ETV Bharat / state

ରାଉରକେଲାରେ ଚାଲିଥିଲା ରାହୁଲଙ୍କ ରାଲି, ଟ୍ରାଫିକ ଜାମରେ ଫସି ରହିଲା ଆମ୍ବୁଲାନ୍ସ

author img

By ETV Bharat Odisha Team

Published : Feb 7, 2024, 5:10 PM IST

Ambulance Stuck In Traffic Jam
Ambulance Stuck In Traffic Jam

Ambulance Stuck In Traffic Jam: ରାଉରକେଲାରେ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା'ରେ ସମର୍ଥକଙ୍କ ପ୍ରବଳ ଭିଡ଼ ଲାଗିଥିଲା । ଯେଉଁ କାରଣରୁ ଟ୍ରାଫିକ ସମସ୍ୟା ଦେଖା ଦେଇଥିବାବେଳେ ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଅଟକି ରହିଥିଲା । ଅଧିକ ପଢନ୍ତୁ,

Ambulance Stuck In Traffic Jam

ରାଉରକେଲା: ରାସ୍ତା ମଝିରେ ଅଟକିଲା ଆମ୍ବୁଲାନ୍ସ । ରାହୁଲ ଗାନ୍ଧୀଙ୍କ ଗସ୍ତ ବେଳେ ଏଭଳି ଟ୍ରାଫିକ ଜାମ୍ ଯୋଗୁ ଆମ୍ବୁଲାନ୍ସ ଫସି ରହିଥିଲା ଦେଖିବାକୁ ମିଳିଛି । ଯେତେ ସାଇରନ ମାରିଲେ ମଧ୍ୟ କୌଣସି ଗାଡ଼ି ହଟୁନଥିବାରୁ ଆମ୍ବୁଲାନ୍ସ ସେବାରେ ବାଧା ଉପୁଜିଥିଲା । ରୋଗୀକୁ ନେଇ ଯାଉଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମ ମଧ୍ୟରେ ଫସି ରହିଥିଲା । ଏଭଳି ଅଭାବନୀୟ ଦୃଶ୍ୟ ରାଉରକେଲା ସହରରେ ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ରାଉରକେଲା ସହରର ପାନପୋଷ ନିକଟରେ ଗାଡି଼ ଜାମ୍ ଥିବାବେଳେ ପ୍ରାୟ ଅଧ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା ଆମ୍ବୁଲାନ୍ସ ।

ଆଜି ରାଉରକେଲା ସହରରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଚାଲିଥିବାବେଳେ ସହରରେ ନାହିଁ ନଥିବା ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଥିଲା । କେବଳ ରାହୁଲ ଗାନ୍ଧୀଙ୍କ ଯିବା ବାଟ କ୍ଲିୟର ଥିବାବେଳେ ଅନ୍ୟପଟରେ ଆମ୍ବୁଲାନ୍ସଟି ଅଟକି ରହିଥିଲା । କଂଗ୍ରେସର 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ, ଆଜି ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ ନ୍ୟାୟ ଯାତ୍ରା' ଚାଲିଥିବାବେଳେ ଏକ ବିଶାଳ ଶୋଭାଯାତ୍ରା ପାନପୋଷ ସରକାରୀ କଲେଜ ନିକଟରୁ ଗାନ୍ଧୀ ଛକ ନିକଟକୁ ଯାଉଥିଲା । ଏହି ସମୟରେ ସେଠାରେ ବହୁ ସମୟ ଧରି ଟ୍ରାଫିକ ଜାମ ସ୍ଥିତି ଉପୁଜିଥିଲା ଏବଂ ଶହ ଶହ ଗାଡି଼ ମଧ୍ୟ ଅଟକି ରହିଥିଲା ।

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ; ପ୍ରତି ଲୋକଙ୍କ ଦୁଃଖ ଶୁଣିବୁ କହିଲେ ରାହୁଲ

ଗୋଟିଏପଟେ ରାଉରକେଲାରେ 'ଭାରତ ଯୋଡୋ ନ୍ୟାୟ ଯାତ୍ରା' ଚାଲିଥିବାବେଳେ ଟ୍ରାଫିକ ଜାମରେ ଏଭଳି ଆମ୍ବୁଲାନ୍ସ ଫସି ରହିବା ଘଟଣା ଏକ ଚିନ୍ତା ଜନକ ବିଷୟ । ପୋଲିସ ପ୍ରଶାସନ ମଧ୍ୟ ରାସ୍ତା କ୍ଲିୟର ପାଇଁ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ଟ୍ରାଫିକ ଜାମ ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କୁ ଏହାର ପରିଣାମ ଭୋଗିବାକୁ ପଡିଛି। ଏହାସହ ଯାନବାହନ ଅଟକି ରହିବା କାରଣରୁ ହନ୍ତସନ୍ତ ହୋଇଛନ୍ତି ଅନେକ ଯାତ୍ରୀ ଓ ଛାତ୍ରଛାତ୍ରୀ । ସୁନ୍ଦରଗଡ଼ ଗସ୍ତରେ ଆସିଥିବା ରାହୁଲ ଗାନ୍ଧୀଙ୍କୁ ସ୍ବାଗତ କରିବା ପାଇଁ ଏକାଠି ହୋଇଥିଲେ ବହୁ ସମର୍ଥକ । ଟ୍ରାଫିକ ସମସ୍ୟାକୁ କଂଗ୍ରେସ ବେଖାତିର କରିଥିବା ଅଭିଯୋଗ ହୋଇଛି । ତେବେ ବହୁ ସମୟ ଧରି ଏଭଳି ଅନିଶ୍ଚିତତା ଲାଗିରହିଥିବାବେଳେ ଶେଷରେ ପ୍ରାୟ ପାଖାପାଖି ଘଣ୍ଟାଏ ପରେ ଟ୍ରାଫିକ ଜାମ କମିବାରୁ ଆମ୍ବୁଲାନ୍ସଟି ଯିବାରେ ସକ୍ଷମ ହୋଇଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.