ETV Bharat / sports

ସ୍ପେନକୁ ମାତ ଦେଲା ଅଷ୍ଟ୍ରେଲିଆ, ପେନାଲ୍‌ଟି ଶୁଟ୍‌ ଆଉଟ୍‌ରେ ଭାରତକୁ ହରାଇଲା ନେଦରଲ୍ୟାଣ୍ଡ

author img

By ETV Bharat Odisha Team

Published : Feb 21, 2024, 10:53 PM IST

FIH Pro League at Rourkela
FIH Pro League at Rourkela

FIH Pro League at Rourkela: ପ୍ରଥମ ଥର ପାଇଁ ରାଉରକେଲାରେ ହାରିଲା ଭାରତ । କଡ଼ା ମୁକାବିଲା ସତ୍ତ୍ବେ ପେନାଲ୍‌ଟି ଶୁଟ ଆଉଟ୍‌ରେ 4-2ରେ ଭାରତକୁ ମାତ ଦେଲା ନେଦରଲ୍ୟାଣ୍ଡ । ପ୍ରଥମ ମ୍ୟାଚ୍‌ରେ ସ୍ପେନକୁ ମାତ ଦେଲା ଅଷ୍ଟ୍ରେଲିଆ । ଅଧିକ ପଢ଼ନ୍ତୁ

FIH Pro League at Rourkela

ରାଉରକେଲା: ରାଉରକେଲା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଜାରି ରହିଛି ପୁରୁଷ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ । ତେବେ ଆଜି ଦ୍ବିତୀୟ ଦିନରେ ଦୁଇଟି ହାଇଭୋଲ୍ଟେଜ ମ୍ୟାଚ୍‌ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍‌ ସ୍ପେନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ 4-1 ଗୋଲରେ ଅଷ୍ଟ୍ରେଲିଆ ବାଜି ମାରିଛି । ତେବେ ଦ୍ବିତୀୟ ମ୍ୟାଚ୍‌ରେ ନିରାଶ ହୋଇଛନ୍ତି ଦର୍ଶକ । କାରଣ ଆଜି ରାଉରକେଲାରେ ଭାଙ୍ଗିଛି ଭାରତୀୟ ଦଳର ବିଜୟ ଧାରା । ନେଦରଲ୍ୟାଣ୍ଡ ବିପକ୍ଷରେ କଡ଼ା ମୁକାବିଲା ସତ୍ତ୍ବେ ପେନାଲ୍‌ଟି ଶୁଟ ଆଉଟ୍‌ରେ 4-2ରେ ହାରିଛି ଭାରତ ।

ସ୍ପେନ ବନାମ ଅଷ୍ଟ୍ରେଲିଆ: ଆଜିର ପ୍ରଥମ ମ୍ୟାଚ୍‌ରେ ସ୍ପେନ ଦଳ ଖେଳ ଆରମ୍ଭରୁ ଅଷ୍ଟ୍ରେଲିଆ ଉପରେ ଆକ୍ରାମକ ଖେଳ ପ୍ରଦର୍ଶନ କରିଥିଲା । ଏହାର ଫାଇଦା ନେଇ ସ୍ପେନ ମଧ୍ୟ ପ୍ରଥମ ଗୋଲ ସ୍କୋର କରିଥିଲା । ମ୍ୟାଚର ପ୍ରଥମ କ୍ବାର୍ଟରର ଆରମ୍ଭରୁ ସ୍ପେନ ଖେଳାଳି ପେରେ ଅମାତ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ପ୍ରଥମ ଗୋଲ ମାରି ଦଳକୁ ଆଗୁଆ ରଖିଥିଲେ । ତେବେ ଏଥିରେ ଭୟଭୀତ ବା ଚାପଗ୍ରସ୍ତ ନହୋଇ ଅଷ୍ଟ୍ରେଲିଆ ଦଳ ମଧ୍ୟ କାଉଣ୍ଟର କରିଥିଲା ଓ ପ୍ରଥମ କ୍ବାର୍ଟରରେ ଫ୍ଲିନ୍‌ ଅଗ୍ଲିଭି ପ୍ରଥମ ଗୋଲ କରି ସ୍କୋର ବରାବର କରିଥିଲେ । ଏହାପରେ ଏହି କ୍ବାର୍ଟରରେ ଲଗାତାର ଦ୍ବିତୀୟ ଗୋଲ କରିଥିଲା ଅଷ୍ଟ୍ରେଲିଆ । ଦ୍ବିତୀୟ ଗୋଲ ସ୍କୋର କରିଥିଲେ ନାଥନ ଏଫର୍ମୁସ । ଏହା ସହ ଅଷ୍ଟ୍ରେଲିଆ ୨-୧ ଗୋଲରେ ଆଗୁଆ ଥିଲା । ମ୍ୟାଚ୍‌ର ଦ୍ବିତୀୟ କ୍ବାର୍ଟର ବେଳକୁ ତୃତୀୟ ଗୋଲ ଜେରେମି ହେବାର୍ଡ କରିଥିଲେ ଏବଂ ଅଷ୍ଟ୍ରେଲିଆକୁ ୩-୧ ରେ ଆଗୁଆ ରଖିଥିଲା । ସେହିଭଳି ତୃତୀୟ କ୍ବାର୍ଟର ଶେଷ ବେଳକୁ ଟିମ ବ୍ରାଣ୍ଡ ଚତୁର୍ଥ ଗୋଲ ସ୍କୋର କରି ଅଷ୍ଟ୍ରେଲିଆକୁ ୪-୧ ଲିଡ୍‌ ଦେଇଥିଲେ । ସେପଟେ ସ୍ପେନ ଭାରତ ବିପକ୍ଷରେ ଖେଳିଥିବା ଏନର୍ଜି ଆଜି ଫିକା ପଡିଥିଲା । ଆଜି ଆରମ୍ଭରୁ ସ୍ପେନ ଗୋଲ କରିବା ସତ୍ତ୍ବେ ଗେମ୍‌କୁ ଚଳାଇବାରେ ଅସଫଳ ହେଲା ।

