ETV Bharat / sports

ଆଇପିଏଲ୍‌ ୨୦୨୪: ୧ ରନରେ ଜିତିଲା କୋଲକାତା, ଶେଷ ବଲ୍‌ରେ ହାରିଲା ଆର୍‌ସିବି - IPL 2024

author img

By ETV Bharat Odisha Team

Published : Apr 21, 2024, 8:22 PM IST

Updated : Apr 21, 2024, 9:01 PM IST

KKR vs RCB
KKR vs RCB

KKR vs RCB: ଇଡେନ୍‌ ଗାର୍ଡେନ୍ସରେ ରୋମାଞ୍ଚକର ମୁକାବିଲାରେ ମାତ୍ର ୧ ରନରେ ଜିତିଲା କୋଲକାତା । ଶେଷ ବଲ ପର୍ଯ୍ୟନ୍ତ ଲଢ଼େଇ କରି ହାରିଲା ଆର୍‌ସିବି । ଅଧିକ ପଢ଼ନ୍ତୁ

କୋଲକାତା: ଇଡେନ୍‌ ଗାର୍ଡେନ୍ସରେ ରୋମାଞ୍ଚକର ମୁକାବିଲା । ହାଇସ୍କୋରିଂ ମ୍ୟାଚ୍‌କୁ ମାତ୍ର ୧ ରନରେ ଜିତିଲା କୋଲକାତା । ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍‌ ରାଇଡର୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୨୨୨ ରନ କରିଥିଲା । ଜବାବରେ ୨୨୧ ରନରେ ଅଲ୍‌ଆଉଟ୍‌ ହୋଇଛି ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚ୍‌ରେ କୋଲକାତା ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ପେଲ୍‌ ବୋଲିଂ କରି ୩ଟି ବହୁମୂଲ୍ୟ ୱିକେଟ୍‌ ହାସଲ କରିଥିବା ଆନ୍ଦ୍ରେ ରସେଲ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

କେକେଆର୍‌ ବ୍ୟାଟିଂ: ଆଜି ମ୍ୟାଚ୍‌ରେ ଟସ୍‌ ଜିତି କୋଲକାତାକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ଆର୍‌ସିବି । ଜବାବରେ ଦଳ ପକ୍ଷରୁ ଫିଲିପ୍‌ ସଲ୍ଟ ବେଶ ଆକ୍ରାମକ ଆରମ୍ଭ କରିଥିଲେ । ହେଲେ ଅନ୍ୟପଟେ ଦଳ କ୍ରମାଗତ ୱିକେଟ୍‌ ହରାଇଥିଲା । ସୁନୀଲ ନାରିନ୍‌ ୧୦, ଅଙ୍ଗକ୍ରିସ ରଘୁବଂଶୀ ୩ ଓ ଭେଙ୍କଟେଶ ଆୟର ୧୬ ରନ କରି ଆଉଟ୍‌ ହୋଇଥିଲେ । ଅନ୍ୟପଟେ କିନ୍ତୁ ସଲ୍ଟ କେବଳ ୧୪ ବଲରୁ ୪୮ ରନର ଧୁଆଁଧାର ପାଳି ଖେଳି ଆଉଟ୍‌ ହୋଇଥିଲେ । ଏହାପରେ ଅଧିନାୟକ ଶ୍ରେୟସ ଆୟର ୩୬ ବଲରୁ ଦଳ ପାଇଁ ସର୍ବାଧିକ ୫୦ ରନର ପାଳି ଖେଳିଥିଲେ । ରିଙ୍କୁ ସିଂ ୨୪ ଓ ରସେଲ୍‌ ୨୭ ରନ କରିଥିବାବେଳେ କେବଳ ୯ ବଲରେ ୨୪ ରନ କରି ଦଳକୁ ୨୨୨ ଭଳି ଦୃଢ଼ ସ୍ଥିତିରେ ପହଞ୍ଚାଇଥିଲେ ରମନଦୀପ ସିଂ ।

ଆର୍‌ସିବି ବୋଲିଂ: ଏହି ପାଳିରେ ବେଙ୍ଗାଲୁରୁ ବୋଲରଙ୍କ ପକ୍ଷରୁ ଅତ୍ୟନ୍ତ ସାଧାରଣ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୟଶ ଦୟାଲ ୨ଟି ୱିକେଟ୍‌ ଅକ୍ତିଆର କରିଥିଲେ ମଧ୍ୟ ୪ ଓଭରରେ ସେ ୫୬ ରନ ବ୍ୟୟ କରିଥିଲେ । କାମେରନ ଗ୍ରୀନ ୪ ଓଭରରୁ ୩୫ ରନ ବ୍ୟୟରେ ୨ଟି ୱିକେଟ୍‌ ଦଖଲ କରିଥିଲେ । ମହମ୍ମଦ ସିରାଜ ଓ ଲକି ଫର୍ଗୁସନ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ ।

