ETV Bharat / state

ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ନନ୍ଦନବନ ପ୍ରକଳ୍ପ ! କରାଯାଉନି ରକ୍ଷଣାବେକ୍ଷଣ - Nandanvan Safari

author img

By ETV Bharat Odisha Team

Published : Apr 23, 2024, 4:37 PM IST

Etv Bharat
Etv Bharat

Nandanvan Safari: ଦୁର୍ନୀତିର ସବୁସୀମା ଟପିଲା ବୌଦ୍ଧର ଆକାଂକ୍ଷିତ ପ୍ରକଳ୍ପ । କୋଟି କୋଟି ଟଙ୍କାର ପ୍ରକଳ୍ପ କେବଳ ଠିକାଦାରଙ୍କ ପୋଷିବାର ମାଧ୍ୟମ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

ନନ୍ଦନବନ

ବୌଦ୍ଧ: କଥାରେ ଅଛି ସରକାରଙ୍କ ମାଲ ଦରିଆ ମେ ଡାଲ । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାରେ । ଜିଲ୍ଲାର ବହୁ ଆକାଂକ୍ଷିତ ପ୍ରକଳ୍ପ ବର୍ତ୍ତମାନ ପରିତ୍ୟକ୍ତ ତଥା ଅଲୋଡ଼ା ହୋଇ ରହିଛି । ପ୍ରାୟ ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାରେ ଆରମ୍ଭ ହୋଇଥିବା ଆକାଂକ୍ଷିତ ନନ୍ଦନବନ ପ୍ରକଳ୍ପ କେବଳ ଠିକାଦାର ପୋଷା ନୀତିରେ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏକକାଳୀନ ତିନୋଟି ପ୍ରକଳ୍ପ ବର୍ତ୍ତମାନ ପରିତ୍ୟକ୍ତ ତଥା ବିପର୍ଯ୍ୟସ୍ତ ହୋଇପଡିଛି । ବର୍ତ୍ତମାନ ଏହା ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ବୌଦ୍ଧ ଜିଲ୍ଲାର ମଥୁରା ଓ ବୀରନରସିଂହପୁର ପଞ୍ଚାୟତର ପ୍ରାୟ 1500 ଏକରରୁ ଊର୍ଦ୍ଧ୍ୱ ପରିମିତ ଅଞ୍ଚଳରେ ଓଡ଼ିଶାର ପ୍ରଥମ ପରିବେଶ ଭିତ୍ତିକ ସଫାରୀ ନନ୍ଦନବନ ପ୍ରକଳ୍ପ ପାଇଁ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଥିଲା । ଏହି ପ୍ରକଳ୍ପ ମଧ୍ୟରେ ପ୍ରସ୍ତାବିତ ନନ୍ଦନବନ, ଯାଯାବର ରେଷ୍ଟୁରାଣ୍ଟ ଓ ଇକୋ ପାର୍କର ପରିକଳ୍ପନା କରାଯାଇଥିଲା । ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଯୋଗାଇ ଦିଆଗଲା । ଲକ୍ଷ୍ୟ ଥିଲା ଏସବୁ ସବୁଜ ବନାନୀ ପରିପୂର୍ଣ୍ଣ ଅଞ୍ଚଳର ପ୍ରକୃତି ପର୍ଯ୍ୟଟନର ବିକାଶ, ଜଙ୍ଗଲ ସଫାରୀ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀକୁ ସଶକ୍ତିକରଣ ସହିତ ଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ପାରମ୍ପରିକ ଖାଦ୍ୟ ଯୋଗାଇବା । ଏସବୁ ଲକ୍ଷ୍ୟ କଥା ଦୂରରେ ଥାଉ ଗୋଟିଏ ବର୍ଷ ମଧ୍ୟରେ ଏହି କୋଟି କୋଟି ଟଙ୍କାର ନନ୍ଦନବନ ପ୍ରକଳ୍ପ ଧିରେ ଧିରେ ଧ୍ବଂସ ପାଇବାରେ ଲାଗିଛି । ନନ୍ଦନବନ ପ୍ରକଳ୍ପ ଅଞ୍ଚଳରେ ଥିବା ବହୁ ମୂଲ୍ୟବାନ ଜଙ୍ଗଲ ସବୁ ଧ୍ବଂସ ହେବାରେ ଲାଗିଥିବା ବେଳେ ଯାଯାବର ଓ ପାର୍କ ଅଞ୍ଚଳରେ ବିଦ୍ୟୁତ କିମ୍ବା ଜଗୁଆଳି ନଥିବାରୁ ଏସବୁ ଅଞ୍ଚଳରେ ବର୍ତ୍ତମାନ ମଦ୍ୟପ ତଥା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।

ଏହା ମଧ୍ୟ ପଢନ୍ତୁ-ବୌଦ୍ଧରେ ରାଜ୍ୟର ପ୍ରଥମ ବନ୍ୟପ୍ରାଣୀ ସଫାରୀ ନନ୍ଦନବନ ପ୍ରକଳ୍ପ

ଏକଦା ଜଙ୍ଗଲ ସମ୍ପଦରେ ଭରପୁର ଥିବା ବୀରନରସିଂହପୁର ଅଞ୍ଚଳର ହଜାର ହଜାର ଗଛକୁ ଦୁର୍ବୃତ୍ତ ମାଫିଆମାନେ କାଟି ନେଲେଣି । ଏହାଛଡା ଯାଯାବର ରେଷ୍ଟୁରାଣ୍ଟ ଦୀର୍ଘ ଦିନ ହେଲା ବନ୍ଦ ଥିବାରୁ ସେସବୁ ଅଞ୍ଚଳରେ ଅସାମାଜିକଙ୍କ ପ୍ରାଦୁର୍ଭାବ ବଢ଼ି ଚାଲିଛି । ଏସବୁ ଅଞ୍ଚଳ ପର୍ବତ ଶ୍ରେଣୀରେ ଆସୁଥିବା ଯୋଗୁଁ ଜଙ୍ଗଲ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିପାରୁ ନଥିବା ସୂଚନା ଦେଇ ବିଭାଗର ଅସହାୟତାକୁ ସ୍ବୀକାର କରିଛନ୍ତି ବନଖଣ୍ଡ ଅଧିକାରୀ । ପରିବେଶ ପ୍ରେମୀ ତଥା ବୁଦ୍ଧିଜୀବୀ ଏନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦର ଅପାରଗତା ଯୋଗୁଁ ଜିଲ୍ଲାର ଏହି ବହୁ ଆକାଂକ୍ଷିତ ପ୍ରକଳ୍ପ ଅଲୋଡ଼ା ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.