ETV Bharat / state

ଆଠମଲ୍ଲିକ ରାଜନୀତି: କୁଚକ୍ରି ନେତାଙ୍କୁ ନେଇ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚର ବିକ୍ଷୋଭ

author img

By ETV Bharat Odisha Team

Published : Jan 20, 2024, 5:21 PM IST

ଆଠମଲ୍ଲିକ ରାଜନୀତି
ଆଠମଲ୍ଲିକ ରାଜନୀତି

Atthamalik Swaviman Mancha: ଘନଉଛି ଆଠମଲ୍ଲିକ ରାଜନୀତି । ଆଠମଲ୍ଲିକ ଉପଖଣ୍ଡରେ ବିଭିନ୍ନ ସମସ୍ୟା ନେଇ କିଶୋର ନଗରରେ ଗର୍ଜିଲେ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚର ହଜାର ହଜାର ସଦସ୍ୟ । ଅଧିକ ପଢନ୍ତୁ

ଆଠମଲ୍ଲିକ ରାଜନୀତି

ଅନୁଗୋଳ: ଦିନକୁ ଦିନ ଉଷ୍ମ ହେଉଛି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ରାଜନୀତି । ନିକଟରେ ବିଜେଡି ନେତା ନଳିନୀ ପ୍ରଧାନଙ୍କୁ ଗୋଣ୍ଡ ସମାଜ ବିରୋଧ କରୁଥିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ନିଆଁରେ ଘିଅ ଢାଳିଛନ୍ତି ଆଉ ଜଣେ ସମାଜସେବୀ ଅର୍ଜ୍ଜୁନ ସାହୁ । ପ୍ରକାଶଥାଉକି, ଗତ 5 ଦିନ ପୂର୍ବରୁ ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆମ୍ବସରମୁଣ୍ଡା ଠାରେ ଚାଲିଥିବା ଗୋଣ୍ଡ ସମାଜର ଜଙ୍ଘା ଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିବା ବେଳେ ନଳିନୀ ପ୍ରଧାନଙ୍କୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ ।

ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ବିଭିନ୍ନ ସମସ୍ୟା ନେଇ କିଶୋର ନଗରରେ ଗର୍ଜିଲେ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚର ହଜାର ହଜାର ସଦସ୍ୟ । ସ୍ଥାନୀୟ ଯୁବ ସମାଜ ସେବୀ ଅର୍ଜୁନ ସାହୁଙ୍କ ନେତୃତ୍ୱରେ ପ୍ରାୟ ୪ ହଜାରରୁ ଅଧିକ ସଦସ୍ୟ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଥିଲେ । ସେଠାରେ ନାରା ସହିତ ପ୍ରତିବାଦ ସଭା କରାଯାଇଥିଲା । ନାଁ ନ ନେଇ ଆଠମଲ୍ଲିକ ବିକାଶରେ ବାଧକ ସାଜିଥିବା ଅବସର ପ୍ରାପ୍ତ ନେତା ତଥା ଗତ ନିର୍ବାଚନରେ ହାରି ଥିବା ନେତାଙ୍କୁ ଟାର୍ଗେଟ କରିଥିଲେ ଅର୍ଜୁନ।

ଏହା ମଧ୍ୟ ପଢନ୍ତୁ: ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଜେଡି ନେତା ନଳିନୀ ପ୍ରଧାନଙ୍କୁ ବିରୋଧ

ଯୁବ ସମାଜସେବୀ ଅର୍ଜୁନ ସାହୁଙ୍କ କହିବା ଅନୁସାରେ,"ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ନିର୍ବାଚିତ ପ୍ରତିନିଧୀମାନଙ୍କ କ୍ଷମତାକୁ ହାଇଜାକ କରାଯାଇଛି । ଆଠମଲ୍ଲିକ ଉପଖଣ୍ଡରେ ବ୍ଲକ ପ୍ରଶାସନ କିଛି କୁଚକ୍ରି ଗୋଷ୍ଠୀର ହାତ ବାରିସୀ ସାଜିଛନ୍ତି । ପ୍ରକୃତ ହିତାଧିକାରୀ କୌଣସି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏପରିକି ଏଠାରେ ନିର୍ବାଚିତ ପ୍ରତିନିଧିମାନଙ୍କ କୌଣସି ଭୂମିକା ରହୁ ନାହିଁ । ଏପରି ଏଠାକାର ବିଧାୟକଙ୍କ ଠାରୁ ଆରମ୍ଭ କରି ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପର୍ଯ୍ୟନ୍ତ ସମସ୍ତଙ୍କୁ ଅଣଦେଖା କରି ସେହି କୁଚକ୍ରି ଗୋଷ୍ଠୀ ଯାହା କହୁଛନ୍ତି ପ୍ରଶାସନ ସେମାନଙ୍କ କଥାରେ ପରିଚାଳିତ ହେଉଛି । ମୁଖ୍ୟମନ୍ତ୍ରୀଙ୍କୁ ମୁଁ ନିବେଦନ କରଛି କି ଗୋଟିଏ ନିସ୍ବାର୍ଥପର ତଦନ୍ତ କରାଯାଉ । ଜନ ବିରୋଧୀଙ୍କ ବିରୋଧରେ ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତାହାଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜସାଧାରଣ ଭୋଟ ଦେବେ । ରାଜନୈତିକ ଦଲାଲ ଶାସନ ହଟାଯାଉ ଏବଂ କୁଚକ୍ରି ଗୋଷ୍ଠୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।"

ତେଣୁ ଏହି କାରଣ ଯୋଗୁଁ ଏଠାରେ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବୋଲି ପ୍ରତିବାଦ ସଭାରେ ଅଭିଯୋଗ କରାଯାଇଥିଲା । ଆଗାମୀ ଦିନରେ ଏହାର ସମାଧାନ ନହେଲେ ଆଠମଲ୍ଲିକ ସ୍ୱାଭିମାନ ମଞ୍ଚ ଆହୁରି ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.