ଆର୍‌ସିବି ବ୍ୟାଟିଂ: ୨୨୩ ରନର ବିଶାଳ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ଆର୍‌ସିବି ପାଇଁ ବେଶ ଧୂଆଁଧାର ବ୍ୟାଟିଂ ଆରମ୍ଭ କରିଥିଲେ ବିରାଟ କୋହଲି । ହେଲେ ନାଟକୀୟ ଢଙ୍ଗରେ ସେ ଆଉଟ୍‌ ହୋଇଥିଲେ । ହର୍ଷିତ ରାଣାଙ୍କ ଓଭରରେ ସେ ଏକ ଫୁଲ୍‌ଟସ୍‌ ବଲରେ ନିଜ ୱିକେଟ୍‌ ହରାଇଥିଲେ । ଏହାକୁ ନୋ ବଲ୍‌ ବୋଲି ଦାବି କରିଥିଲେ କୋହଲିଙ୍କ ସମେତ ପିଚ୍‌ରେ ଥିବା ଅଧିନାୟକ ଫାଫ ଡୁପ୍ଲେସିସ୍‌ । ହେଲେ ରିଭ୍ୟୁ ପରେ ମଧ୍ୟ ଅମ୍ପାୟାର ଏହି ନିଷ୍ପତ୍ତି କାୟମ ରଖିଥିଲେ । ଡୁପ୍ଲେସିସ୍‌ କେବଳ ୭ ରନ କରି ଆଉଟ୍‌ ହେବାପରେ ଧୂଆଁଧାର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ ଉଭୟ ରଜତ ପଟିଦାର ଓ ୱିଲ୍‌ ଜ୍ୟାକ୍ସ । ହେଲେ ପଟିଦାର କେବଳ ୨୩ ବଲରୁ ୫୨ ଓ ଜ୍ୟାକ୍ସ ୩୨ ବଲରେ ୫୫ ରନ କରି ଆଉଟ୍‌ ହୋଇଥିଲେ ।

ବିକଳ୍ପ ଖେଳାଳି (Impact Player) ଭାବେ ଆର୍‌ସିବି ପାଇଁ ଖେଳୁଥିବା ସୁୟସ୍‌ ପ୍ରଭୁଦେଶାଇ ୧୮ ବଲରୁ ୨୪ ରନ କରି ଆଉଟ୍‌ ହୋଇଥିଲେ । ଦୀନେଶ କାର୍ତ୍ତିକ ୨୫ ରନ କରି ଆଉଟ୍‌ ହେବାପରେ ଆର୍‌ସିବି ପରାଜୟ ଦ୍ବାରରେ ପହଞ୍ଚିସାରିଥିଲା । ହେଲେ ଦଳ ପାଇଁ ଆଶା ଉଜାଗର କରିଥିଲେ କର୍ଣ୍ଣ ଶର୍ମା । ଶେଷ ଓଭରରେ ବିଜୟ ପାଇଁ ଆର୍‌ସିବିକୁ ୨୧ ରନ ଆବଶ୍ୟ ହେଉଥିବାବେଳେ ମିଚେଲ୍‌ ଷ୍ଟାର୍କ୍‌ଙ୍କ ଓଭରରେ କର୍ଣ୍ଣ ୩ଟି ଛକା ମାରି ଦଳକୁ ଏକ ପ୍ରକାର ବିଜୟ ଦ୍ବାରକୁ ନେଇ ଆସିଥିଲେ । ସେହି ଓଭରରେ ସେ ଆଉଟ୍‌ ମଧ୍ୟ ହୋଇଯାଇଥିଲେ । ଶେଷ ବଲରେ ଦଳକୁ ୩ ରନ ଆବଶ୍ୟକ ହେଉଥିଲା । ୧ ରନ ପୂରଣ କରିବା ପରେ ଦ୍ବିତୀୟ ରନ ପାଇଁ ଚେଷ୍ଟା କରି ରନ୍‌ ଆଉଟ୍‌ ହୋଇଥିଲେ ଲକି ଫର୍ଗୁସନ୍‌ । ଫଳରେ ୨୨୩ ରନ ଲକ୍ଷ୍ୟରେ ଥିବା ଆର୍‌ସିବି ୨୦ ଓଭର ଶେଷ ସୁଦ୍ଧା ୨୨୧ ରନରେ ସମସ୍ତ ୱିକେଟ୍‌ ହରାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ...ରିଙ୍କୁ ଭାଙ୍ଗିଦେଲେ କୋହଲିଙ୍କ ବ୍ୟାଟ, ଆଉ ଗୋଟିଏ ମାଗିବାରୁ ଏମିତି କହିଲେ କିଙ୍ଗ - Rinku Singh break Kohli Bat

କେକେଆର୍‌ ବୋଲିଂ: କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ୍‌ ୩ ଓଭର ବୋଲିଂ କରି କେବଳ ୨୫ ରନ ବ୍ୟୟରେ ୩ଟି ବହୁମୂଲ୍ୟ ୱିକେଟ୍‌ ଅକ୍ତିଆର କରିଥିଲେ । ଯାହା କୋଲକାତାକୁ ମ୍ୟାଚ୍‌ ଜିତାଇବାରେ ସଫଳ ହୋଇଥିଲା । ହର୍ଷିତ ରାଣା ଓ ସୁନୀଲ ନାରିନ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିବାବେଳେ ମିଚେଲ୍‌ ଷ୍ଟାର୍କ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Apr 21, 2024, 9:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.