ETV Bharat / state

ରାଜ୍ୟରେ ପ୍ରଥମ, ଭୁବନେଶ୍ବର ଏମ୍ସରେ କୃତ୍ରିମ ମୂତ୍ର ସ୍ପିଙ୍କ୍ଟର ପ୍ରତିରୋପଣ ସେବା ଆରମ୍ଭ - AIIMS Bhubaneswar

author img

By ETV Bharat Odisha Team

Published : Apr 17, 2024, 10:56 PM IST

Artificial Urinary Sphincter Implantation Service In AIIMS: ରାଜ୍ୟରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି କୃତ୍ରିମ ମୂତ୍ର ସ୍ପିଙ୍କ୍ଟର (ଏୟୁଏସ) ପ୍ରତିରୋପଣ ସେବା । ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା । ଅଧିକ ପଢନ୍ତୁ

ଭୁବନେଶ୍ବର ଏମ୍ସରେ ରାଜ୍ୟରେ ପ୍ରଥମ ଥର କୃତ୍ରିମ ମୂତ୍ର ସ୍ପିଙ୍କ୍ଟର ପ୍ରତିରୋପଣ ସେବା ଆରମ୍ଭ
ଭୁବନେଶ୍ବର ଏମ୍ସରେ ରାଜ୍ୟରେ ପ୍ରଥମ ଥର କୃତ୍ରିମ ମୂତ୍ର ସ୍ପିଙ୍କ୍ଟର ପ୍ରତିରୋପଣ ସେବା ଆରମ୍ଭ

ଭୁବନେଶ୍ବର: ଗୁରୁତର ବହୁ ମୂତ୍ର ରୋଗରେ ପୀଡିତଙ୍କ ପାଇଁ ଭଲ ଖବର । ଏଣିକି ଏହି ରୋଗୀମାନଙ୍କୁ ଆଉ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡିବ ନାହିଁ । ରାଜ୍ୟରେ ପ୍ରଥମ ଥର ପାଇଁ ଏମ୍ସ ଭୁବନେଶ୍ବରରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ର ସ୍ପିଙ୍କ୍ଟର (ଏୟୁଏସ) ପ୍ରତିରୋପଣ କରାଯାଇଛି । ଏକ ସୁଦକ୍ଷ ଡ଼ାକ୍ତରୀ ଦଳ ଏହି ବିଶେଷ ପ୍ରତିରୋପଣ ପ୍ରକ୍ରିୟା ସମ୍ପାଦନ କରିଛନ୍ତି । ଏହି ସେବା ଫଳରେ ଏମସ୍ ର ଇତିହାସରେ ସଫଳତାର ଆଉ ଏକ ନୂଆ ଅଧ୍ୟାୟ ଯୋଡି ହୋଇଛି ।

ପୂର୍ବରୁ ଏହି ପ୍ରତିରୋପଣ କେବଳ ଦେଶର ହାତଗଣତି କିଛି ବଡ଼ ସହରରେ ଉପଲବ୍ଧ ଥିଲା । ବର୍ତ୍ତମାନ ଏହା ଏମ୍ସ ଭୁବନେଶ୍ବରରେ ଉପଲବ୍ଧ ହୋଇପାରିଛି । ପ୍ରୋଷ୍ଟେଟ ସର୍ଜରୀ, ମେରୁଦଣ୍ଡରେ ଆଘାତ କିମ୍ବା ମୂତ୍ର ନିୟନ୍ତ୍ରଣକୁ ପ୍ରଭାବିତ କରୁଥିବା ଅନ୍ୟାନ୍ୟ ବିଭିନ୍ନ କାରଣରୁ ଅଧିକାଂଶ ବ୍ୟକ୍ତି ପରିସ୍ରା ଉପରେ ନିୟନ୍ତ୍ରଣ ହରାଇଥାନ୍ତି । ଯାହାକି ସେମାନଙ୍କ ଦୈନନ୍ଦିନ ଜୀବନ ପ୍ରକ୍ରିୟାକୁ ବେଶ ପ୍ରଭାବିତ କରିଥାଏ । କୃତ୍ରିମ ୟୁରିନାରୀ ସ୍ପିଙ୍କ୍ଟର ହେଉଛି ଏପରି ଏକ ଅତ୍ୟାଧୁନିକ ଉପକରଣ ଯାହାକି ମୂତ୍ରବାହିନୀରେ ନିୟନ୍ତ୍ରକ ଭାବେ କାର୍ଯ୍ୟ କରିଥାଏ । ଯାହାକି ଅନିୟନ୍ତ୍ରିତ ପରିଶ୍ରାରୁ ମୁକ୍ତି ଦେବା ସହିତ ସାଧାରଣ ଜୀବନଯାପନ ପ୍ରକ୍ରିୟାକୁ ସ୍ଵାଭାବିକ କରିଥାଏ ।

