ETV Bharat / state

ସମର ପୂର୍ବରୁ ମହାପ୍ରଭୁଙ୍କ ଶରଣରେ ମାଳ ମାଳ ବିଜେଡି ନେତା - BJD Leaders At Jagannath Temple

author img

By ETV Bharat Odisha Team

Published : Mar 29, 2024, 7:58 AM IST

Updated : Mar 29, 2024, 9:21 AM IST

BJD candidates
BJD candidates

BJD leaders Visits Srimandir: ପ୍ରାର୍ଥୀ ଘୋଷଣା ପରେ ମହାପ୍ରଭୁଙ୍କ ଶରଣରେ ବିଜେଡି ନେତା । ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପୂର୍ବରୁ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି । ଅଧିକ ପଢନ୍ତୁ

ମହାପ୍ରଭୁଙ୍କ ଶରଣ ମାଳ ମାଳ ବିଜେଡି ନେତା

ପୁରୀ: ନିର୍ବାଚନୀ ମଇଦାନକୁ ଓହ୍ଲାଇବା ପୂର୍ବରୁ ଏବେ ଭଗବାନଙ୍କ ଶରଣରେ ବିଜେଡି ନେତା । ବିଜେଡିର ଲୋକସଭା ଓ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ପରେ ଜଣଙ୍କ ପରେ ଜଣେ ନେତା ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଏବଂ ଧାମନଗର ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ଗୁରୁବାର ସନ୍ଧ୍ୟାରେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି ।

ବିଜୁ ଜନତା ଦଳ ପ୍ରତ୍ୟେକ କାର୍ଯ୍ୟରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥାଏ । ମହାପ୍ରଭୁଙ୍କ ଆଶୀର୍ବାଦ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଯୋଗୁ ଦୀର୍ଘ ୨୪ ବର୍ଷ ହେବ ଓଡ଼ିଶାରେ ବିଜେଡି ଶାସନ କରିଆସୁଛି । ତେବେ ଆଗାମୀ ନିର୍ବାଚନରେ ମଧ୍ୟ ମହାପ୍ରଭୁଙ୍କ ଆଶୀର୍ବାଦରେ ବିଜେଡି ବିପୁଳ ବିଜୟ ହାସଲ କରି ନବୀନ ପଟ୍ଟନାୟକ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେଡି ନେତା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ସତ୍ୟବାଦୀରୁ ଲଢିବେ ସଞ୍ଜୟ, ମହାପ୍ରଭୁଙ୍କ ନେଲେ ଆଶିଷ - Sanjaya Dasverma visits Srimandir

ସେପଟେ ବିଜେପିର ଲୋକସଭା ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେଡ଼ି ଦୁର୍ବଳ ପ୍ରାର୍ଥୀ ଦେଇଥିବା ବିଜେପି ନେତା ପ୍ରଶାନ୍ତ ଜଗଦେବ କହିଥିବା ବେଳେ ଏହାକୁ ଖଣ୍ଡନ କରିଥିଲେ ବିଧାୟକ ବ୍ୟୋମକେଶ ରାୟ ଏବଂ ଦେବୀ ରଞ୍ଜନ ତ୍ରିପାଠୀ । ବ୍ୟୋମକେଶ ରାୟ କହିଛନ୍ତି, ''ବିଜେପି ନେତା ଯେଭଳି ବିଭ୍ରାନ୍ତି ମୂଳକ ମନ୍ତବ୍ୟ ଗଣମାଧ୍ୟମରେ ଦେଉଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ଓଡ଼ିଶାବାସୀ ଏହାକୁ କେବେ ବି ବିଶ୍ବାସ କରିବେ ନାହିଁ । ଆଗାମୀ ନିର୍ବାଚନରେ ବିଜେପି କେବେ ବି ଓଡିଶାରେ ଜିତି ପାରିବ ନାହିଁ । ''

ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି, ''ଓଡ଼ିଶାର ଉନ୍ନତି ଓ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟ କରୁଛନ୍ତି । ସେ କେବେ ଏଭଳି ପଦକ୍ଷେପ ନେବେ ନାହିଁ । ବିଜେପି ନେତା ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ବିଭ୍ରାନ୍ତି ମୂଳକ । ବିଜେପିର ଏହି ଚାଲ୍ ଓଡ଼ିଶାବାସୀ ବୁଝି ସାରିଥିବା ବେଳେ ନିର୍ବାଚନରେ ଓଡିଶା ବାସୀ ଉପଯୁକ୍ତ ଜବାବ ଦେବେ । ଆଗାମୀ ନିର୍ବାଚନରେ ପୁନର୍ବାର ବିଜେଡି ଉଭୟ ଲୋକସଭା ଏବଂ ବିଧାନସଭାରେ ରେକର୍ଡ଼ ସଂଖ୍ୟକ ବିଜୟ ହାସଲ କରି ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ନେତୃତ୍ବ ନେବେ ।''

ଗୁରୁବାର ପୁରୀ କଂଗ୍ରେସର ବସିଥିବା ଗୁପ୍ତ ବୈଠକରେ ଆଗାମୀ ନିର୍ବାଚନରେ ପ୍ରାର୍ଥୀତ୍ବକୁ ନେଇ ଆଲୋଚନା ହୋଇଥିଲା । ଖୁବଶୀଘ୍ର ସବୁକିଛି ଚୂଡାନ୍ତ କରାଯାଇ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ପୁରୀର ଯୁବ କଂଗ୍ରେସ ନେତା ସୁଜିତ ମହାପାତ୍ର କହିଛନ୍ତି । ବିଜେଡି ସରକାରର ଦୁର୍ନୀତି, ଜନ ବିରୋଧି ନୀତି , ନାରୀ ନିର୍ଯାତନା, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ମୁଦା ନେଇ ବିଜେଡି ବିରୋଧରେ କଂଗ୍ରେସ ଲଢେ଼ଇ କରିବ ବୋଲି ଯୁବ କଂଗ୍ରେସ ନେତା ସୁଜିତ୍ ମହାପାତ୍ର କହିଛନ୍ତି।


ଇଟିଭି ଭାରତ, ପୁରୀ

Last Updated :Mar 29, 2024, 9:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.