ETV Bharat / state

ଜିଲ୍ଲାପାଳଙ୍କୁ ୟୁଜିସିର ଚିଠି, 'ଜିଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି ' - Anti ragging committee

author img

By ETV Bharat Odisha Team

Published : Apr 29, 2024, 2:04 PM IST

Anti-ragging committee
Anti-ragging committee

Anti-ragging committee: ଜିଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି । ଜିଲ୍ଲାପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା ୟୁଜିସି । ଅଧିକ ପଢନ୍ତୁ

Anti-ragging committee
Anti-ragging committee

ଭୁବନେଶ୍ୱର: ରାଗିଂକୁ ରୋକିବା ପାଇଁ ଜିଲାସ୍ତରରେ ଗଠନ ହେବ ଆଣ୍ଟି ରାଗିଂ କମିଟି । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ଜିଲ୍ଲାର ଜିଲାପାଳଙ୍କୁ ଚିଠି ଲେଖି ଅବଗତ କରାଇଛି । ଏହି କମିଟିରେ କିଏ କଣ ରହିବେ ସେ ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଜିଲ୍ଲାପାଳ (ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍) କିମ୍ବା ଡେପୁଟି କମିଶନର ଏହି ଏହି ଆଣ୍ଟି ରାଗିଂ କମିଟିର ମୁଖ୍ୟ ରହିବେ। ଏମାନେ କମିଟିରେ ରହିବା ବାଧ୍ୟତାମୂଳକ କରାଯାଇଛି ।

ସେହିପରି ସଦସ୍ୟ ଭାବେ ବିଶ୍ୱବିଦ୍ୟାଳୟ, କଲେଜ କିମ୍ବା ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ଜିଲ୍ଲା ଏସ୍‌ପି ବା ଏସ୍‌ଏସ୍‌ପି ରହିବେ । ଏହି କମିଟିର ସଚିବ ସଦସ୍ୟ ଭାବେ ଆଡିସନାଲ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ରହିବେ । ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି, ଜିଲାସ୍ତରରେ କାର୍ଯ୍ୟ କରୁଥିବା ବେସରକାରୀ ସଂସ୍ଥା (ବିଶେଷ କରି ଯୁବପିଢ଼ୀ ଉପରେ କାର୍ଯ୍ୟ କରୁଥିବା ସଂସ୍ଥା)ର ପ୍ରତିନିଧି, ଛାତ୍ର ସଙ୍ଗଠନର ପ୍ରତିନିଧି ମଧ୍ୟ ଏଥିରେ ରହିବେ । ଗ୍ରୀଷ୍ମ ଅବକାଶ ମଧ୍ୟରେ ଏହି ଜିଲ୍ଲା ସ୍ତରୀୟ କମିଟି ଏକ ପ୍ରସ୍ତୁତି ବୈଠକ କରିବା ଉଚିତ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ରାଗିଂ ହେଉଛି ଏକ ଅପରାଧ । ରାଗିଂ ଦ୍ୱାରା ଛାତ୍ରାଛାତ୍ରୀମାନେ ମାନସିକ ସ୍ତରରେ କିମ୍ବା ଶାରୀରିକ ସ୍ତରରେ ଆଘାତ ପାଇଥାଏ । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା କରାଯାଉଥିଲେ ମଧ୍ୟ ଏଥିରେ ରୋକ ଲଗାଯାଇ ପାରୁନି । ଉଚ୍ଚ ଶିକ୍ଷାନୁଷ୍ଠାନରେ ରାଗିଂ ନିଷେଧ କରିବା ପାଇଁ ୟୁଜିସି ୨୦୦୯ରୁ ଆଣ୍ଟି ରାଗିଂ ରେଗୁଲେସନ ମଧ୍ୟ କରିଛି । ତେବେ ଏହାକୁ ଆହୁରି ସୁଦୃଢ଼ କରିବା ପାଇଁ ୟୁଜିସି ଏଭଳି ପଦକ୍ଷେପ ନେଇଛି ।

