ETV Bharat / state

ବାରଙ୍ଗ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ଗିରଫ, ମହିଳାଙ୍କୁ ହତ୍ୟା ପୂର୍ବରୁ ନେଇଥିଲା ସିନ୍ଦୁର ଓ ବାହାଘର କାର୍ଡ

author img

By ETV Bharat Odisha Team

Published : Mar 20, 2024, 3:48 PM IST

Baranga Murder Case
Baranga Murder Case

Baranga Murder Case: ବାରଙ୍ଗରେ ମହିଳାଙ୍କୁ ହତ୍ୟା ଘଟଣା। ଏକତରଫା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା କରିଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ଅଧିକ ପଢନ୍ତୁ

Baranga Murder Case

କଟକ: ବାରଙ୍ଗରେ ମହିଳାଙ୍କୁ ହତ୍ୟା ଘଟଣା। ଅଭିଯୁକ୍ତକୁ ଗିରଫ କରିଛି କଟକ କମିଶନରେଟ ପୋଲିସ। ଏକତରଫା ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଛି ହତ୍ୟାକାଣ୍ଡ। କାଠ ଫାଳିଆ ଓ ପଥରରେ ଛେଚି ମହିଳାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତ ଜଣକ ହେଉଛି ମନୋଜ ମହାରଣା। ମନୋଜ ମୃତ ମହିଳାଙ୍କ ପଡ଼ୋଶୀ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ମନୋଜ ପେଶାରେ ଜଣେ ଶ୍ରମିକ ହୋଇଥିବାବେଳେ ସେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ କରୁଥିବାବେଳେ ମହିଳା ଜଣଙ୍କୁ ଏକତରଫା ପ୍ରେମ କରୁଥିଲା। ମହିଳା ଜଣଙ୍କ ରାଜି ନ ହେବାରୁ ମନୋଜ ତାଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ୧୦ ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ବାରଙ୍ଗ ଥାନା ଅନ୍ତର୍ଗତ ବାରସିଂହ ଗ୍ରାମରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିଲା । ବାରସିଂହ ଗାୋଁର ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିବା ପାଇଁ ଅଭିଯୁକ୍ତ ମନୋଜ ନିବେଦନ କରିଥିଲା। ଏପରିକି ତାଙ୍କୁ ବିବାହର ପ୍ରଲୋଭନ ମଧ୍ୟ ଦେଖାଇଥିଲା ଅଭିଯୁକ୍ତ ମନୋଜ। ହେଲେ ମହିଳା ଜଣକ ରାଜି ନହେବାରୁ ବଦନାମ ଭୟରେ କାଠଫଳିଆ ଓ ପଥରରେ ଛେଚି ଆକ୍ରମଣ କରିବାରୁ ମହିଳାଙ୍କ ଜୀବନ ଯାଇଥିବା ନେଇ ସେ ପୋଲିସ ଆଗରେ ସ୍ବୀକାର କରିଛି।


ଏହା ମଧ୍ୟ ପଢନ୍ତୁ...ବୀଭତ୍ସ କାଣ୍ଡ ! ଘରେ ପଶି ୩ ଛୁଆଙ୍କୁ ହାଣିଲା ଯୁବକ

ଅତିରିକ୍ତ ଡିସିପି କହିଛନ୍ତି, "ଅଭିଯୁକ୍ତ ମନୋଜ ମହିଳା ଜଣଙ୍କୁ ଏକତରଫା ପ୍ରେମ କରୁଥିଲା। ମାତ୍ର ମହିଳା ଏଥିରେ ରାଜି ହୋଇନଥିଲେ। ହତ୍ୟାକାଣ୍ଡ ଦିନ ଅଭିଯୁକ୍ତ ଏକ ବାହାଘର କାର୍ଡ ବା ଲଫାପାରେ ସିନ୍ଦୁର ନେଇଥିଲା। ଯଦି ମହିଳା ଜଣକ ରାଜି ନ ହୁଅନ୍ତି ତେବେ ସିନ୍ଦୁର ଦେଇ ବିବାହ କରିବା ନେଇ ପ୍ରଲୋଭିତ କରିବାକୁ ଯୋଜନା କରିଥଲା। ହତ୍ୟା ଦିନ ମହିଳାଙ୍କୁ ପ୍ରେମ ନିବେଦନ କରିଥିଲା ଅଭିଯୁକ୍ତ। ମାତ୍ର ମହିଳା ଜଣକ ଚିତ୍କାର କରିବାରୁ ସେ ଧରାପଡ଼ିଯିବା ଭୟରେ ହତ୍ୟା କରିଥିଲା ଏବଂ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା।" ପୋଲିସ ଏହି ବାହାଘର କାର୍ଡର ଅଧା ଅଂଶକୁ ଅଭିଯୁକ୍ତ ଘରୁ ଜବତ କରିଛି । ଯାହାକି ଅଭିଯୁକ୍ତକୁ ଧରିବାରେ ସହାୟତା ହୋଇଥିଲା ବୋଲି ଅତିରିକ୍ତ ଡିସିପି କହିଛନ୍ତି । ହତ୍ୟାରେ ବ୍ୟବହୃତ ପଥର ଓ କାଠ ଫାଳିଆ ଜବତ କରିଛି ପୋଲିସ । ମହିଳାଙ୍କୁ ହତ୍ୟା କରିବା ନେଇ ପୋଲିସ ନିକଟରେ ଅଭିଯୁକ୍ତ ମନୋଜ ସ୍ୱୀକାର କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.