ETV Bharat / state

ନନ୍ଦନକାନନ ସୁରକ୍ଷାରେ ରହିବେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ! - Nandankanan Zoo

author img

By ETV Bharat Odisha Team

Published : May 1, 2024, 7:02 AM IST

ନନ୍ଦନକାନନ ସୁରକ୍ଷାରେ ରହିବେ ବନ୍ଧୁକଧାରୀ ସୁରକ୍ଷାକର୍ମୀ !
ନନ୍ଦନକାନନ ସୁରକ୍ଷାରେ ରହିବେ ବନ୍ଧୁକଧାରୀ ସୁରକ୍ଷାକର୍ମୀ !

Nandankanan Zoo officials thrashed incident: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ ପରେ ସୁରକ୍ଷାକୁ ନେଇ ତତ୍ପର ସରକାର । ପ୍ରାଣୀ ଉଦ୍ୟାନ ସୁରକ୍ଷାରେ ମୁତୟନ ହୋଇପାରନ୍ତି ବନ୍ଧୁକଧାରୀ ସୁରକ୍ଷାକର୍ମୀ । ଏନେଇ ଆଲୋଚନା ଚାଲିଥିବା ସୂଚନା । ଅଧିକ ପଢନ୍ତୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଧିକାରୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣା ଭୟ ସୃଷ୍ଟି କରିଛି । ପୂର୍ବରୁ ଅନେକ ସମୟରେ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ଆକ୍ରମଣ ହୋଇଥିଲେ ମଧ୍ୟ ଅଧିକାରୀଙ୍କ ଉପରେ ଏଭଳି ସଶସ୍ତ୍ର ଆକ୍ରମଣ ସମ୍ଭବତଃ ପ୍ରଥମ ବୋଲି କୁହାଯାଉଛି । ଏହି ଘଟଣାରେ ବନ ବିଭାଗକୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ସକାଳେ ପିସିସିଏଫ ଦେବୀଦତ୍ତ ବିଶ୍ୱାଳ ନନ୍ଦନକାନନ ଯାଇ ଘଟଣା ବିଷୟରେ ଅନୁଧ୍ୟାନ କରିଛନ୍ତି । ତାଙ୍କ ପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମଧ୍ୟ ପହଞ୍ଚି ଜରୁରୀକାଳୀନ ଭାବେ ଅନୁଧ୍ୟାନ କରିବା ସହିତ ସ୍ଥିତି ସମୀକ୍ଷା କରିଛନ୍ତି । ନନ୍ଦନକାନନ ସୁରକ୍ଷା ପାଇଁ ଆଗକୁ ବହୁ ପଦକ୍ଷେପ ନିଆଯାଉଛି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ, ସୁରକ୍ଷା ଦୃଷ୍ଟିରୁ ଚିଡ଼ିଆଖାନା ଭିତର ରାସ୍ତା ଖୁବଶୀଘ୍ର ବନ୍ଦ କରାଯିବ । ଏହା ସ୍ଥାନୀୟ ଅଧିବାସୀଙ୍କ ସହଯୋଗରେ ହେବ । କର୍ମଚାରୀମାନଙ୍କୁ ଆତ୍ମରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ଯୋଗଇ ଦିଆଯିବ । ଏକ୍ସ ସର୍ଭିସମ୍ୟାନମାନଙ୍କୁ ଆଗରୁ ମୁତୟନ କରାଯାଉଥିଲା । ଆଗକୁ ବନ୍ଧୁକଧାରୀ ସୁରକ୍ଷାକର୍ମୀ ମୁତୟନ ହେବା ନେଇ ପଦକ୍ଷେପ ନିଆଯାଉଛି । ଏହାସହ ପାରାମିଲିଟାରୀ ସେନାକୁ (ସିଆଇଏସ୍‌ଏଫ୍‌ଙ୍କ ଭଳି) ନନ୍ଦନକାନନ ସୁରକ୍ଷା ଦାୟିତ୍ୱ ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ଚାଲିଥିବାର ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସେପଟେ ଏହି ଘଟଣାକୁ ନେଇ ଏବେ ସାଧାରଣରେ ଅନେକ ପ୍ରଶ୍ନ ଉଠିଛି । ସୋମବାର ନନ୍ଦନକାନନ ବନ୍ଦ ଥିବାବେଳେ ମାରଣାସ୍ତ୍ର ଧରି ଦୁଇ ଯୁବକ ପଶିବା ବେଳେ ସୁରକ୍ଷାକର୍ମୀ କାହିଁକି ଅଟକାଇଲେ ନାହିଁ, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏହି ଦୁଇ ଯୁବକ ଏସିଏଫ ସୁଦୀପ୍ତ ପଣ୍ଡାଙ୍କୁ ଖୋଜୁଥିଲେ । ସେ ସିଧା ଚିଡ଼ିଆଖାନାର ଭେଟେରିନାରୀ ହସ୍ପିଟାଲର ଭିତରେ ପଶି ଡା. ଶରତ ସାହୁଙ୍କ ବେକରେ କଟୁରୀ ଲଗେଇଥିଲେ । ସେ ଏସିଏଫ ସୁଦୀପ୍ତ ପଣ୍ଡା ନୁହେଁ ବୋଲି ଜାଣିବା ପରେ ସେଠାରୁ ଉପନିର୍ଦ୍ଦେଶକଙ୍କ ଅଫିସକୁ ଯାଇଥିବା କଥା ଶୁଣିବାକୁ ମିଳୁଛି । ନିକଟରେ ବନ୍ୟଜନ୍ତୁ ଛୁଆଙ୍କ ଲାଳନପାଳନ କରିବାରେ ଅବହେଳା ଯୋଗୁଁ ଗୋଟିଏ ଛୁଆ ମୃତ୍ୟୁ ଘଟିଥିଲା । ଏଥିପାଇଁ ଦାୟିତ୍ୱରେ ଥିବା ଯୁବକକୁ କାର୍ଯ୍ୟରୁ ବାହାର କରାଯାଇଥିଲା । ଯାହାକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: ନନ୍ଦନକାନନ ଉପନିର୍ଦ୍ଦେଶକ କାର୍ଯ୍ୟାଳୟରେ କଟୁରୀ ଦେଖାଇ ଆତଙ୍କ ଖେଳାଇଲେ ଯୁବକ, CCTVରେ ଦୃଶ୍ୟ କଏଦ - Miscreants Vandalize Properties


