ETV Bharat / state

କଂଗ୍ରେସ ଟିକେଟ କସରତ; ଜଗତସିଂହପୁରରେ ବିଧାନସଭା ଓ ଲୋକସଭା ପାଇଁ ଆବେଦନ କରିଛନ୍ତି 110

author img

By ETV Bharat Odisha Team

Published : Mar 11, 2024, 7:38 AM IST

Updated : Mar 11, 2024, 1:37 PM IST

ନିର୍ବାଚନମଣ୍ଡଳୀ ପାଇଁ 110 ଜଣଙ୍କ ଆବେଦନ
ନିର୍ବାଚନମଣ୍ଡଳୀ ପାଇଁ 110 ଜଣଙ୍କ ଆବେଦନ

110 Applications for Congress Ticket: ନିର୍ବାଚନରେ ବିଭିନ୍ନ ଦଳର ଚିନ୍ତା ବଢ଼ାଇଛନ୍ତି ବହୁ ସଂଖ୍ୟକ ଟିକେଟ୍‌ ଆଶାୟୀ । ଜଗତସିଂହପୁର ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ର ଓ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ କେବଳ କଂଗ୍ରେସରୁ ଟିକେଟ୍‌ ପାଇଁ ମୋଟ 110 ଜଣ କରିଛନ୍ତି ଆବେଦନ । ଅଧିକ ପଢନ୍ତୁ

110 Applications for Congress Ticket

ଜଗତସିଂହପୁର: ପାଖେଇ ଆସୁଛି ନିର୍ବାଚନ । ନିର୍ବାଚନ ପାଇଁ ତାତି ଯେତେ ବଢୁଛି ଟିକେଟ ପାଇଁ ଆଶାୟୀଙ୍କ ସଂଖ୍ୟା ସେତେ ବଢିବାରେ ଲାଗିଛି । ତେବେ ରାଜ୍ୟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିକଟରେ ରାଜ୍ୟର ସମସ୍ତ 21ଟି ସଂସଦୀୟ କ୍ଷେତ୍ର ଓ 147ଟି ବିଧାନସଭା କ୍ଷେତ୍ର ପାଇଁ ଆଶାୟୀ ପ୍ରାର୍ଥୀମାନଙ୍କୁ ଅନଲାଇନରେ ଆବେଦନ ପାଇଁ ପ୍ରଗମନ ଆପ୍‌ ଲଞ୍ଚ କରାଯାଇଥିଲା । ଏଥିରେ ଜଗତସିଂହପୁର ଜିଲ୍ଲାର 4ଟି ବିଧାନସଭା କ୍ଷେତ୍ର ଓ ଗୋଟିଏ ସଂସଦୀୟ କ୍ଷେତ୍ର ପାଇଁ ଅନଲାଇନ ଜରିଆରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟା ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ରାଜନୀତି ସମୀକ୍ଷକ ।

ତେବେ ଉଭୟ ସାଂସଦ ଓ ବିଧାୟକ ପଦ ପାଇଁ ଜଗତସିଂହପୁର ଜିଲ୍ଲାରୁ ମୋଟ 110 ଜଣ ଆଶାୟୀ ପ୍ରାର୍ଥୀ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ପ୍ରାୟ 90 ପ୍ରତିଶତ ନୂଆ ଚେହେରା ରହିଛନ୍ତି । କଂଗ୍ରେସର ବରିଷ୍ଠ ନେତା ତଥା ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ସାଙ୍ଗଠନିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ମଧ୍ୟ କଂଗ୍ରେସ ଟିକଟ ପାଇଁ ଅନଲାଇନ ଆବେଦନ କରିନଥିବା ଜଣାପଡ଼ିଛି । ସେହିପରି ପାରାଦ୍ୱୀପ ଅଞ୍ଚଳର ଶ୍ରମିକ ନେତା ଅରିନ୍ଦମ ସର୍ଖେଲ (ବାପି) ଗତ 2019 ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ହାରିଥିବା ବେଳେ 2024 ନିର୍ବାଚନରେ ସେ ମଧ୍ୟ ଟିକେଟ ପାଇଁ ଆବେଦନ କରିନାହାନ୍ତି ।

କଂଗ୍ରେସ ପାର୍ଟି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଜଗତସିଂହପୁର ସଂସଦୀୟ କ୍ଷେତ୍ର ସଂରକ୍ଷିତ ଆସନ ହୋଇଥିଲେ ମଧ୍ୟ ଏହି ଆସନ ପାଇଁ 26 ଜଣ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ପ୍ରାର୍ଥିନୀ ପ୍ରତିମା ମଲ୍ଲିକ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକ, ପୂର୍ବତନ ବିଧାୟକ ରବୀନ୍ଦ୍ର ସେଠୀ ପ୍ରମୁଖ ଟିକେଟ ପାଇଁ ଆବେଦନ କରିଛନ୍ତି । ସେହିପରି ଜଗତସିଂହପୁର ବିଧାନସଭା ଆସନ ପାଇଁ ବର୍ତ୍ତମାନର ପୌରଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରଧ୍ୟକ୍ଷା ବୀପ୍ଳବ ଚୌଧୁରୀ, ବିଦ୍ୟାଧର ସ୍ୱାଇଁ, ଦୁଃଖୀଶ୍ୟାମ ଦାସଙ୍କ ପରି 22 ଜଣ ଆବେଦନ କରିଛନ୍ତି । ଅନ୍ୟପଟେ ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡଃ ସୁଶାନ୍ତ କାନୁନଗୋ, ବର୍ତ୍ତମାନର ଜିଲ୍ଲା ପରିଷଦ ପିନାକ ନାରାୟଣ ଦାସଙ୍କୁ ମିଶାଇ 33 ଜଣ ଆବେଦନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- କାକଟପୁର ନିର୍ବାଚନ ମଣ୍ଡଳୀ: ପୁଣି ମନ୍ତ୍ରୀ ତୁଷାରକାନ୍ତି, ନା ଆଉ କିଏ ?

ସେହିପରି ପାରାଦ୍ୱୀପରେ ବିଧାୟକ ପ୍ରାର୍ଥୀ ପାଇଁ ପୁରୁଣା ନେତା କେହି ଆବେଦନ କରିନଥିବା ବେଳେ 19 ଜଣ ନବାଗତ ଆବେଦନ କରିଛନ୍ତି । ସେହିପରି ତିର୍ତ୍ତୋଲ ବିଧାନସଭା ଆସନ ପାଇଁ ହିମାଂଶୁ ମଲ୍ଲିକ, ପ୍ରତିମା ମଲ୍ଲିକ, ଚିତ୍ତରଞ୍ଜନ ମଲ୍ଲିକ ଆଦି 6ଜଣ ଆବେଦନ କରିଛନ୍ତି । ଜଗତସିଂହପୁର ଜିଲ୍ଲାରେ କଂଗ୍ରେସର ସ୍ଥିତି ଦୁର୍ବଳ ରହିଥିଲେ ମଧ୍ୟ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । 4ଟି ବିଧାୟକ ପ୍ରାର୍ଥୀ ପାଇଁ କଂଗ୍ରେସ ଆଶାୟୀଙ୍କ ସଂଖ୍ୟା 84 ରହିଥିବାବେଳେ ଗୋଟିଏ ସଂରକ୍ଷିତ ସଂସଦୀୟ କ୍ଷେତ୍ର ପାଇଁ 26 ଜଣ ଆଶାୟୀ ରହିଛନ୍ତି ।

ଇଟିଭି ଭାରତ, ଜଗତସିଂହପୁର

Last Updated :Mar 11, 2024, 1:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.