ETV Bharat / state

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର !

author img

By ETV Bharat Odisha Team

Published : Mar 7, 2024, 3:51 PM IST

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର

BSKY Scheme in Kendrapada : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରାଯାଇଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତ ବିକାଶ ପୁସ୍ତିକାରେ କେନ୍ଦ୍ରାପଡ଼ାର ଦ୍ରୌପଦୀ ପ୍ରଧାନଙ୍କ ବଡ଼ଝିଅକୁ ବିଜୁ ସ୍ୱାସ୍ଥ୍ୟକାର୍ଡ ଯୋଜନାରେ ଦେଢ଼ ଲକ୍ଷ ଟଙ୍କାର ସହାୟତା ମିଳିଥିବା ତାର ଫଟୋ ସହ ଛପା ଯାଇଛି । ଯାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହି ଥାନାର ଦ୍ବାରସ୍ଥ ହୋଇଛନ୍ତି ଦ୍ରୌପଦୀ । ଅଧିକ ପଢ଼ନ୍ତୁ

କେନ୍ଦ୍ରାପଡ଼ା: ମଣିଷ ସତ ହେଲେ ରୋଗ ମିଛକୁ ବିଜ୍ଞାପନ ମଧ୍ୟ ମିଛ । ପୁଣି ସାମ୍ନାକୁ ଆସିଲା ରାଜ୍ୟ ସରକାରଙ୍କ ମିଥ୍ୟା ପ୍ରଚାର ଘଟଣା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନାଁରେ ମିଛ ପ୍ରଚାର କରାଯାଇଥିବା ନେଇ ଅଭିଯୋଗ କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତର ଦ୍ରୌପଦୀ ପ୍ରଧାନ ଏହି ଆଭିଯୋଗ ଆଣିଛନ୍ତି । ଦ୍ରୌପଦୀଙ୍କ ସାନଝିଅର କିଡ୍‌ନୀ ରୋଗ ପାଇଁ କିଛି ବଦାନ୍ୟ ବ୍ୟକ୍ତି ଓ ନିଜସ୍ୱ ଅର୍ଥରେ ସେ ଝିଅର ଚିକିତ୍ସା କରାଇଥିବା ବେଳେ ପଞ୍ଚାୟତ ବିକାଶ ପୁସ୍ତିକାରେ ତାଙ୍କ ସାନଝିଅ ବଦଳରେ ବଡ଼ଝିଅକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଦେଢ଼ ଲକ୍ଷ ଟଙ୍କାର ସହାୟତା ମିଳିଥିବା ଖବର ସହ ତାର ଫଟୋ ଛପା ଯାଇଛି । ଯାହାକୁ ନେଇ ଦ୍ରୌପଦୀଙ୍କ ପରିବାର ପୋଲିସର ଦ୍ବାରସ୍ଥ ହୋଇଛନ୍ତି ।

ପ୍ରଶାସନିକ ଅଧିକାରୀଙ୍କ ଠାରୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ସହାୟତା ମିଳିନଥିବା ବେଳେ "ଆମ ଓଡିଶା ନବୀନ ଓଡିଶା" କାର୍ଯ୍ୟକ୍ରମ ଅନୁସାରେ ଆମ ପଞ୍ଚାୟତର ବିକାଶ ପୁସ୍ତିକାରେ ସହାୟତା ପାଇଥିବା ନେଇ ଫଟୋ ସ୍ଥାନ ପାଇଛି । ଯାହାକୁ ନେଇ ମୁହଁ ଖୋଲିଛନ୍ତି ଦ୍ରୌପଦୀ । ଦ୍ରୌପଦୀଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସାନଝିଅ ମନୀଷା ପ୍ରଧାନ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇଥିଲେ । କିଛି ବଦାନ୍ୟ ବ୍ୟକ୍ତି ଓ ନିଜସ୍ୱ ଅର୍ଥରେ ସେ ଝିଅର ଚିକିତ୍ସା କରାଇଛନ୍ତି । ତେବେ ପଞ୍ଚାୟତ ବିକାଶ ପୁସ୍ତିକାରେ ତାଙ୍କ ସାନଝିଅକୁ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନାରେ ଦେଢ଼ ଲକ୍ଷ ଟଙ୍କାର ସହାୟତା ମିଳିଛି ବୋଲି ପୁସ୍ତିକାରେ ସ୍ଥାନ ପାଇଥିବା ବେଳେ ସାନଝିଅ ବଦଳରେ ବଡ଼ ଝିଅର ଫଟୋ ବସିଛି । ବିବାହିତ ବଡ଼ଝିଅର ଫଟୋ ବାହାରିବା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସହିତ ଝିଅର ପାରିବାରିକ ଦାମ୍ପତ୍ୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ... ବିଜେଡିର ମିଛ ପ୍ରଚାର ! BSKYରେ ଚିକିତ୍ସିତ ନହୋଇ ମହିଳାଙ୍କ ଛପା ହୋଇଛି ଫଟୋ

ଅନ୍ୟପଟରେ ଦ୍ରୌପଦୀଙ୍କ ପରିବାର ଲୋକ କୌଣସି ଅର୍ଥ ପାଇନଥିବା ନେଇ ଆଳି ଥାନାରେ ସ୍ଥାନୀୟ ସରପଞ୍ଚଙ୍କ ନାମରେ ଲିଖିତ ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଅଞ୍ଚଳର ପୂର୍ବତନ ବିଧାୟକ ଏଭଳି ଅପପ୍ରଚାର କରି ରାଜ୍ୟ ସରକାର ଆଉ କେତେ ତଳକୁ ଖସିବେ ବୋଲି ପ୍ରଶ୍ନ କରିଛନ୍ତି । ମିଛ ପ୍ରଚାରର ଆଉ ଗୋଟିଏ ନାଁ ହେଉଛି "ଆମ ଓଡିଶା ନବୀନ ଓଡିଶା" ବୋଲି ଅଭିଯୋଗକାରିଣୀ କହିଛନ୍ତି । ନିଜର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ଏଭଳି ଅନ୍ଧ ହୋଇଯାଇଛନ୍ତି ଯେ ଲୋକଙ୍କ ପାଖରେ ମିଛ ତଥ୍ୟ ବାଢି ଦେଉଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରତ୍ୟେକ ପଞ୍ଚାୟତରେ ଅନୁଷ୍ଠିତ ହୋଇଥିବା "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକ୍ରମର ବୁକଲେଟ୍‌ ମାଧ୍ୟମରେ ଭୁଲ ତଥ୍ୟ ଦେଇ ଗୋଟିଏ ପରିବାରରେ ବିଶୃଙ୍ଖଳା ଓ ଅସନ୍ତୋଷ ସୃଷ୍ଟି କରାଇଯାଇଥିବା ଅଭିଯୋଗ କରାଯାଇଛି । ଯାହାକୁ ନେଇ ପରିବାର ଲୋକ ଚିନ୍ତାରେ ଥିବାବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା କୁହାଯାଇଛି ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.