ପ୍ରକାଶ ଥାଉକି, ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଯେତେବେଳେ ଆରମ୍ଭ ହୋଇଥିଲା ସେତେବେଳେ ଭୌଗୋଳିକ ଅବସ୍ଥାକୁ ଦୃଷ୍ଟିରେ ରଖି ପାର୍ଶ୍ଵବର୍ତ୍ତୀ ଗାଁ ଯେପରିକି ରଘୁନାଥପୁର, ଦାରୁଠେଙ୍ଗ ଆଦି ବାସିନ୍ଦାଙ୍କୁ ପ୍ରାଣୀ ଉଦ୍ୟାନ ମଧ୍ୟରେ ଯାଇଥିବା ମୁଖ୍ୟ ରାସ୍ତା ବ୍ୟବହାର କରିବା ପାଇଁ ଅନୁମତି ଦିଆଯାଇଥିଲା । କିନ୍ତୁ ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ବସ୍ତରୀୟ କରିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏଭଳି ସ୍ଥିତିରେ ଜଣେ ଯୁବକ ସ୍ଥାନୀୟ ବାସିନ୍ଦା ବୋଲି ପ୍ରାଣୀ ଉଦ୍ୟାନ ମଧ୍ୟରେ ନିଜର ପାୱାର ଦେଖାଇ ବାଇକ ଧରି ଯିବା ଆଦୌ ସହଜ ନୁହେଁ । ତେଣୁ ପ୍ରାଣୀ ଉଦ୍ୟାନ ମଧ୍ୟରେ ଯାଇଥିବା ଭିତର ରାସ୍ତାକୁ ସ୍ଥାନୀୟ ଅଧିବାସୀଙ୍କ ଯିବା ଆସିବା ନିଷେଦ୍ଧ କରାଯାଉ ବୋଲି ଦାବି ଉଠିଲାଣି ।



ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.