ETV Bharat / state

ପୋଲିସ କହି କେହି ଧମକାଉଛି କି ? ଭିଡିଓ କଲ ବା ଫୋନ କଲ ଆସିଲେ ହୁଅନ୍ତୁ ସତର୍କ - Cyber crime

author img

By ETV Bharat Odisha Team

Published : Apr 28, 2024, 4:43 PM IST

Cyber Fraud
Cyber Fraud

Cyber Fraud: ସାଇବର ଅପରାଧିଙ୍କ ଠକିବାର ନୂଆ ଶୈଳୀ । ଏବେ ପୋଲିସ କିମ୍ବା ତଦନ୍ତକାରୀ ସଂସ୍ଥା ନାଁ କହି ହଡପ କରୁଛନ୍ତି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ଭୁବନେଶ୍ୱର ଡିସିପି ଜାରି କଲେ ଭିଡିଓ ବାର୍ତ୍ତା । ସଚେତନ ରହିବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

Cyber Fraud

ଭୁବନେଶ୍ୱର: ସାଇବର ଫ୍ରଡଙ୍କ ଠକିବାର ନୂଆ ଶୈଳୀ । ଏବେ ଅଜଣା ନମ୍ବରରୁ ଆସୁଛି ଧମକପୂର୍ଣ୍ଣ କଲ । ନିଜକୁ ପୋଲିସ, ସିବିଆଇ, ଏନସିବି କିମ୍ବା ଇଡିର ପରିଚୟ ଦେଇ ଲୁଟୁଛନ୍ତି ଲୁଟେରା । ତେବେ ଏଭଳି କଲ ଯଦି ଆସୁଛି ତେବେ ସତର୍କ ହେବାକୁ ପରାମର୍ଶ ଦେଇଛି ଓଡ଼ିଶା ପୋଲିସ ବିଭାଗ । ଏନେଇ ସାଇବର ପୋଲିସର ସହାୟତା ନେବାକୁ କୁହାଯାଇଛି । କମିଶନରେଟ ପୋଲିସ ଏକ ଭିଡିଓ ବାର୍ତ୍ତା ଜାରି କରି ଏନେଇ ଲୋକମାନଙ୍କୁ ସଚେତନ କରିଛନ୍ତି ।

ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାଇବର ଅପରାଧ ସଚେତନତା ନେଇ ଏକ ଭିଡିଓ ବାର୍ତ୍ତା ଜାରି କରି ଲୋକଙ୍କୁ ସଚେତନ କରିଛନ୍ତି । ସେ କହିଛନ୍ତି ଯେ,"ଏକ ନୂଆ ପ୍ରକାରର ସାଇବର ଫ୍ରଡ ଚାଲିଛି । କିଛି ଅଜଣା ବ୍ୟକ୍ତି କଲ କରି ନିଜକୁ ପୋଲିସ ଓ ବିଭିନ୍ନ ଏଜେନ୍ସିର ପରିଚୟ ଦେଇ ଧମକାଉଥିଲେ ସତର୍କ ହୋଇଯାନ୍ତୁ । ଏପରିକି ଆପଣଙ୍କ ନାଁରେ ବନ୍ଧୁକ ବା ଡ୍ରଗସ କାରବାର ଭଳି ପାର୍ସଲ ବା କୋରିୟର ଏୟାରପୋର୍ଟରେ ଜବତ ହୋଇଛି କହି ଆପଣଙ୍କୁ ପଚରାଉଚରା ପାଇଁ କହୁଥିଲେ ସେଭଳି କଲକୁ ବିଶ୍ବାସ କରନ୍ତୁ ନାହିଁ । ତେବେ ସେମାନେ ପୋଲିସ ନୁହନ୍ତି ବରଂ ସାଇବର ଠକ । ଏଭଳି ନିଜର ପରିଚୟ ଗୋପନ ରଖି ପୋଲିସ ଓ ଅନ୍ୟାନ୍ୟ ଏଜେନ୍ସିର ନାଁ କହି ଆପଣଙ୍କୁ ଡରାଇ ଧମକାଇ ପୋଲିସ କେସ ଧମକ ଦେଇ ଶେଷରେ ଟଙ୍କା ମାଗିବାକୁ ଭଳି ଉପାୟ ବାଛିଛନ୍ତି ।