ଏହାମଧ୍ୟ ପଢନ୍ତୁ.. ରାଗିଂରେ ଲାଗୁନି ରୋକ୍, ସିନିୟରଙ୍କ ମାଡ଼ରେ ଭାଙ୍ଗିଲା ଜୁନିୟର ଛାତ୍ରୀଙ୍କ ହାତ

ରାଗିଂକୁ ନେଇ ବାରମ୍ବାର କଡା ଚେତାବନୀ ଦେଇ ଆସୁଛି ୟୁଜିସି । ଯଦି କୌଣସି ଶିକ୍ଷାନୁଷ୍ଠାନ ରାଗିଂକୁ ରୋକିବା ପାଇଁ ପର୍ଯ୍ୟାପ୍ତ ପଦକ୍ଷେପ ନେବାରେ ବିଫଳ ହୁଏ କିମ୍ବା ଏହି ନିୟମାବଳୀ ଅନୁଯାୟୀ କାର୍ଯ୍ୟ କରେ ନାହିଁ ତେବେ ୟୁଜିସି ଦ୍ଵାରା ଉକ୍ତ କଲେଜ ବିରୋଧରେ ଆଇନ ଅନୁଯାୟୀ ଦଣ୍ଡବିଧାନ କରାଯାଏ। ତେବେ ବିଭିନ୍ନ ମହାବିଦ୍ୟାଳୟ କିମ୍ବା ବିଶ୍ଵବିଦ୍ୟାଳୟରେ ଆଣ୍ଟି ରାଗିଂ ପ୍ରଚାର ଓ ସଚେତନତା କରାଯିବା ପରେ ଅନେକ ରାଗିଂ ଜନିତ ଘଟଣା ସାମ୍ନାକୁ ଆସିଥାଏ । ଏହାକୁ ରୋକିବାକୁ ଶିକ୍ଷାନୁଷ୍ଠାନ ଗୁଡିକରେ ରାଗିଂ ବିରୋଧି ଅଭିଯାନ ଜୋରଦାର କରାଯିବା ଉଚିତ । ପିଲାମାନଙ୍କୁ ସଚେତନ କରିବା ସହ ଆଣ୍ଟି-ରାଗିଂ କମିଟି ବା ଆଣ୍ଟି-ରାଗିଂ ସ୍କ୍ବାର୍ଡ ଗଠନ କରି ଏହା ଉପରେ କଡା ନଜର ରଖାଯିବା ଆବଶ୍ୟକ ।

ସେହିଭଳି ଛାତ୍ରଛାତ୍ରୀମାନଙ୍କ ସହିତ ନିୟମିତ କଥାବାର୍ତ୍ତା ଏବଂ ପରାମର୍ଶ, କଲେଜରେ ଛାତ୍ରଛାତ୍ରୀଙ୍କ ଅସୁବିଧା ଗୁଡ଼ିକର ଚିହ୍ନଟ ଏବଂ ଆଣ୍ଟି-ରାଗିଂ ଚେତାବନୀ ବିଷୟରେ ଆଲୋଚନା କରାଯିବା ଆବଶ୍ୟକ । ହଷ୍ଟେଲ, କ୍ୟାଣ୍ଟିନ, ବିଶ୍ରାମ କକ୍ଷ, ବସ୍ ଷ୍ଟାଣ୍ଡ ଗୁଡିକର ଅଚାନକ ଭାବରେ ଯାଞ୍ଚ କରାଯିବା ଆବଶ୍ୟକ । ଏହା ସହ ଆଡମିଶନ ସେଣ୍ଟର, ବିଭିନ୍ନ ବିଭାଗ, ଲାଇବ୍ରେରୀ, କ୍ୟାଣ୍ଟିନ, ହଷ୍ଟେଲ, କମନ ରୁମ୍ ଭଳି ସମସ୍ତ ପ୍ରମୁଖ ସ୍ଥାନରେ ଆଣ୍ଟି-ରାଗିଂ ପୋଷ୍ଟର ପ୍ରଦର୍ଶିତ ହେବା ଜରୁରୀ ।


ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.