ETV Bharat / state

ଦାଦନ ଯନ୍ତ୍ରଣା, ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୧୧ ଶ୍ରମିକ - Labour Rescue From Maharashtra

author img

By ETV Bharat Odisha Team

Published : Mar 21, 2024, 2:03 PM IST

ପୁଣି ଦାଦନ ଯନ୍ତ୍ରଣା, ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୧୧ ଶ୍ରମିକ
ପୁଣି ଦାଦନ ଯନ୍ତ୍ରଣା, ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୧୧ ଶ୍ରମିକ

Migrant Labour Rescued: ମହାରାଷ୍ଟ୍ରରେ ଫସି ରହିଥିଲେ ବୌଦ୍ଧ ଜିଲ୍ଲାର ଦୁଇଟି ଗ୍ରାମର ଦାଦନ ଶ୍ରମିକ । ପୂର୍ବରୁ ୫ଜଣ ଶ୍ରମିକ ଖସି ଆସିଥିବା ବେଳେ ଆଜି ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗର ସହାୟତାରେ ଜିଲ୍ଲାକୁ ଫେରିଛନ୍ତି ୧୧ଜଣ ଶ୍ରମିକ ।

ପୁଣି ଦାଦନ ଯନ୍ତ୍ରଣା, ମହାରାଷ୍ଟ୍ରରୁ ଉଦ୍ଧାର ହେଲେ ୧୧ ଶ୍ରମିକ

ହାଇଦ୍ରାବାଦ: ପୁଣି ଦାଦନ ଦୁଃଖ । ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପଡିଲା ମହଙ୍ଗା । ଅର୍ଥ ଉପାର୍ଜନ ବଦଳରେ ବନ୍ଧା ପଡିଥିଲେ ଦାଦନ ଶ୍ରମିକ । ଦୁଇଟି ଗ୍ରାମର ଏଭଳି ୧୬ ଜଣ ଦାଦନ ବର୍ତ୍ତମାନ ମହାରାଷ୍ଟ୍ରର ଏକ ଠିକା କ୍ୟାମ୍ପରେ ବନ୍ଧକ ରହିଥିଲେ । ସେଥିରୁ କୌଶଳ କ୍ରମେ ଖସିଆସିଥିବା ୫ଜଣ ଖସି ପଳାଇ ଆସିଥିବା ବେଳେ ଆଜି ୧୧ ଜଣ ଜିଲ୍ଲାକୁ ଫେରିଛନ୍ତି । ସମସ୍ତ ଶ୍ରମିକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ପଞ୍ଚାୟତ ଅନ୍ତର୍ଗତ ଗୁହିରାପାଲି ଓ ଦୋମୁହାଣି ଦୁଇଟି ଗ୍ରାମର ଅଟନ୍ତି । ଜିଲ୍ଲା ପ୍ରଶାସନ ଏବଂ ଶ୍ରମ ବିଭାଗର ଏକ ଟିମ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗୁହିରାପାଲି ଓ ଦୋମୁହାଣି ଦୁଇଟି ଗାଁର ୨୧ ଜଣ ଶ୍ରମିକଙ୍କୁ ଅର୍ଥ ଉପାର୍ଜନର ପ୍ରଲୋଭନ ଦେଇ ଦୁଇଜଣ ଦଲାଲ ଶରତ ଓ କାଶୀ ସେମାନଙ୍କୁ ମହାରାଷ୍ଟ୍ରର ଅଞ୍ଚଳରେ ଥିବା ଦବକାର ଏକ ଆଖୁ ସଂଗ୍ରହ କରୁଥିବା ଏକ ସଂସ୍ଥାରେ ନିୟୋଜିତ କରିଥିଲେ । ତେବେ ଅଗ୍ରୀମ ୧୦ ହଜାର ଟଙ୍କାକୁ ଛାଡ଼ିଦେଲେ ଉକ୍ତ ଦାଦନ ଶ୍ରମିକଙ୍କୁ ଆଉ କୌଣସି ପାରିଶ୍ରମିକ ଦିଆଗଲା ନାହିଁ । ଏନେଇ ଶ୍ରମିକ ମାନେ ଦାବି କରିବାରୁ ଓଲଟି ସେମାନଙ୍କୁ ଶାରିରୀକ ନିର୍ଯାତନା ସହ ବନ୍ଧକ ରଖି ଆଖୁ ସଂଗ୍ରହ କାର୍ଯ୍ୟରେ ବଳ ପୂର୍ବକ ରଖାଗଲା ।

ପୁଣି ଉକ୍ତ ବନ୍ଧକ ଶ୍ରମିକଙ୍କୁ କର୍ଣ୍ଣାଟକର ବିଦର୍ଭ ଅଞ୍ଚଳରେ ଏକ ପଥର ଖନନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ତେବେ କୌଶଳ କ୍ରମେ ଉକ୍ତ ସ୍ଥାନରୁ ପାଞ୍ଚ ଜଣ ଦାଦନ ଶ୍ରମିକ ଖସିଆସି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଥାନାରେ ଅଭିଯୋଗ କରିଥିଲେ । ସେଠାରୁ ଶ୍ରମିକ ତଥା ବନ୍ଧକ ଶ୍ରମିକଙ୍କ ପରିବାର ବୌଦ୍ଧ ଶ୍ରମ ଅଧିକାରୀଙ୍କୁ ଗୁହାରି କରିଥିଲେ । ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶ୍ରମିକମାନେ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଅବଗତ କରାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଗଞ୍ଜାମରୁ ଉଦ୍ଧାର ହେଲେ ବଲାଙ୍ଗୀରର 34 ଶ୍ରମିକ

ଏହା ପରେ ବୌଦ୍ଧ ଜିଲ୍ଲାପାଳ, ଏସପିଙ୍କ ତ୍ଵରିତ ପଦକ୍ଷେପ ଯୋଗୁଁ ଜିଲ୍ଲା ଶ୍ରମ ଅଧିକାରୀ ବିଦର୍ଭ ଥାନା ଅଞ୍ଚଳରୁ ଗତକାଲି ଗୁହିରାପାଲି ଗାଁର ଏଗାର ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ଆଜି ଜିଲ୍ଲାରେ ପହଁଚାଇଛନ୍ତି । ତେବେ କାମ ଧନ୍ଦା ଅଭାବରୁ ଦାଦନ ଖଟୁଥିବା ଏହି ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.