ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ ବର୍ଷିଲା କଂଗ୍ରେସ, ୨୬ରେ ଘେରିବ ସଚିବାଳୟ

By ETV Bharat Odisha Team

Published : Feb 24, 2024, 7:52 AM IST

thumbnail

Congress to Protest in front of Secretariat: ରାଉରକେଲା: ପାଖେଇ ଆସୁଛି ନିର୍ବାଚନ । ବିଜେପି କେନ୍ଦ୍ର ସରକାରଙ୍କ ସଫଳତା ନେଇ ଲୋକଙ୍କ ପାଖକୁ ଯିବାକୁ ଯୋଜନା କରୁଥିବାବେଳେ ରାଜ୍ୟରେ ଶାସକ ବିଜେଡି ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛି । ତେବେ ଏହି ସମୟରେ ଉଭୟ ବିଜେପି ଓ ବିଜେଡି ସରକାରଙ୍କ ବିଫଳତାକୁ ଅସ୍ତ୍ର କରିଛି କଂଗ୍ରେସ । ବିଭିନ୍ନ ପ୍ରତିଶ୍ରୁତି ଦେଇ ଉଭୟ ଭୁଲି ଯାଇଥିବା କଂଗ୍ରେସ ଆଣିଛି ଅଭିଯୋଗ ।ରାଉରକେଲା ଜିଲ୍ଲା କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଦୁର୍ନୀତି ଉପରେ ବର୍ଷିଛି । ତେବେ କଂଗ୍ରେସ ଅଭିଯୋଗ କରିଛି ଯେ, ଗତ ୨୪ ବର୍ଷ ଧରି ବିଜେଡ଼ି ସରକାର ଏବଂ ୧୦ ବର୍ଷ ଧରି କେନ୍ଦ୍ର ବିଜେପି ସରକାର ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନରେ ସଂପୂର୍ଣ ବିଫଳ ହୋଇଛନ୍ତି । ମୌଳିକ ସେବା ଯୋଗାଇ ଦେବା ପରିବର୍ତ୍ତେ ଏହି ଦୁଇ ସରକାର ସାଧାରଣ ଜନତାଙ୍କୁ ଲୁଟ କରି ଚାଲିଛନ୍ତି । ଦୀର୍ଘ ୨୪ ବର୍ଷ ଭିତରେ ଦୁର୍ନୀତିର ପାହାଡ଼ ସୃଷ୍ଟି ହୋଇଛି ବୋଲି କହିଛି କଂଗ୍ରେସ ।  

ଏହା ମଧ୍ୟ ପଢନ୍ତୁ- ତେଜିଲା କାଳିଆ ରାଜନିତୀ, କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ବର୍ଷିଲା କଂଗ୍ରେସ

ତେବେ ରାଜ୍ୟରେ ୧ ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି ,୨୦ ହଜାର କୋଟି ଟଙ୍କାର ଚିଟଫଣ୍ଡ ଦୁର୍ନୀତି, ୩୩ ହଜାର କୋଟି ଟଙ୍କାର ପାନୀୟ ଜଳ ଯୋଗାଣ ଯୋଜନାର ଠିକା ଦୁର୍ନୀତି, ବିଦ୍ୟୁତ କ୍ଷେତ୍ରର ଭିତ୍ତିଭୂମିର ପୂର୍ନବିନ୍ୟାସ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚର ଦୁର୍ନୀତି, କୃଷକ ଆତ୍ମହତ୍ୟା, କୃଷକ ଋଣଭାରରେ ବୁଢ଼ି ରହିବା ଏବଂ ରାଜ୍ୟରେ କୃଷିଜାତ ଦ୍ରବ୍ୟର ସଂରକ୍ଷଣ ହୋଇନପାରିବା ଏବଂ ରାଜ୍ୟରେ ମହିଳାମାନଙ୍କର ସମସ୍ୟା ଆଜି ଅତ୍ୟନ୍ତ ଉତ୍କଟ ଓ ବିପଦଜନକ ଅଟେ । ନାବାଳିକା ଚାଲାଣରେ ଆମ ରାଜ୍ୟ ଆଜି ଭାରତବର୍ଷର ପ୍ରଥମ ରାଜ୍ୟ ପାଲଟିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ଦୀର୍ଘ ୨୪ ବର୍ଷ ଭିତରେ ଏ ରାଜ୍ୟରେ ମହିଳା, ଛାତ୍ର, ଯୁବକ, ଶ୍ରମିକ, କୃଷକ ତ୍ରାହି ପାଇ ନାହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୩୬ ହଜାର ପଦବୀରୁ ଅଧିକ ଖାଲି ପଡ଼ିରହିଛି । ଏଗୁଡ଼ିକ ପୂରଣ କରାଯାଉନାହିଁ ।  ଦରଦାମ ବୃଦ୍ଧି ଯୋଗୁଁ ଆଜି ପ୍ରତ୍ୟେକ ହାଣ୍ଡିଶାଳକୁ ମାଡ଼ ହୋଇଛି । ରୋଜଗାର ନାହିଁ, ଖର୍ଚ୍ଚର ବୃଦ୍ଧି ଯୋଗୁଁ ଅଧିକାଂଶ ପରିବାର ଆଜି ଋଣଗ୍ରସ୍ତ ହୋଇଛି ବୋଲି ଅଭିଯୋଗ କରିଛି କଂଗ୍ରେସ ।  ତେଣୁ ଦୁଇ ବିଫଳ ସରକାରଙ୍କ ବିରୋଧରେ ଆସନ୍ତା ଫେବୃଆରୀ ୨୬ ତାରିଖରେ ସଚିବାଳୟ ଘେରାଉ କରିବା ନେଇ ସୂଚନା ଦେଇଛି କଂଗ୍ରେସ  । 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.