ETV Bharat / state

ଟଙ୍କା ଧାର ମାଗି ଝାମ୍ପିନେଲା ସୁନାଚେନ, ଧରାପଡ଼ିଲା ଅଭିଯୁକ୍ତ - Loot In Bhubaneswar

author img

By ETV Bharat Odisha Team

Published : Apr 3, 2024, 9:44 AM IST

Loot In Bhubaneswar
Loot In Bhubaneswar

Loot In Bhubaneswar: ରାଜଧାନୀରେ ଟଙ୍କା ଧାର ମାଗିବା ଆଳରେ ଲୁଟ । ଗାଡି ଚାଳକଙ୍କ ବେକରୁ ସୁନାଚେନ ଲୁଟି ନେବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ଅଧିକ ପଢନ୍ତୁ

ଭୁବନେଶ୍ବର: ଦିନକୁ ଦିନ ବଢିବାରେ ଲାଗିଛି ଲୁଟ୍‌ପାଟ୍‌ ମାମଲା । ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି ଲୁଟେରା । ଟଙ୍କା ଧାର ମାଗିବା ଆଳରେ କରୁଛନ୍ତି ଲୁଟ । ଗାଡି ଚାଳକଙ୍କ ବେକରୁ ସୁନାଚେନ ଲୁଟି ନେବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି ଚନ୍ଦକା ଥାନା ପୋଲିସ । ତେବେ ଅଭିଯୁକ୍ତ ଜଣକ ଚନ୍ଦକା ଥାନା ଅଞ୍ଚଳର କୁକୁଡାମୁଣ୍ଡିର ସୁନିଆ ବେହେରା ବୋଲି ଜଣାପଡିଛି ।

ସୁଚନା ମୁତାବକ, ଗଞ୍ଜାମର ଭି ସ୍ବପ୍ନଶ୍ୱର ରାଜୁ ନାମକ ବ୍ୟକ୍ତି ସୋମବାର ଦିନ ଅପରାହ୍ନ ସମୟରେ କାର ନେଇ ଖୋର୍ଦ୍ଧା ଅଭିମୁଖେ ଯାଉଥିଲେ । ସେହି ସମୟରେ ମେଣ୍ଢାଶାଳ ଫାଣ୍ଡି ଅଧିନସ୍ତ କୁକୁଡ଼ାମୁଣ୍ଡି ଠାରେ ଗାଡିର ଟାୟାର ପମ୍ପଚର ହୋଇଯାଇଥିଲା । ସେ ଗାଡିରୁ ଓହ୍ଲାଇ ଟାୟାର ପରିବର୍ତ୍ତନ କରିବାକୁ ଯାଉଥିବା ବେଳେ କୁକୁଡ଼ାମୁଣ୍ଡି ଗ୍ରାମର ସୁନିଆ ବେହେରା ନାମକ ଯୁବକ ପାଖକୁ ଆସି ନିଜର ଅକ୍ଷମତା ପ୍ରକାଶ କରି ୧୦୦ଟଙ୍କା ମାଗିଥିଲେ । ବହୁ କାକୁତିମିନତି ହୋଇ କହିବାପରେ ସ୍ବପ୍ନଶ୍ୱର ପର୍ସ ବାହାର କରି ସୁନିଆକୁ ୧୦୦ ଟଙ୍କା ଦେଇଥିଲେ । ଏହି ସୁଯୋଗରେ ସ୍ୱପ୍ନସ୍ବର ବେକରେ ପକାଇଥିବା ୨୪ଗ୍ରାମ ଓଜନର ସୁନା ଚେନକୁ ଛିଣ୍ଡାଇନେଇ ସୁନିଆ ଦୌଡ଼ି ପଳାଇଯାଇଥିଲା । ଏହାପରେ ସ୍ବପ୍ନଶ୍ୱର ମେଣ୍ଢାଶାଳ ଫାଣ୍ଡିରେ ଲିଖିତ ଅଭିଯୋଗ କରିବାପରେ ପୋଲିସ ୧୧୮/୨୪ କେଶ ନମ୍ବରରେ ଏକ ମକଦମା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା । ଏନେଇ ମଙ୍ଗଳବାର ଦିନ ପୋଲିସ ସୁନିଆକୁ ଗିରଫ କରି କୋର୍ଟଚାଲାଣ କରିବା ସହ ତାଠାରୁ ଲୁଟ ଚେନକୁ ଜବତ କରିଛି ।

ଏହା ମଧ୍ୟ ପଢନ୍ତୁ- ଚୋରଙ୍କ ଟାର୍ଗେଟରେ ମନ୍ଦିର, ପୋଲିସ ସହ ରାତିରେ ମନ୍ଦିର ଜଗିବେ ଶ୍ରଦ୍ଧାଳୁ

ତେବେ ଏହି ଘଟଣା ନୂଆ ନୁହେଁ ଏଭଳି ଢଙ୍ଗରେ ଚନ୍ଦକା କୁକଡ଼ାମୁଣ୍ଡି ,ମେଣ୍ଢାଶାଳ ଆଦି ରାସ୍ତାରେ ନିଛାଟିଆ ଦେଖି ଏଭଳି କିଛି ଲୁଟପାଟର ପନ୍ଥା ଆପଣାଇଛନ୍ତି ଅସାମାଜିକ ଯୁବକ । ସେହିପରି ଗତ ବର୍ଷ ଅକ୍ଟୋବର ମାସରେ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ପ୍ରଦେଶ ମଲ୍ଲିକ ନାମକ ଜଣେ ହାଇଓ୍ବା ଡ୍ରାଇଭର ଖୋର୍ଦ୍ଧାରୁ ପଟିଆ ବଜୁରି ବୋଝେଇ ଗାଡି ଆଣି ଆସୁଥିବା ବେଳେ ମେଣ୍ଢାଶାଳର ଛତାବର ନିକଟରେ କିଛି ଯୁବକ ରାସ୍ତାରେ ଅଟକାଇ ଥିଲେ । ନିଛାଟିଆର‌ ସୁଯୋଗ ନେଇ ସେମାନେ ପ୍ରଥମେ ଆସି ଗାଡି ଘସି ହେବାର ନାଟକ କରି ଗଣ୍ଡଗୋଳ କଲେ । ଏହାପରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କଲେ । ଏନେଇ ଡ୍ରାଇଭର ଜଣକ ସେଠାରୁ ଖସିବା ପାଇ ଉଦ୍ୟମ ବେଳେ ସେମାନେ ଗାଡି ଆଗରେ ଗାଡି ରଖି ଅଟାଇଥିଲେ ପରେ ସେମାନେ ୧୦ହଜାର ଟଙ୍କା ନେଇ ଛୁ ମାରିଥିଲେ । ଏନେଇ ମରଣାନ୍ତକ ଆକ୍ରମଣ ମଧ୍ୟ କରିଥିଲେ ଫଳରେ ସେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ସେହି ରାସ୍ତାରେ ଏବେ ଏଭଳି ଅପରାଧିକ କାର୍ଯ୍ୟକଳାପ ନେଇ ସେହି ଅଞ୍ଚଳରେ ପୋଲିସର ସ୍ଥିତି ଓ ପାଟ୍ରୋଲିଂ ବଢିବା ନେଇ ଦାବି କରାଯାଉଛି ।

ଇଟିଭି ଭାରତ, ଭୁୂବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.