ETV Bharat / state

ରାଉରକେଲାରେ ଗୋଟିଏ ଦିନରେ 2 ଦୁଷ୍କର୍ମ ମାମଲା, ପୋଲିସର ତଦନ୍ତ ଜାରି

author img

By ETV Bharat Odisha Team

Published : Mar 20, 2024, 3:23 PM IST

Rourkela Rape Case
Rourkela Rape Case

Rourkela Rape Case: ରାଉରକେଲାରେ ମଙ୍ଗଳବାର ଦିନ 2ଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଏବେ ସୁଦ୍ଧା ଅଭିଯୁକ୍ତ ଧରାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ବ୍ରାହ୍ମଣୀ ତରଙ୍ଗ ପୋଲିସ ଥାନା ଅଞ୍ଚଳରେ ଗୋଟିଏ ଦିନରେ ଦୁଇ ଦୁଇଟି ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ନାବାଳିକା ଗଣଦୁଷ୍କର୍ମ ଘଟଣାର କିଛି ଘଣ୍ଟା ନ ପୂରୁଣୁ ଗତକାଲି ଆଉ ଏକ ଦୁଷ୍କର୍ମ ଘଟଣା ନଜରକୁ ଆସିଛି । ଏ ସଂପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ବ୍ରାହ୍ମଣୀ ତରଙ୍ଗ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତନାଘନା ଆରମ୍ଭ କରିଛି । ମାତ୍ର ଅଭିଯୁକ୍ତମାନଙ୍କର କୌଣସି ପତ୍ତା ମିଳିପାରି ନାହିଁ ।

ସୂଚନା ଅନୁଯାୟୀ, ଗଣବଳାତ୍କାରର ଶିକାର ନାବାଳିକା ଜଣକ ଗତକାଲି (ମଙ୍ଗଳବାର) ସଂଧ୍ୟାରେ ନିଜର କିଛି ସାଙ୍ଗମାନଙ୍କ ସହ ଐତିହାସିକ ବେଦବ୍ୟାସ ମେଳା ବୁଲି ଯାଇଥିଲେ । ଗତକାଲି ଚଳିତ ବର୍ଷ ମେଳାର ଶେଷ ଦିନ ଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଗହଳି ଭିତରେ ନାବାଳିକା ଜଣକ ସାଙ୍ଗମାନଙ୍କ ଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ । ସାଙ୍ଗମାନଙ୍କୁ ନପାଇ ସେ ଏକୁଟିଆ ଚାଲିଚାଲି ନିଜ ଘରକୁ ଫେରୁଥିଲେ । ତେବେ ବେଦବ୍ୟାସରୁ ପାନପୋଷ ଅଭିମୁଖେ ଜମି ବାଟ ଦେଇ ଘରକୁ ଫେରୁଥିବା ବେଳେ ବାଟରେ କିଛି ଅସାମାଜିକ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିବା ସହ ଜୋର ଜବରଦସ୍ତ ଗଣବଳାତ୍କାର କରିଥିଲେ ଏବଂ ନାବାଳିକାକୁ ଛାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ନାବାଳିକା ଜଣକ ଘରେ ପହଞ୍ଚି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଏହାପରେ ଆଜି (ବୁଧବାର) ସକାଳେ ପରିବାର ପକ୍ଷରୁ ବ୍ରହ୍ମଣୀତରଙ୍ଗ ଥାନାରେ ଏନେଇ ଲିଖିତ ଅଭିଯୋଗ କରାଯାଇଛି । ପୋଲିସ ଟିମ ଘଟଣାସ୍ଥଳକୁ ଯାଇ ପ୍ରାଥମିକ ତଦନ୍ତ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଦୁଷ୍କର୍ମକାରୀମାନେ ପୋଲିସ ପଞ୍ଚାରେ ପଡ଼ିନଥିବା ପୋଲିସ ସୂତ୍ରରୁ ଜଣାପଡିଛି ।

ଏହାମଧ୍ୟ ପଢନ୍ତୁ.. ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା, ଅଭିଯୁକ୍ତକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଅନ୍ୟପଟେ ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ଆଉ ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ଗତ (ମଙ୍ଗଳବାର) ସଂଧ୍ୟାରେ ବସ୍ତି ଅଞ୍ଚଳରେ ରହୁଥିବା ଜଣେ ନାବାଳିକା(୧୫)ଙ୍କ ଘର ଲୋକେ ନଥିବା ବେଳେ ସେହି ବସ୍ତିରେ ଏକ ଭଡା ଘରେ ରହୁଥିବା ସଞ୍ଜୟ ଚୌଧୁରୀ ନାମକ ବ୍ୟକ୍ତି ତାଙ୍କ ଘରେ ପଶି ଜୋର ଜବରଦସ୍ତ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଜଣଙ୍କ ପାଟି କରିବାରୁ ଆଖପାଖରୁ ଲୋକେ ଦୌଡ଼ି ଆସିଥିଲେ । ଧରା ପଡ଼ିଯିବା ଭୟରେ ସଞ୍ଜୟ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିଲା । ପରିବାର ପକ୍ଷରୁ ଏସଂପର୍କରେ ବ୍ରାହ୍ମଣୀତରଙ୍ଗ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ସଞ୍ଜୟକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ଅଭିଯୁକ୍ତ ସଞ୍ଜୟ ଚୌଧୁରୀ ବିହାର ପାଲମା ଅଞ୍ଚଳର ଅଟେ । ସେ କଲୁଙ୍ଗା ଶିଳ୍ପାଞ୍ଚଳର ଏକ ଘରୋଇ କାରଖାନାରେ କାମ କରିବା ସହ ପୀଡ଼ିତାଙ୍କ ବସ୍ତିରେ ଏକ ଘର ଭଡ଼ା ନେଇ ରହୁଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.