ETV Bharat / state

ଜୀବନ ନେଉଛି ବଜ୍ରପାତ, ଗତ ୫ ବର୍ଷରେ ରାଜ୍ୟରେ ୧୪୭୨ ମୃତ୍ୟୁ

author img

By ETV Bharat Odisha Team

Published : Feb 9, 2024, 8:47 AM IST

ବଜ୍ରପାତ ନେଉଛି ଜୀବନ
Lightning Deaths Odisha

Lightning deaths in Odisha: ରାଜ୍ୟରେ ଗତ ୫ ବର୍ଷରେ ବଜ୍ରପାତରେ ୧୪୭୨ ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ । ଅଧିକ ପଢନ୍ତୁ

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଚତୁର୍ଥ ଦିନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ରାଜ୍ୟରେ ବଜ୍ରପାତ ଜନିତ ମୃତ୍ୟୁସଂଖ୍ୟା ତଥ୍ୟ । ଗତ ୫ ବର୍ଷରେ ରାଜ୍ୟରେ ବଜ୍ରପାତରେ ୧୪୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪୫ ଜଣ ଆହତ ହୋଇଛନ୍ତି । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ବଜ୍ରପାତ ଯୋଗୁଁ ବଢୁଥିବା ମାନବ ଏବଂ ପଶୁଙ୍କ ମୃତ୍ୟୁକୁ ନେଇ ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ଆଗରେ ରାଜ୍ୟ ଦାବି କରିଛି ।

ଗତ ୫ ବର୍ଷରେ ବଜ୍ରପାତରେ କେତେ ଲୋକଙ୍କର ଜୀବନ ଯାଇଛି, ଏ ସମ୍ପର୍କିତ ତଥ୍ୟ ରଖିବାକୁ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଥିଲେ । ତାରାଙ୍କ ପ୍ରଶ୍ନ ପରେ ତଥ୍ୟ ଉପସ୍ଥାପନା କରିଥିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ମନ୍ତ୍ରୀ କହିଥିଲେ, ''ଗତ ୫ ବର୍ଷରେ ବଜ୍ରପାତରେ ଯାଇଛି ୧୪୭୨ ଲୋକଙ୍କ ଜୀବନ । ୧୪୫ ଜଣ ଏଥିରେ ଆହତ ହୋଇଛନ୍ତି । ମୃତକଙ୍କ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦିଆଯାଉଛି ।''

ଏହା ମଧ୍ୟ ପଢନ୍ତୁ-ଆଗତ ହେଲା କାମଚଳା ବଜେଟ: 2024-25 ଆର୍ଥିକ ବର୍ଷ ଲାଗି 1 ଲକ୍ଷ 18 ହଜାର କୋଟି

ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ, ''ବଜ୍ରପାତରେ ୪୦ % ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୭୪ ହଜାର ଟଙ୍କାର ଆର୍ଥିକ ସହାୟତା ମିଳୁଛି । ସେହିପରି ୬୦% ଅକର୍ମଣ୍ୟ ହୋଇଥିବା ବ୍ୟକ୍ତିଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଦିଆଯାଉଛି । ଯଦି କୌଣସି ବ୍ୟକ୍ତି ବଜ୍ରପାତରେ ଆହତ ହୋଇ ୭ ଦିନରୁ ଅଧିକ ଦିନ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି, ତାହାହେଲେ ସେମାନଙ୍କୁ ୧୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏକ ସପ୍ତାହରୁ କମ ଦିନ ଚିକିତ୍ସା ହେଉଥିଲେ ୫ ହଜାର ୪୦୦ ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯାଉଛି ।''

ବଜ୍ରପାତ ଯୋଗୁଁ ବଢୁଥିବା ମାନବ ଏବଂ ପଶୁଙ୍କ ମୃତ୍ୟୁକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଓଡ଼ିଶା ସରକାର । ଏହାକୁ ପ୍ରାକୃତିକ ବିପର୍ଯ୍ୟୟ ଘୋଷଣା କରିବାକୁ କେନ୍ଦ୍ର ଆଗରେ ଦାବି କରିଛି ରାଜ୍ୟ । ଗତ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ବଜ୍ରପାତରେ ୪୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏନେଇ ପୂର୍ବତନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଘଟଣାରେ ଦୃଷ୍ଟି ଦେବେ ବୋଲି ଉତ୍ତରରେ କେନ୍ଦ୍ର ସରକାର କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.