ଏହା ମଧ୍ୟ ପଢ଼ନ୍ତୁ...ହକି ମହାକୁମ୍ଭ: ଆଜି ଭାରତ-ନେଦରଲ୍ୟାଣ୍ଡ୍ସ ମହାଲଢ଼େଇ

ଭାରତ ବନାମ ନେଦରଲ୍ୟାଣ୍ଡ: ଆଜିର ଦ୍ବିତୀୟ ମ୍ୟାଚ୍‌ ଭାରତ ଓ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିଲା । ଭାରତର ଆଜି ରାଉରକେଲାରେ ଭାଙ୍ଗିଛି ବିଜୟଧାରା । ପ୍ରଥମ ଥର ରାଉରକେଲାରେ ପରାସ୍ତ ହୋଇଛି ଭାରତୀୟ ପୁରୁଷ ହକି ଦଳ । ଏହି ମ୍ୟାଚ୍‌ରେ କଡ଼ା ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା । ଭାରତୀୟ ଦଳ ଆରମ୍ଭରୁ ଆକ୍ରାମକ ଖେଳିଥିଲେ ହେଁ ପ୍ରଥମ କ୍ବାର୍ଟରର ଆରମ୍ଭ ସମୟରେ ନେଦରଲ୍ୟାଣ୍ଡ ଦଳ ପକ୍ଷରୁ ଫ୍ଲୋରିସ ମିଡେନଡ୍ରପଙ୍କ ଆକର୍ଷଣୀୟ ଗୋଲ ସାହାଯ୍ୟରେ ନେଦରଲ୍ୟାଣ୍ଡ ୧-୦ ଗୋଲରେ ଆଗୁଆ ରହିଥିଲା । ପ୍ରଥମ ହାଫ୍‌ ଟାଇମ ସୁଦ୍ଧା ଭାରତ ବିପକ୍ଷରେ ଏକ ମଜଭୁତ ସ୍ଥିତିରେ ଥିଲା ନେଦରଲ୍ୟାଣ୍ଡ ଦଳ । ଭାରତୀୟ ଦଳ ପକ୍ଷରୁ ତୃତୀୟ କ୍ବାର୍ଟର ବେଳକୁ ପେନାଲ୍‌ଟି କର୍ଣ୍ଣର କ୍ରିଏଟ୍‌ ହୋଇଥିଲା ଏବଂ ଏଥିରେ ଭାରତୀୟ ଦଳର ହାର୍ଦ୍ଦିକ ସିଂ ଗୋଲ କରି ଭାରତକୁ ସମାନ ସ୍ଥିତିକୁ ଆଣିଥିଲେ । ସ୍କୋର ୧-୧ରେ ବରାବର ହୋଇଥିଲା । କିନ୍ତୁ ନେଦରଲ୍ୟାଣ୍ଡ ହାର ମାନିନଥିଲା । କଡ଼ା ପ୍ରତିଦ୍ବନ୍ଦ୍ବିତା ପରେ ଶେଷରେ ପେନାଲଟି ଶୁଟ୍‌ ଆଉଟ୍‌ ହୋଇଥିଲା । ଏଥିରେ ନେଦରଲ୍ୟାଣ୍ଡ ୪-୨ ଗୋଲରେ ଭାରତକୁ ପରାସ୍ତ କରିଥିଲା ।"

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.