ଏହା ମଧ୍ୟ ପଢ଼ନ୍ତୁ....ପରୀ ହତ୍ୟା ମାମଲାରେ ରାୟ, ଦୋଷୀକୁ ୨୦ ବର୍ଷ ଜେଲ୍‌

"କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡିଶା ବିଜେପିର ତାଙ୍କର ଅନୁଗତମାନେ ଓଡିଶାବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରନ୍ତୁ । ଏଭଳି ସ୍ପର୍ଶକାତର ମାମଲାରେ ସର୍ବଦା ଓଡିଶା ବିଜେପି ରାଜନୀତି ହିଁ କରେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଅନୁଗତ ଗୋଷ୍ଠୀ ଓଡିଶାକୁ ବଦନାମ କରିବାକୁ ବାରମ୍ବାର ଅପଚେଷ୍ଟା କଲେ । କିଡନୀ ଏବଂ ଅନ୍ୟ ଅଙ୍ଗ ପ୍ରତ୍ୟଙ୍ଗ ବିକ୍ରି ପାଇଁ ଚକ୍ରାନ୍ତ କରାଯାଇଥିବା ଭଳି ଡାହା ମିଛ ମାନ କହିଥିଲେ । ଅଭିଯୁକ୍ତକୁ କିଭଳି ଜାମିନ ମିଳିବ ସେନେଇ ବହୁ ଚେଷ୍ଟା କରିଥିଲେ ଏହି ଗୋଷ୍ଠୀ । ଯାହା ହାଇକୋର୍ଟରେ ପ୍ରତ୍ୟାଖିତ ହୋଇଥିଲା । ଜଣେ ନାବାଳିକା ସହ ହୋଇଥିବା ଅତ୍ୟାଚାର ପ୍ରସଙ୍ଗରେ ଏଭଳି ହୀନ ରାଜନୀତି କରିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଅନୁଗତ ଗୋଷ୍ଠୀଙ୍କୁ ଲଜ୍ଜା ଲାଗିବା ଦରକାର । ସମ୍ବେଦନଶୀଳ ପ୍ରସଙ୍ଗରେ ହୀନ ରାଜନୀତି କରୁଥିବା ଏହି ଗୋଷ୍ଠୀଙ୍କ ଅନ୍ତରାତ୍ମା ଏଭଳି କାର୍ଯ୍ୟ କରିବାକୁ କ’ଣ ବାଧା ଦେଉନି ? ପରୀକୁ ଆଜି ନ୍ୟାୟ ମିଳିଛି, ତାର ଆତ୍ମା ଶାନ୍ତି ପାଉ । ମହାପ୍ରଭୁ ତାକୁ ନିଜ ପାଦପଦ୍ମରେ ସ୍ଥାନ ଦିଅନ୍ତୁ ।" ତେବେ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେଡିର ଅନ୍ୟତମ ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.