ଭିିଡିଓ ବାର୍ତ୍ତାରେ ଡିସିପି ଆଉ ମଧ୍ୟ କହିଛନ୍ତି, "କୌଣସି ଦୋଷ ବା ଭୁଲ ନଥାଇ ଡରରେ ବା ଭୟରେ କେସ କ୍ଲୋଜ ବା କେସ ଆଗକୁ ନ ବଢ଼ାଇବା ପାଇଁ ପ୍ରଲୋଭନ ଦେଖାଇ ଟଙ୍କା ମାଗିବାର ଉପାୟ ବାଛିଛନ୍ତି ସାଇବର ଅପରାଧି । ସେଭଳି ଠକଙ୍କ ପ୍ରତି ହୁସିଆର ହୋଇଯାନ୍ତୁ ସେମାନେ କୌଣସି ପୋଲିସ ବା ତଦନ୍ତ କରୁଥିବା ଏଜେନ୍ସି ନୁହନ୍ତି । ବରଂ ସାଇବର ଠକ । ଏଭଳି ନୂଆ ତରିକାରେ ଠକାମି ପାଇଁ ଚାଲ ଆପଣାଇଛନ୍ତି । ତେଣୁ କେହି କଲ ବା ଭିଡିଓ କଲ ଜରିଆରେ ପଚରା ଉଚରା କରିବାକୁ କହି ଘଣ୍ଟା ଘଣ୍ଟା ଧରି ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଅନଲାଇନରେ ମାଗୁଥିଲେ ସେଗୁଡିକ ଦିଅନ୍ତୁ ନାହିଁ ।"

ଏହାମଧ୍ୟ ପଢନ୍ତୁ.. ନିର୍ବାଚନ ବେଳେ ଅପରାଧ ରୋକିବ 'ତ୍ରିଶୂଳ

ସେ ଆଉ ମଧ୍ୟ କହିଛନ୍ତି ଯେ, ଏପରିକି ଠକ ମାନେ ଆପଣଙ୍କୁ ବିଭିନ୍ନ ଆଇନଗତ ଲିଗାଲ ଆକ୍ସନର ଭୟ ଦେଖାଇ ଆପଣଙ୍କୁ ଆରେଷ୍ଟ କରାଯାଇଛି ବୋଲି ଧମକାଇପାରନ୍ତି । ଅନେକ କଥା ପଚରାଉଚରା କରିବା ଆଳରେ ଆପଣଙ୍କର କିଛି ଗୋପନୀୟ ତଥ୍ୟ ନେଇପାରନ୍ତି । ବ୍ୟାଙ୍କ ଖାତା ସମ୍ପର୍କରେ ଏଟିଏମ୍ କାର୍ଡ ସମ୍ପର୍କରେ ବା ଆପଣଙ୍କ କ୍ରେଡିଟ କାର୍ଡ ନମ୍ବର ବା ପିନ୍ ନମ୍ବର ଯାଞ୍ଚ ଆଳରେ ମାଗିଲେ ସେସବୁ ଦିଅନ୍ତୁ ନାହିଁ ବୋଲି କହିଛନ୍ତି ଡିସିପି । ଏଭଳି ଅଜଣା ଫୋନ କଲ, ଭିଡିଓ କଲ ବା ଅନଲାଇନ ହ୍ବାଟସପ କିମ୍ବା ଟେଲିଗ୍ରାମ କଲ ଆସିଲେ ପୋଲିସ କଲ ଭାବି ଡରିଯାନ୍ତୁ ନାହିଁ କି ଏହାକୁ ବିଶ୍ବାସ କରନ୍ତୁ ନାହିଁ । ନଚେତ ଆପଣ ଠକାମିର ଶିକାର ହେବା ସମ୍ଭାବନା ରହିଛି ବୋଲି କହିଛନ୍ତି ଡିସିପି ।

ଏଭଳି କଲ ଆସିଲେ ତୁରନ୍ତ କଲକୁ କାଟି ଦିଅନ୍ତୁ ବ୍ଲକ କରି ଦିଅନ୍ତୁ । ୧୯୩୦ ଜରିଆରେ ହେଲ୍ପଲାଇନକୁ କଲ କରି ଏ ସମ୍ପର୍କରେ ଜଣାନ୍ତୁ । ନଚେତ ନିକଟସ୍ଥ ଥାନାକୁ ଯାଇ ଏଭଳି ଠକଙ୍କ ସମ୍ପର୍କରେ ଜଣାନ୍ତୁ । କାରଣ ପୋଲିସ ଏଭଳି ଉପାୟରେ କେବେ ତଦନ୍ତ କରେନାହିଁ କି ତଦନ୍ତ ବେଳେ ଏଭଳି ଫୋନରେ ପଚରାଉଚରା କରେ ନାହିଁ । ତେଣୁ ଏଭଳି ଡିଜିଟାଲ ଆରେଷ୍ଟ ବା ପରିବାରକୁ ଗିରଫ କରାଇବାର ଧମକ ଦେଉଥିବା ଅନଲାଇନ ଠକଙ୍କୁ ବିଶ୍ବାସ ନ କରି ତୁରନ୍ତ ପୋଲିସରେ ଜଣାନ୍ତୁ । ସଚେତନ ନାଗରିକ ଭାବେ ଆପଣଙ୍କ ସଞ୍ଚୟ ଧନ ପ୍ରତି ଯତ୍ନବାନ ହୁଅନ୍ତୁ । ଠକାମିର ଶିକାର ହେଲେ ୨୪ଘଣ୍ଟା ଭିତରେ ପୋଲିସର ସାଇବର ହେଲ୍ପ ଲାଇନରରେ ଜଣାଇବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.