ETV Bharat / state

ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ, ଲାଇବ୍ରେରିଆନଙ୍କଠାରୁ ନେଉଥିଲେ ଲାଞ୍ଚ

author img

By ETV Bharat Odisha Team

Published : Jan 20, 2024, 8:03 AM IST

ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ
ଭିଜିଲାନ୍ସ ପଞ୍ଝାରେ ପ୍ରିନ୍ସିପାଲ

Principal arrested for taking bribe: ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଥିବା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲଙ୍କୁ ଗିରଫ କରିଛି ଭିଜିଲାନ୍ସ । ନିଜ ଅଧିନସ୍ତ ଲାଇବ୍ରେରିଆନଙ୍କଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ । ସରକାରୀ କର୍ମଚାରୀଙ୍କୁ ସରକାର ଭଲ ବେତନ ପ୍ରଦାନ କରୁଥିଲେ ମଧ୍ୟ ଲୋଭର ବଶବର୍ତ୍ତୀ ହୋଇ ଲାଞ୍ଚ ନେଇ ନିଜର କଳା ସାମ୍ରାଜ୍ୟ ବିସ୍ତାର କରୁଛନ୍ତି । ସେହିପରି ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା କେରଙ୍ଗରେ ଥିବା ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରିନ୍ସିପାଲ ନିଜ ଅଧିନସ୍ତ ଲାଇବ୍ରେରିଆନଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି । ପ୍ରିନ୍ସିପାଲ ବିଦ୍ୟୁତପ୍ରଭା ଜେନାଙ୍କୁ ଲାଞ୍ଚ ଟଙ୍କା ସହ ରେଡ୍‌ହ୍ୟାଣ୍ଡ ଧରିଛି ଭିଜିଲାନ୍ସ ଟିମ ।

ମିଳିଥିବା ସୂଚନା ଅନୁଯାୟୀ କେରଙ୍ଗ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ସହକାରୀ ଲାଇବ୍ରେରିଆନ ଧିରଜ ବଡ଼ଜେନାଙ୍କ ଠାରୁ ଆଜି ଶୁକ୍ରବାର ନିଜ ବାସଭବନରେ ଲାଞ୍ଚ ନେଉଥିଲେ ପ୍ରିନ୍ସିପାଲ ବିଦ୍ୟୁତପ୍ରଭା ଜେନା । ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ବାବଦକୁ ଗ୍ରହଣ କରିଥିବା ଟଙ୍କାକୁ ଜବତ କରିଛି । ସେହିପରି ତାଙ୍କ ବାସଭବନ ସମେତ କଲେଜରୁ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ ଟିମ । ଲାଇବ୍ରେରିଆନ ଧିରଜଙ୍କ ପତ୍ନୀ ଦିପ୍ତିରାଣୀଙ୍କ ଅଭିଯୋଗ କ୍ରମେ ଭିଜିଲାନ୍ସ ଜାଲ ବିଛାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଭିଜିଲାନ୍ସ ଜାଲରେ ଇନସ୍ପେକ୍ଟର, କାର୍ ବୋଝେଇ ଟଙ୍କା ସହ ଧରାପଡ଼ିଲେ

ବିଦ୍ୟୁତପ୍ରଭା ନିଜ ଗୁରୁଜଙ୍ଗସ୍ଥିତ ବାସଭବନରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସହକାରୀ ଲାଇବ୍ରେରିଆନ ଧିରଜଙ୍କୁ ଜାନୁଆରୀ ୨୦୧୮ରୁ ଫେବୃଆରୀ ୨୦୨୨ ପର୍ଯ୍ୟନ୍ତ ବକେୟା ଦରମା ପ୍ରଦାନ ପାଇଁ ପ୍ରଥମେ ଏକ ଲକ୍ଷ ଟଙ୍କା ମାଗିଥିଲେ ପ୍ରିନ୍ସିପାଲ ବିଦ୍ୟୁତପ୍ରଭା ଜେନା । କିନ୍ତୁ ୫୦ ହଜାର ଟଙ୍କା ଦେବାଲାଗି ଫାଇନାଲ ହୋଇଥିଲା । ଆସିଷ୍ଟାଣ୍ଟ ଲାଇବ୍ରେରିଆନ ଧିରଜ ବଡ଼ଜେନା ଅସୁସ୍ଥତା ପାଇଁ ମସ୍ତିଷ୍କ ଅସ୍ତ୍ରୋପଚାର କରିଥିଲେ ଏବଂ ଜରୁରୀକାଳୀନ ଅର୍ଥର ଆବଶ୍ୟକତା ପାଇଁ ଟଙ୍କା ପାଇବା ନିମନ୍ତେ ବାରମ୍ବାର ନିବେଦନ କରିଥିଲେ । ଏଥିଲାଗି କେରଙ୍ଗ ପଞ୍ଚାୟତ ମାଧ୍ୟମିକ ବିଦ୍ୟାଳୟ ପ୍ରିନ୍ସିପାଲ ବିଦ୍ୟୁତ ପ୍ରଭା ଜେନା ଲାଞ୍ଚ ଦାବି କରୁଥିଲେ । ଅଭିଯୋଗ ପାଇ ତାଙ୍କ ବାସଭବନ ସମେତ କଲେଜରେ ଏକକାଳୀନ ସନ୍ଧାନ କରିଥିଲା ଭିଜିଲାନ୍ସ ଟିମ । ଏହି ଚଢ଼ାଉରେ ଖୋର୍ଦ୍ଧା ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ ସାମିଲ ଥିଲେ । ଭିଜିଲାନ୍ସ ପକ୍ଷରୁ ୨/୨୦୨୪ ଏବଂ ଆଇପିସି ଅମେଣ୍ଡମେଣ୍ଟ ଆକ୍ଟ ୨୦୧୮ରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.