ETV Bharat / state

ବସ୍ତି ଉଚ୍ଛେଦକୁ ନେଇ ତେଜିଲା ରାଜନୀତି, ବିଜେଡି-କଂଗ୍ରେସ ମୁହାଁମୁହିଁ

author img

By ETV Bharat Odisha Team

Published : Mar 5, 2024, 10:59 AM IST

Slum Eviction In Balangir
Slum Eviction In Balangir

Slum Eviction In Balangir: ବଲାଙ୍ଗୀରରେ ବସ୍ତି ଉଚ୍ଛେଦକୁ ନେଇ ଜୋର ଧରିଛି ରାଜନୀତି । ମୁହାଁମୁହିଁ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ଶାସକ ବିଜେଡି । ଅଧିକ ପଢନ୍ତୁ

Slum Eviction In Balangir

ବଲାଙ୍ଗୀର: ପାଖେଇ ଆସୁଛି ନିର୍ବାଚନ । ବିଜେପି କେନ୍ଦ୍ର ସରକାରଙ୍କ ସଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଥିବାବେଳେ ରାଜ୍ୟରେ ଶାସକ ବିଜେଡି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ଏହାରି ମଧ୍ୟରେ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ଶାସକ ବିଜେଡି ଦଳ ଏହାକୁ ନେଇ ପରସ୍ପର ଉପରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି । ବସ୍ତି ଉଚ୍ଛେଦ ପ୍ରସଙ୍ଗକୁ ନେଇ କଂଗ୍ରେସ ସମସ୍ତ ଜବରଦଖଲକାରୀଙ୍କୁ ପଟ୍ଟା ଦେବା ନେଇ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ବିଜେଡି ଉଚ୍ଛେଦ ପାଇଁ କଂଗ୍ରେସକୁ କରିଛି ଦାୟୀ ।

ନିର୍ବାଚନ ପାଖେଇ ଆସୁଥିବାରୁ ବଲାଙ୍ଗୀରରେ ସରକାରୀ ଜମି ଦଖଲ କରି ରହି ଆସୁଥିବା ବସ୍ତିକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି । ବିଶେଷ କରି ବିକାଶ ନାଁରେ ବସ୍ତି ଉଚ୍ଛେଦ ଏଠିକାର ମୁଖ୍ୟ ପ୍ରସଙ୍ଗ ଭାବରେ ଏବେ ସାମ୍ନାକୁ ଆସିଛି । ଏନେଇ ଉଭୟ କଂଗ୍ରେସ ଓ ବିଜେଡି ଦଳର ନେତା ମୁହାଁମୁହିଁ ହୋଇଛନ୍ତି । ପୂର୍ବରୁ ବସ୍ତି ଉଚ୍ଛେଦରେ ଚୁପ ଥିବା ବଲାଙ୍ଗୀର କଂଗ୍ରେସ ଏବେ ଏହାକୁ ନେଇ ଆରମ୍ଭ କରିଛି ଆନ୍ଦୋଳନ । ଯେଉଁଥିରେ ସରକାରୀ ଜମିରେ ଘର କରି ରହୁଥିବା ଲୋକଙ୍କୁ ସେହି ଜମିରେ ଥଇଥାନ କରିବା ଓ ତାଙ୍କୁ ଶୀଘ୍ର ଜମି ପଟ୍ଟା ଦେବା ପାଇଁ ଗତକାଲି (ସୋମବାର) କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ଏହି ଧାରଣାରେ ନିଜେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଓ ତାଙ୍କ ପୁଅ ସମରେନ୍ଦ୍ର ମିଶ୍ର ଧାରଣାରେ ସାମିଲ ହୋଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ।

ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କହିଛନ୍ତି, "ସହରର ବିକାଶ ଓ ଗଠନ ଦିଗରେ ବସ୍ତି ଲୋକଙ୍କର ମଧ୍ୟ ସମାନ ଅବଦାନ ରହିଛି । ଯେଉଁମାନେ ପେଟପାଟଣା ପାଇଁ ସହରରେ ଆସି ରହୁଛନ୍ତି ସେମାନେ ଘରଭଡା ପାଇଁ ସକ୍ଷମ ନୁହଁନ୍ତି । ତେଣୁ ଦୀର୍ଘ ବର୍ଷ ହେବ ଏମାନେ ସରକାରୀ ଜମିରେ ଘର କରି ରହୁଛନ୍ତି । ସେମାନଙ୍କୁ ସେଠୁ ଉଚ୍ଛେଦ କଲେ ସେମାନେ ତଲିତଳାନ୍ତ ହେବେ ।" ତେଣୁ ସେମାନଙ୍କୁ ଶୀଘ୍ର ଜମିପଟ୍ଟା ଦେବାକୁ ଦାବି କରିଛନ୍ତି ବିଧାୟକ ନରସିଂହ ମିଶ୍ର । ସେହିପରି ତାଙ୍କ କଂଗ୍ରେସ ନେତା ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର କହିଛନ୍ତି, "ବିଜେଡି ନିଜେ ପୌରପାଳିକାକୁ ହାତ କରି ଘର ଭାଙ୍ଗୁଥିଲା । ନିଜେ ପୁଣି ଘର ନଭାଙ୍ଗିବା ପାଇଁ ସେଠି ଯାଇ ଆନ୍ଦୋଳନ କରି ଡ୍ରମାବାଜି କରୁଥିଲା । କଂଗ୍ରେସ ସବୁବେଳେ ଲୋକଙ୍କ ସାଙ୍ଗରେ ଅଛି ଓ ଲୋକଙ୍କୁ ସେଠିକାର ଜମିପଟ୍ଟା ଦେବାକୁ ଦାବି କରୁଛି । ବର୍ତ୍ତମାନ ଯେତେ ଜମି ମହଜୁଦ ଅଛି, ସେଥିରେ ପ୍ରକଳ୍ପ କାମ ହେଉ ଏବଂ ଘରଭଙ୍ଗା ନହେଉ ।" ନହେଲେ ଏହି ଆନ୍ଦୋଳନ ଆଗକୁ ଆହୁର ତୀବ୍ର ହେବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବର୍ଷିଲା କଂଗ୍ରେସ, ୨୬ରେ ଘେରିବ ସଚିବାଳୟ

ସେପଟେ ବସ୍ତି ଉଚ୍ଛେଦ ଓ ଘର ଭଙ୍ଗା ପାଇଁ ପୂର୍ବରୁ କଂଗ୍ରେସ ବିଧାୟକଙ୍କୁ ବିଜେଡି ଦଳ ଦାୟୀ କରି ଆସୁଥିଲା । ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, "ବସ୍ତି ଉଚ୍ଛେଦ ସମୟରେ ବିଜେଡି ନେତା ଲୋକଙ୍କ ପାଇଁ ଛିଡା ହୋଇଥିଲେ । ଅନେକ ସ୍ଥାନରେ ଘରଭଙ୍ଗା ବନ୍ଦ କରିଥିଲେ । କିନ୍ତୁ କଂଗ୍ରେସ ବିଧାୟକ ବିକାଶ ନାଁରେ ଲୋକଙ୍କ ଘର ଭାଙ୍ଗିବା ପାଇଁ ବିଧାନ ସଭାରେ ମଧ୍ୟ ଚାପ ପକାଇଥିଲେ ।" ଏପରିକି ରାଜ୍ୟ ସ୍ଥରୀୟ ଓ ଜିଲ୍ଲା ସ୍ଥରୀୟ ବିଭିନ୍ନ ବୈଠକରେ ମଧ୍ୟ ଘରଭଙ୍ଗା ପାଇଁ ସମସ୍ତଙ୍କ ଉପରେ ଚାପ ପକାଉ ଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେଡି ନେତା କଳିକେଶ ନାରାୟଣ ସିଂହଦେଓ ।

ଇଟିିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.