ETV Bharat / politics

ତେଜିଲା କାଳିଆ ରାଜନିତୀ, କ୍ୟାବିନେଟ୍‌ ନିଷ୍ପତ୍ତି ନେଇ ବର୍ଷିଲା କଂଗ୍ରେସ

author img

By ETV Bharat Odisha Team

Published : Feb 23, 2024, 8:06 PM IST

ତେଜିଲା କାଳିଆ ରାଜନିତୀ
ତେଜିଲା କାଳିଆ ରାଜନିତୀ

Politics over Kalia Scheme Announcement: ସାଧାରଣ ନିର୍ବାଚନ ପୂର୍ବରୁ କାଳିଆ ଯୋଜନା ଅବଧିରେ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ୨୦୨୬-୨୭ ବର୍ଷ ଯାଏଁ କୃଷକଙ୍କୁ ମିଳିବ କାଳିଆ ସହାୟତା ରାଶି । ଏହାସହ କେବଳ ଏକ ନିର୍ଦ୍ଦିଷ୍ଟ ସମୟରେ ନୁହେଁ, ଯେକୌଣସି ସମୟରେ ମିଳିପାରିବ ବୋଲି କ୍ୟାବିନେଟ ନିଷ୍ପତ୍ତି ନେଇଛି । ଯାହାକୁ ନିର୍ବାଚନୀ ଚାଲ ବୋଲି କହିଛି କଂଗ୍ରେସ । ଅଧିକ ପଢ଼ନ୍ତୁ

ତେଜିଲା କାଳିଆ ରାଜନିତୀ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ସବୁ ବର୍ଗକୁ ଖୁସି କରିବାକୁ ଜୋରଦାର ପ୍ରୟାସ କରୁଛନ୍ତି ସରକାର । ଚାଷୀ ବର୍ଗଙ୍କୁ ଖୁସି କରିବା ପାଇଁ ସରକାର ବଡ଼ ସହାୟତା ରାଶି ଘୋଷଣା କରିଛନ୍ତି । ରାଜ୍ୟ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି । ଚାଷୀଙ୍କ ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଯେକୌଣସି ସମୟରେ କାଳିଆ ଯୋଜନାରେ ଟଙ୍କା ବାଣ୍ଟି ହେବ । ଏହା ସହିତ ଚାଷୀମାନଙ୍କୁ କାଳିଆ ଯୋଜନାରେ ୨୦୨୬-୨୭ ବର୍ଷ ଯାଏଁ ସହାୟତା ରାଶି ମିଳିବ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୬୦୨୯.୭୦ କୋଟି । ନିର୍ବାଚନ ପୂର୍ବରୁ କିନ୍ତୁ କାଳିଆ ସହାୟତା ରାଶି ବାଣ୍ଟିବାକୁ ଭିନ୍ନ ନଜରରେ ଦେଖୁଛନ୍ତି ବିରୋଧୀ । ବିରୋଧୀଙ୍କ କହିବା କଥା, ଚାଷୀଙ୍କୁ ସହାୟତା ପ୍ରଦାନ କଲେ କିଛି ଅସୁବିଧା ନାହିଁ, ହେଲେ ନିର୍ବାଚନ ପୂର୍ବରୁ ମାଳ ମାଳ ଯୋଜନା, ସ୍କିମ୍‌, ସହାୟତା ରାଶି ପ୍ରଦାନ କେବଳ ଭୋଟକୁ ପ୍ରଭାବିତ କରିବାକୁ ଉଦ୍ୟମ ଆଉ କିଛି ନୁହେଁ ।

