ଚୋରଙ୍କ ଟାର୍ଗେଟରେ ମନ୍ଦିର, ପୋଲିସ ସହ ରାତିରେ ମନ୍ଦିର ଜଗିବେ ଶ୍ରଦ୍ଧାଳୁ

By ETV Bharat Odisha Team

Published : Feb 23, 2024, 12:42 PM IST

thumbnail

Devotees Will Protect Temple ବୌଦ୍ଧ: ଚୋର ଓ ଲୁଟେରାଙ୍କ ଟାର୍ଗେଟରେ ଧାର୍ମିକ ପୀଠ । ବିଗତ କିଛି ଦିନ ହେଲା ବୌଦ୍ଧ ଜିଲ୍ଲାରେ ସିରିଜ ଭାବରେ ବିଭିନ୍ନ ମନ୍ଦିରରୁ ଚୋରି ହେବାରେ ଲାଗିଛି । ଯାହାକୁ ନେଇ ବିଭିନ୍ନ ମନ୍ଦିରର ସୁରକ୍ଷା ପାଇଁ ପୋଲିସର ଆହ୍ବାନ ପରେ ଆଜି ଠାରୁ ବିଭିନ୍ନ ମନ୍ଦିରରେ କମିଟି ସଦସ୍ୟ, ଶ୍ରଦ୍ଧାଳୁମାନେ ପାଳି କରି ରାତିରେ ଜଗିବାକୁ ନିଷ୍ପତ୍ତି ହୋଇଛି । 

ତେବେ ରାତି ପାହିଲେ ଜିଲ୍ଲାର କୌଣସି ନା କୌଣସି ଧାର୍ମିକ ପୀଠରେ ଚୋରି ଲୁଟ ହେଉଥିବା ଘଟଣା ସମ୍ମୁଖକୁ ଆସୁଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ମନ୍ଦିର ବର୍ତ୍ତମାନ ଚୋର ଲୁଟେରାଙ୍କ ଟାର୍ଗେଟରେ ରହିଛି । ପ୍ରତ୍ୟେକ ଦିନ ଜିଲ୍ଲାର ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ ହେଉଥିବା ଘଟଣା ଶ୍ରଦ୍ଧାଳୁଙ୍କୁ ବେଶ ଦୁଃଖିତ କରୁଛି । ଗତ କିଛି ଦିନ ମଧ୍ୟରେ ବୌଦ୍ଧ ସହରର ମହାନଦୀ ଗର୍ଭରେ ଅବସ୍ଥିତ ସିଦ୍ଧ ହନୁମାନଙ୍କ ମନ୍ଦିର, ଜଳେଶ୍ଵର ମନ୍ଦିର, ଚନ୍ଦ୍ରଚୂଡ ମନ୍ଦିର ଓ ଗାୟତ୍ରୀ ମନ୍ଦିରରୁ ଚୋରି ସହିତ ଦାନହୁଣ୍ଡିକୁ ଲୁଟେରା ଗ୍ୟାଙ୍ଗ ଲୁଟପାଟ କରିଥିବା ବେଳେ ଜିଲ୍ଲାର ଆରାଧ୍ୟ ଦେବୀ ମା' ଭୈରବୀଙ୍କ ମନ୍ଦିରରୁ ଦୁଇ ଦୁଇଥର ଚୋରି ଘଟଣା ଭକ୍ତ ଶ୍ରଦ୍ଧାଳୁଙ୍କୁ ଗଭୀର ଆଘାତ ଦେଇଛି । ଗତକାଲି ରାତିରେ ପୁଣିଥରେ ବୌଦ୍ଧ ନିକଟସ୍ଥ ବନ୍ଧାପଥର ଗ୍ରାମର ପ୍ରସିଦ୍ଧ ଶୈବପୀଠରୁ ଲୁଟେରା ଗ୍ୟାଙ୍ଗ ଲୁଟପାଟ କରିଥିବା ନେଇ ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ....ସାଇବାବା ମନ୍ଦିରରୁ ୫ କିଲୋ ଓଜନର ରୂପା ମୂର୍ତ୍ତି ଚୋରି

ସେପଟେ ଲଗାତାର ଭାବରେ ବିଭିନ୍ନ ମନ୍ଦିରରୁ ଚୋରି ହେଉଥିବା ବେଳେ ପୋଲିସ ଏହାର ଟେର ପାଉନି । ଶେଷରେ ପୋଲିସ ପକ୍ଷରୁ ବୌଦ୍ଧ ଥାନା ପରିସରରେ ଅଞ୍ଚଳର ବିଭିନ୍ନ ମନ୍ଦିର ପରିଚାଳନା କମିଟି, ପୂଜକ ସେବାୟତ, ବୁଦ୍ଧିଜୀବୀଙ୍କୁ ନେଇ ଏଭଳି କାର୍ଯ୍ୟରେ ପୋଲିସକୁ ସହଯୋଗ ପାଇଁ ଆହ୍ବାନ ଦିଆଯାଇଛି । ଆଜି ଠାରୁ ବିଭିନ୍ନ ଧାର୍ମିକ ପୀଠ ତଥା ମନ୍ଦିରରେ ଚୋର ଲୁଟେରାଙ୍କୁ ଜଗିବାକୁ ଉଦ୍ୟମ ଆରମ୍ଭ ହୋଇଛି । 

ତେବେ ବର୍ତ୍ତମାନ ପରିସ୍ଥିତିରେ ବେଆଇନ ଗଞ୍ଜେଇ ଚୋରା ଚାଲାଣରୁ ପୋଲିସର ଧ୍ୟାନ ହଟାଇବାକୁ ଏଭଳି ଚୋରି ଲୁଟର ଦୃଶ୍ୟ ରଚନା କରାଯାଇଥିବା ଚର୍ଚ୍ଚା ହେଉଥିବା ବେଳେ ବୁଦ୍ଧିଜୀବୀ ଏଭଳି ଅନୈତିକ କାର୍ଯ୍ୟକଳାପ ବାହାର ଅଞ୍ଚଳରୁ ଆସି ବୌଦ୍ଧରେ ଆଡ୍ଡା ଜମାଇଥିବା ଅପରାଧୀଙ୍କ ଦ୍ବାରା ହେଉଥିବା ଆଶଙ୍କା ପ୍ରକାଶ କରିଛନ୍ତି । ତୁରନ୍ତ ଏନେଇ ବୌଦ୍ଧ ପୋଲିସ ସ୍ବତନ୍ତ୍ର ଦୃଷ୍ଟି ଦେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.