ETV Bharat / state

ଭୁବନେଶ୍ଵର ଏମ୍ସରେ ଆରମ୍ଭ ହେଲା ଡାଉନ୍‌ ସିଣ୍ଡ୍ରୋମ ଉପରେ ନିୟମିତ କାଉନ୍‌ସେଲିଂ - Counseling on Down Syndrome

author img

By ETV Bharat Odisha Team

Published : Mar 22, 2024, 8:34 PM IST

Regular Counseling on Down Syndrome: ଏମ୍ସ ଭୁବନେଶ୍ଵରରେ ଆରମ୍ଭ ହୋଇଯାଇଛି ଡାଉନ୍‌ ସିଣ୍ଡ୍ରୋମ ଉପରେ ନିୟମିତ କାଉନ୍‌ସେଲିଂ। ତେବେ ଅଧିକ ବୟସରେ ମାତୃତ୍ବ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ । ଅଧିକ ପଢ଼ନ୍ତୁ,

ଡାଉନ୍‌ ସିଣ୍ଡ୍ରୋମ
ଡାଉନ୍‌ ସିଣ୍ଡ୍ରୋମ

ଭୁବନେଶ୍ବର: ଏମ୍ସ ଭୁବନେଶ୍ଵରରେ ଆରମ୍ଭ ହୋଇଯାଇଛି ଡାଉନ୍‌ ସିଣ୍ଡ୍ରୋମ ଉପରେ ନିୟମିତ କାଉନ୍‌ସେଲିଂ। ତେବେ ଅଧିକ ବୟସରେ ମାତୃତ୍ବ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ । ଏମ୍ସ ଭୁବନେଶ୍ବର ପେରିନାଟାଲ (ଜନ୍ମ ପୂର୍ବ ଏବଂ ପର ଅବସ୍ଥା) କ୍ଲିନିକ୍ ପକ୍ଷରୁ ଡାଉନ୍ ସିଣ୍ଡ୍ରୋମ୍‌ ପ୍ରଭାବିତ ଶିଶୁମାନଙ୍କ ପିତାମାତା ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ସମ୍ପର୍କରେ ନିୟମିତ କାଉନ୍‌ସେଲିଂ ପ୍ରଦାନ କରାଯାଉଛି। ଏହି କ୍ଲିନିକ୍‌ ସ୍ତ୍ରୀ ଏବଂ ପ୍ରସୂତୀ (ଗାଇନେକୋଲୋଜି), ଶିଶୁ (ପେଡିଆଟ୍ରିକ୍‌ସ), ଜନ୍ମଜାତ ଶିଶୁ (ନିଓନାଟୋଲୋଜି), ଶରୀର ରଚନା (ଆନାଟୋମି) ଏବଂ ମାନସିକ (ସାଇକିଆଟ୍ରିକ୍‌) ବିଭାଗର ବିଶେଷଜ୍ଞ ମାନଙ୍କୁ ନେଇ ଆରମ୍ଭ ହୋଇଛି କାଉନସେଲିଂ।

ସେହିପରି ଭାବରେ ଏହି ଜାତୀୟ ଅନୁଷ୍ଠାନର ସାଇଟୋଜେନେଟିକ୍ ଲାବୋରୋଟୋରୀ ଦ୍ବାରା କାରିଓଟାଇପିଂ ମାଧ୍ୟମରେ ଡାଉନ୍ ସିଣ୍ଡ୍ରୋମ ପରି ସାଧାରଣ କ୍ରୋମୋଜୋମ୍‌ ଜନିତ ସମସ୍ୟାକୁ ଚିହ୍ନଟ କରିବାରେ ସହାୟକ ହେଉଛି ଭୁବନେଶ୍ବର ଏମ୍ସ। ଯାହାକୁ ନେଇ ଆନାଟୋମି ବିଭାଗର ମୁଖ୍ୟ ଡଃ ମନୀଷା ଆର୍‌ କହିଛନ୍ତି ‘‘ଏମ୍ସ ଭୁବନେଶ୍ବର ଏବଂ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ସାଇନ୍ସ୍‌ ପକ୍ଷରୁ ମିଳିତ ଭାବେ ଡାଉନ୍ ସିଣ୍ଡ୍ରୋମ୍‌ ସମ୍ପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଉଛି। ଭାରତରେ ପ୍ରତି ୮୩୦ ଜନ୍ମରେ ଜଣେ ଶିଶୁ ଡାଉନ୍ ସିଣ୍ଡ୍ରୋମ୍ ଦ୍ବାରା ପ୍ରଭାବିତ ହେଉଛନ୍ତି। ଏଥିରେ ପ୍ରଭାବିତ ଶିଶୁମାନଙ୍କର ମୁଖମଣ୍ଡଳ ସାଧାରଣତଃ ସମତଳ ହୋଇଥାଏ। ସେହିପରି ଉର୍ଦ୍ଧ୍ବମୁଖୀ ଆଖି, ପାପୁଲିରେ ଏକମାତ୍ର ରେଖା ଏବଂ ପାଦର ବୁଢ଼ା ଆଙ୍ଗୁଠି ଏବଂ ଦ୍ବିତୀୟ ଆଙ୍ଗୁଠି ମଧ୍ୟରେ ଅଧିକ ଫାଙ୍କ ପରିଲକ୍ଷିତ ହୋଇଥାଏ। ଏହା ସହ ଏହି ଶିଶୁମାନଙ୍କ ମଧ୍ୟରେ ଜନ୍ମଜାତ ହୃଦ୍‌ରୋଗ, ବାରମ୍ବାର ଶ୍ବାସକ୍ରିୟା ସଂକ୍ରମଣ ଏବଂ ବୌଦ୍ଧିକ ବିକାଶରେ ପ୍ରଭୂତ ମନ୍ଥରତା ଦେଖାଯାଇଥାଏ। ଅଧିକ ବୟସରେ ମାତୃତ୍ବ ଲାଭ ଡାଉନ୍‌ ସିଣ୍ଡ୍ରୋମ୍‌ର ସମ୍ଭାବନାକୁ ବଢ଼ାଇଥାଏ।’’