କ୍ୟାବିନେଟରେ କାଳିଆ ଟଙ୍କା ବର୍ଦ୍ଧିତ ଅର୍ଥ ଦେବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର କେବଳ ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ସେ କହିଛନ୍ତି, ସରକାର ଯାହା ଘୋଷଣା କରିବା କଥା କରନ୍ତୁ । ନିର୍ବାଚନ ପରେ ତ ସେ ଆଉ ସରକାରରେ ଆସିବେ ନାହିଁ । ରାଜ୍ୟରେ BJD ଏବଂ BJP ଗୋଟିଏ ଦଳ । ଯାହା କୁହନ୍ତି ତାହା କରନ୍ତି ନାହିଁ । ସରକାର ତ ଚାଷୀଙ୍କୁ MSP ଠିକ ଭାବରେ ଦେଇନାହାନ୍ତି । ତେଣୁ ଯେତେ ଯୋଜନା କଲେବି ଲୋକେ ତାଙ୍କୁ ବିଶ୍ବାସ କରିବେ ନାହିଁ । ସରକାର ଉତ୍ତର ଦିଅନ୍ତୁ, 5 ହଜାର ଟଙ୍କାରୁ 2 ହଜାର ଟଙ୍କାକୁ କାହିଁକି କାଳିଆ ଯୋଜନା ପଇସା କମ୍‌ କଲେ ? ଚାଷୀଙ୍କୁ ଟଙ୍କା ନୁହେଁ ଶୀତଳ ଭଣ୍ଡାର, MSP ଏବଂ ଇନ୍‌ପୁଟ୍‌ ସବ୍‌ସିଡି ଦିଅନ୍ତୁ । MSP ବୃଦ୍ଧି କଲେ ନାହିଁ, ଚାଷୀ ଉତ୍ପାଦକ ସାମଗ୍ରୀ ବିକ୍ରି କରି ପାରୁନାହିଁ, ମଣ୍ଡିରେ ଧାନର ଅଭାବି ବିକ୍ରି, ଏସବୁକୁ ନେଇ ଚାଷୀ ଆଜି ଚିନ୍ତାରେ । ସରକାର ନିର୍ବାଚନ ପାଇଁ ଏଭଳି ଘୋଷଣା କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...କ୍ୟାବିନେଟ ନିଷ୍ପତ୍ତି; 13 ବିଭାଗର 16 ପ୍ରସ୍ତାବକୁ ମୋହର

ପ୍ରକାଶ ଯୋଗ୍ୟ, ଗତକାଲି କ୍ୟାବିନେଟ ବୈଠକରେ କୃଷି ବିଭାଗର ୩ଟି ପ୍ରସ୍ତାବକୁ କ୍ୟାବିନେଟ ଗ୍ରୀନ ସିଗ୍ନାଲ ଦେଇଛି । କାଳିଆ ଜୀବିକାର ଆୟ ବୃଦ୍ଧି ପାଇଁ ଅର୍ଥ ରାଶିର ବ୍ୟବସ୍ଥା କରିଛନ୍ତି ସରକାର । କୃଷକଙ୍କ କଲ୍ୟାଣ ପାଇଁ କାଳିଆ ହିତାଧିକାରୀଙ୍କ ୩ ବର୍ଷ ପାଇଁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଏଣିକି କାଳିଆ ଯୋଜନାରେ ସହାୟତା ନିର୍ଦ୍ଦିଷ୍ଟ ସମୟରେ ନୁହେଁ, ଯେକୌଣସି ସମୟରେ ପାଇପାରିବେ ଚାଷୀ । ଭୂମିହୀନ ପରିବାରଙ୍କୁ ୩ଟି କିସ୍ତିରେ ୧୨ ହଜାର ୫ଶହ ମିଳୁଥିବା ବେଳେ ୧୮ ଲକ୍ଷ ପରିବାର ଉପକୃତ ହେଉଛନ୍ତି । କାଳିଆ ଯୋଜନାରେ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ପାଇବେ ଭୂମିହୀନ ଚାଷୀ । ସେହିପରି କାଳିଆ ଛାତ୍ରବୃତ୍ତି ଅବଧି ୩ ବର୍ଷକୁ ବୃଦ୍ଧି କରାଯାଇଛି । ତେବେ ରାଜ୍ୟରେ ଚାଷୀ ଆନ୍ଦୋଳନ ଅନେକ ସମୟରେ ମୁଣ୍ଡ ଟେକୁଛି । ଚାଷୀ ପାଇଁ ପ୍ରାଇସ, ପ୍ରେଷ୍ଟିଜ ଏବଂ ପେନ୍‌ସନ୍‌ ମିଳୁ ବୋଲି ବିଭିନ୍ନ କୃଷକ ସଙ୍ଗଠନ ଗୁଡିକ ଦାବି କରି ଆସୁଛନ୍ତି । ଚାଷୀର ସର୍ବନିମ୍ନ ଆୟ ମଧ୍ୟ ଓଡ଼ିଶାରେ କମ୍‌ । ତେଣୁ ଆଗକୁ ନିର୍ବାଚନ ଆସୁଥିବାରୁ ଚାଷିବର୍ଗଙ୍କୁ ନିଜ ସପକ୍ଷରେ କରିବା ପାଇଁ ରାଜ୍ୟ ସରକାର ଏଭଳି ଘୋଷଣା କରିଥିବା କଂଗ୍ରେସ ଅଭିଯୋଗ ଆଣିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.