ଏହା ମଧ୍ୟ ପଢନ୍ତୁ ... ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଡାଉନ୍‌ ସିଣ୍ଡ୍ରୋମ ଉପରେ ନିୟମିତ କାଉନ୍‌ସେଲିଂ - Counseling On Down Syndrome

ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ଅତ୍ୟାଧୁନିକ ଆର୍ଟିଫିସିଆଲ୍ ୟୁରିନାରୀ ସ୍ପିଙ୍କ୍ଟର ପ୍ରତିରୋପଣ ସେବା ଆରମ୍ଭରେ ଖୁସି ବ୍ୟକ୍ତ କରିଛନ୍ତି । ଏହା ସହିତ ବିଶେଷଜ୍ଞ ଡାକ୍ତରୀ ଦଳ ଏବଂ ୟୁରୋଲୋଜି ବିଭାଗକୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ରାଜ୍ୟ ତଥା ପୂର୍ବ ଭାରତର ଲୋକମାନେ ଏହି ସେବା ପାଇପାରିବେ, ଯେଉଁଥିପାଇଁ ସେମାନଙ୍କୁ ପୂର୍ବରୁ ଅନ୍ୟ ରାଜ୍ୟକୁ ଯିବାକୁ ପଡୁଥିଲା ବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି ।

ଏମ୍ସ ଭୁବନେଶ୍ବରର ୟୁରୋଲୋଜି ବିଭାଗର ସହକାରୀ ପ୍ରଫେସର ଡ. ସମ୍ବିତ ତ୍ରିପାଠୀଙ୍କ ମତରେ ଏହି ପ୍ରତିରୋପଣ ସେବା ଆରମ୍ଭ କରିବା ବ୍ୟାପକ ତଥା ଉନ୍ନତ ଚିକିତ୍ସା ଚିକିତ୍ସା ପ୍ରଦାନ ପାଇଁ ଆମର ପ୍ରତିବଦ୍ଧତାର ଏକ ପ୍ରମୁଖ ପରିଚୟ ଅଟେ । ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକ କହିଛନ୍ତି ଯେ ଆମେ ଆମର ରୋଗୀଙ୍କୁ ସର୍ବୋତ୍ତମ ସମ୍ଭାବ୍ୟ ଫଳାଫଳ ପ୍ରଦାନ କରିବା ଏବଂ ସେମାନଙ୍କ ନିତିଦିନିଆ ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଉତ୍ସର୍ଗୀକୃତ । ଏହି ନୂତନ ସେବା ମଧ୍ୟରେ କରାଯାଇଥିବା ସମସ୍ତ ପ୍ରକ୍ରିୟା ପାଇଁ ସର୍ବୋଚ୍ଚ ନିରାପତ୍ତା ଏବଂ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ଉପଲବ୍ଧ ରହିଛି ।

କୃତ୍ରିମ ୟୁରିନାରୀ ସ୍ପିଙ୍କ୍ଟର ପ୍ରତିରୋପଣ ପ୍ରଣାଳୀ ମୂତ୍ର ରୋଗୀଙ୍କ ପାଇଁ ସର୍ବୋଚ୍ଚ ଚିକିତ୍ସା ଭାବରେ ସ୍ବୀକୃତିପ୍ରାପ୍ତ । ଏମ୍ସ ଭୁବନେଶ୍ବରରେ ଆର୍ଟିଫିସିଆଲ୍ ୟୁରିନାରୀ ସ୍ପିଙ୍କ୍ଟର ପ୍ରତିରୋପଣ ସେବା ବିଷୟରେ ଅଧିକ ସୂଚନା କିମ୍ବା ଏନେଇ ପରାମର୍ଶ କରିବାକୁ ଚାହୁଁଥିବା ରୋଗୀମାନେ ଏମ୍ସ ଭୁବନେଶ୍ବର ୟୁରୋଲୋଜି ବିଭାଗ ସହିତ ଯୋଗାଯୋଗ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.