ଏହା ମଧ୍ୟ ପଢ଼ନ୍ତୁ... ଭୁବନେଶ୍ବର ଏମ୍ସକୁ ଏସିଆ ସେଫ୍‌ ସର୍ଜିକାଲ୍ ଇମ୍ପ୍ଲାଣ୍ଟ କନସୋର୍ଟିୟମ୍ ପୁରସ୍କାର

ଏନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା, ସଠିକ୍‌ ସମୟରେ ରୋଗ ନିରୂପଣ ନିମନ୍ତେ ସଚେତନ ହେବା ଏବଂ ଉପଯୁକ୍ତ ଚିକିତ୍ସା ଏବଂ ପୁନର୍ବାସ ପଦ୍ଧତି ଅବଲମ୍ବନ କରିବା ଆବଶ୍ୟକ ରହିଥିବା ଡଃ ମନୀଷା ଆର୍‌ କହିଛନ୍ତି । ଏପଟେ ଡାଉନ୍ ସିଣ୍ଡ୍ରୋମ ଏବଂ ଅନ୍ୟାନ୍ୟ ଜେନେଟିକ୍ ବ୍ୟାଧି ଉପରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ନେଇ ଆନାଟୋମୀ ବିଭାଗ ଏବଂ ଆଇଏଚ୍‌ଏସ ପକ୍ଷରୁ ଆୟୋଜିତ ଏପରି ଅନନ୍ୟ କାର୍ଯ୍ୟକ୍ରମ ନିମନ୍ତେ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଆଶୁତୋଷ ବିଶ୍ବାସ ପ୍ରଶଂସା କରିଛନ୍ତି। ସାଧାରଣ ଜିନଗତ ବ୍ୟାଧି ଯେପରି ଭାବରେ ସ୍ପିଚ୍‌ ଥେରାପି, ଅକୁପେସ୍‌ନାଲ ଥେରାପି ଓ ଫିଜିଓଥେରାପି ଆଦି କ୍ଷେତ୍ରରେ ଆଇଏଚ୍‌ଏସ ମଧ୍ୟ ବିଭିନ୍ନ ଚିକିତ୍ସା ସୁବିଧା ଯୋଗାଇ ଆସୁଛି। ଏହି ବ୍ୟବସ୍ଥା ଗୋଟିଏ ଛାତ ତଳେ ଏବଂ ରୋଗୀକୈନ୍ଦ୍ରିକ ହେବା ଉଚିତ ବୋଲି ସେ କହିଛନ୍ତି। ଏହା ସହ ସାଧାରଣ ଜିନ୍‌ଗତ ବ୍ୟାଧି ଥିବା ରୋଗୀଙ୍କୁ ଚିହ୍ନଟ, ପ୍ରତିରୋଧ ଏବଂ ଆଜୀବନ ପରିଚାଳନା ହେଉଛି ଏକ ନିରନ୍ତର ପ୍ରକ୍ରିୟା । ଏନେଇ ଆମ ସମାଜରେ ଥିବା ନକରାତ୍ମକ ଚିନ୍ତାଧାରାରେ ପରିବର୍ତ୍ତନ ହେବା ଉଚିତ୍ ବୋଲି ସେ କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.