ETV Bharat / state

ପ୍ରସନ୍ନଙ୍କ ପାଇଁ କଣ୍ଟକିତ ସମ୍ବଲପୁର ଆସନ, ରୋହିତଙ୍କ ପାଇଁ ସୁଗମ ରେଢ଼ାଖୋଲ ! - Sambalpur Assembly Constituency

author img

By ETV Bharat Odisha Team

Published : Apr 12, 2024, 8:35 PM IST

ପ୍ରସନ୍ନଙ୍କ ପାଇଁ କଣ୍ଟକିତ ସମ୍ବଲପୁର ଆସନ
ପ୍ରସନ୍ନଙ୍କ ପାଇଁ କଣ୍ଟକିତ ସମ୍ବଲପୁର ଆସନ

Sambalpur Assembly Constituency: ଚର୍ଚ୍ଚାରେ ସମ୍ବଲପୁର ବିଧାନସଭା ଆସନ । ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ସାମ୍ନା କରିବାକୁ ପଡ଼ପାରେ ବଡ ଚ୍ୟାଲେଞ୍ଜ । ଅଧିକ ପଢ଼ନ୍ତୁ

ପ୍ରସନ୍ନଙ୍କ ପାଇଁ କଣ୍ଟକିତ ସମ୍ବଲପୁର ଆସନ

ସମ୍ବଲପୁର: ଦୀର୍ଘ ଦିନରେ ଅପେକ୍ଷା ପରେ ସମ୍ବଲପୁର ବିଧାନସଭା ଓ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଛି । ସମ୍ବଲପୁରରେ ଭେଟେରାନ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଟିକେଟ ମିଳିଥିବା ବେଳେ ରେଢ଼ାଖୋଲରେ ପୁଣି ପ୍ରାର୍ଥୀ ହୋଇଛନ୍ତି ରୋହିତ ପୂଜାରୀ । ତେବେ ଏହି ସମୀକରଣ ଭିତରେ ରୋହିତ ବହୁତ ଖୁସି ଥିବା ବେଳେ ପ୍ରସନ୍ନ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି । ସମ୍ବଲପୁରରେ ବିଜେପିର ଜୟ ନାରାୟଣ ମିଶ୍ରଙ୍କ ପରି ଟାଣୁଆ ନେତା ଥିବା ବେଳେ ସମ୍ବଲପୁର ବିଜେଡିରେ ରାସେଶ୍ୱରୀ ପାଣିଗ୍ରାହୀ, ସିଦ୍ଧାର୍ଥ ଦାସ ପରି ଅନେକ ଆଶାୟୀଙ୍କ ଅସନ୍ତୋଷ ପ୍ରସନ୍ନଙ୍କ ରାସ୍ତାକୁ କଣ୍ଟକିତ କରିପାରେ ବୋଲି ଚର୍ଚ୍ଚା । ଅନ୍ୟପଟେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ଏବେ ପ୍ରସନ୍ନଙ୍କ ପ୍ରାର୍ଥୀତ୍ବ ପ୍ରତି ତାଙ୍କର ଅସନ୍ତୋଷ ଯୋଗୁଁ ହୋଇଥାଇ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସମ୍ବଲପୁର ଜିଲ୍ଲାରର ରେଢ଼ାଖୋଲ ସିଟ ପାଇଁ ରୋହିତ ପୂଜାରୀ ପୁଣିଥରେ ଟିକେଟ ପାଇଛନ୍ତି । ଲଗାତାର ଭାବେ ତୃତୀୟ ଥର ପାଇଁ ସେ ରେଢ଼ାଖୋଲରୁ ବିଜେଡି ଟିକେଟ ପାଇଛନ୍ତି । 2014, 2019 ରେ ବିଜେଡି ଟିକେଟରୁ ବିଜୟୀ ହୋଇଥିବା ବେଳେ ରେଢ଼ାଖୋଲରେ ତାଙ୍କର ଭଲ ସଂଗଠନ ଥିବାରୁ ଏଥର ମଧ୍ୟ ସେ ବିଜୟୀ ହେବେ ବୋଲି ରାଜନୀତି ବିଶ୍ଳେଷକ ମତ ରଖୁଛନ୍ତି । କିଛି ଦିନ ପୂର୍ବରୁ ରୋହିତଙ୍କୁ ସମ୍ବଲପୁର ବିଧାନସଭା ସିଟ ଅଥବା ଲୋକସଭା ସିଟରୁ ପ୍ରାର୍ଥୀ ହେବାକୁ ଦଳ ସୁପ୍ରିମୋଙ୍କ ନିର୍ଦ୍ଦେଶ ଥିବା ଚର୍ଚ୍ଚା ହେଉଥିବା ବେଳେ ରୋହିତ କିନ୍ତୁ ରେଢ଼ାଖୋଲରୁ ଇଚ୍ଛୁକ ଥିଲେ ମଧ୍ୟ ଚୁପ ଥିଲେ । ତେବେ ବର୍ତ୍ତମାନର ସମୀକରଣରେ ସେ ରେଢ଼ାଖୋଲରୁ ଟିକେଟ ପାଇବା ପରେ ବହୁତ ଖୁସି ଥିବାର ଚର୍ଚ୍ଚା ହେଉଛି ଓ ଆଗାମୀ ନିର୍ବାଚନରେ ବିଜୟ ପଥ ରୋହିତଙ୍କ ପାଇଁ ସୁଗମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ସମ୍ବଲପୁର ସିଟ ପ୍ରସନ୍ନଙ୍କ ପାଇଁ ଚିନ୍ତା ବଢ଼େଇ ଦେଇଛି । ମୁଖ୍ୟତଃ ସମ୍ବଲପୁର ଆସନ ବିଜେପିର ଗଡ଼ ହୋଇଥିବା ବେଳେ ଏଠାରେ RSS ର ଭଲ ପକଡ଼ ରହିଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ଲୋକସଭା ପ୍ରାର୍ଥୀ ହୋଇଥିବା ବେଳେ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର ବିଜେପିର ବିଧାୟକ ପ୍ରାର୍ଥୀ ଅଛନ୍ତି । ଏହି ସ୍ଥିତିରେ ସମ୍ବଲପୁରରେ ପ୍ରସନ୍ନଙ୍କ ପାଇଁ ନିର୍ବାଚନ ବହୁ କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି । କାରଣ ପ୍ରସନ୍ନଙ୍କ ପାଇଁ ସମସ୍ୟା ବଢ଼ାଉଛି ବିଜେଡିର ଅନ୍ତର୍ଦ୍ବନ୍ଦ । ଗୋଟିଏ ପଟେ ଜୟ ନାରାୟଣ ମିଶ୍ର ତାଙ୍କୁ ବାହାରିଆ ନେତା କହି ସମ୍ବଲପୁରୀ ଅସ୍ମିତାର କାର୍ଡ ଖେଳିଥିବା ବେଳେ ଏହା ପ୍ରସନ୍ନଙ୍କୁ ଅଡୁଆରେ ପକେଇ ପାରେ । ଅନ୍ୟପଟେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସଙ୍କ ଏକ ସୋସିଆଲ ମିଡ଼ିଆ ପୋଷ୍ଟ ପ୍ରସନ୍ନଙ୍କ ପ୍ରାର୍ଥୀତ୍ବ ପ୍ରତି ଥିବା ତାଙ୍କ ଅସନ୍ତୋଷ ଯୋଗୁଁ ହୋଇଥାଇ ପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି l ସିଦ୍ଧାର୍ଥ ଦାସ ପୋଷ୍ଟ କରି ଲେଖିଛନ୍ତି "ଘରର କୁକୁଡ଼ା ତୁନ ପାଏନଚିଆ ଡାଏଲ ଲେଖେର !!! ପରର ମାଖନ ତୁନ ସୁଆଦ!!! ଜୟ ମା ସମଲେଇ ।"



ଏହା ମଧ୍ୟ ପଢ଼ନ୍ତୁ...ବିଜେଡି ନାଁରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ସମ୍ବଲପୁର ବିଜେପି - ELection Code Of Conduct Violation

ତେବେ ବିଜେପି ପ୍ରାର୍ଥୀ ଜୟ ନାରାୟଣ ମିଶ୍ର ଆଜି କହିଛନ୍ତି, "କିଛି ଗୋଟେ ଆଲୋଚନା ହୋଇକି ପ୍ରସନ୍ନଙ୍କୁ ସମ୍ବଲପୁରରୁ ପ୍ରାର୍ଥୀ କରାଯାଇଥିବ, ଏବେ କିନ୍ତୁ ସେ ଡରିଗଲେ । ଯଦି ତାଙ୍କର ସତ୍‌ ସାହସ ଅଛି ତାହେଲେ ସେ ସମ୍ବଲପୁରରୁ ଲଢିକି ଦେଖନ୍ତୁ । ସେ ଏହି ଚେଲେଞ୍ଜକୁ ଗ୍ରହଣ କରିବା ଉଚିତ ।"

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.