ETV Bharat / sports

U19 ବିଶ୍ବକପ୍‌: ଉଦୟ-ସଚିନଙ୍କ ଲଢ଼ୁଆ ପାଳି; ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ

author img

By ETV Bharat Odisha Team

Published : Feb 6, 2024, 10:19 PM IST

ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ଭାରତ
ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ୍‌ରେ ଭାରତ

India in to the Final of Under 19 World Cup 2024: ଅଣ୍ଡର 19 ବିଶ୍ବକପ୍‌ ଫାଇନାଲ୍‌ରେ ଭାରତ । ରୋମାଞ୍ଚକର ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ 2 ୱିକେଟ୍‌ରେ ହରାଇଲେ ମେନ୍‌ ଇନ୍‌ ବ୍ଲୁ । ଅଧିକ ପଢ଼ନ୍ତୁ

ବେନୋନି: 19 ବର୍ଷରୁ କମ୍‌ ବିଶ୍ବକପ୍‌ ଫାଇନାଲ୍‌ରେ ପ୍ରବେଶ କଲା ଟିମ୍‌ ଇଣ୍ଡିଆ । ରୋମାଞ୍ଚକର ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ପ୍ରବେଶ କଲା ଭାରତ । ଅଧିନାୟକ ଉଦୟ ଶରଣଙ୍କ ଧୈର୍ଯ୍ୟପୂର୍ଣ୍ଣ 81 ରନର ପାଳି ଓ ସଚିନ ଦାସଙ୍କ ଧୂଆଁଧାର 96 ରନର ପାଳି ବଳରେ ଦକ୍ଷିଣ ଆଫ୍ରିକାକୁ 2 ୱିକେଟରେ ହରାଇ ଫାଇନାଲ ଟିକେଟ ହାତେଇଲା ଭାରତ । ଏହା ସହିତ କ୍ରମାଗତ 3ୟ ଥର ଅଣ୍ଡର 19 ବିଶ୍ବକପ ଫାଇନାଲରେ ଭାରତ ପ୍ରବେଶ କରିଥିବା ବେଳେ ମୋଟ 9ମ ଥର ପାଇଁ ଖେଳିବ U19 ବିଶ୍ବକପ ଫାଇନାଲ ମ୍ୟାଚ୍‌ । ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିର ବିଜେତା ଫାଇନାଲରେ ଭାରତକୁ ଭେଟିବ ।

ଆଜି ବେନୋନିରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିଲା ଦକ୍ଷିଣ ଆଫ୍ରିକା । ଦଳ ପକ୍ଷରୁ ଲୁହାନ ପ୍ରିଟୋରିୟସ (76) ଓ ରିଚାର୍ଡ (64)ଙ୍କ ଧୈର୍ଯ୍ୟପୂର୍ଣ୍ଣ ଅର୍ଦ୍ଧଶତକ ପାଳି ଖେଳିଥିଲେ । ଅନ୍ୟାନ୍ୟ ଛୋଟ ଛୋଟ ଭାଗିଦାରୀ ବଳରେ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍‌ ହରାଇ 244 ରନର ଲଢ଼ୁଆ ସ୍କୋର କରିଥିଲା ଦକ୍ଷିଣ ଆଫ୍ରିକା । ଏହି ପାଳିରେ ଭାରତ ପକ୍ଷରୁ ରାଜ ଲିମ୍ବାନୀ ସର୍ବାଧିକ 3ଟି ୱିକେଟ ଅକ୍ତିଆର କରିଥିବାବେଳେ ମୁଶିର ଖାନ 2ଟି ୱିକେଟ ହାସଲ କରିଥିଲେ । ନମନ ତିୱାରୀ ଓ ସୌମୀ ପାଣ୍ଡେଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା ।

ଏହା ମଧ୍ୟ ପଢ଼ନ୍ତୁ...19 ବର୍ଷରୁ କମ୍ ପୁରୁଷ ବିଶ୍ୱକପ୍: ଆଜି ଭାରତ-ଦକ୍ଷିଣ ଆଫ୍ରିକା ସେମିଫାଇନାଲ୍

ଏହାପରେ 245 ରନ ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲେ ମେନ୍‌ ଇନ୍‌ ବ୍ଲୁ । ହେଲେ ପ୍ରଥମ ବଲରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । 32 ରନରେ 4 ୱିକେଟ୍‌ ହରାଇଥିବା ଭାରତୀୟ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ ଅଧିନାୟକ ଉଦୟ ଶରଣ ଓ ସଚିନ ଦାସ । ଦୁଇ ବ୍ୟାଟର ପ୍ରଥମେ ସତର୍କତାର ସହ ବ୍ୟାଟିଂ କରି କ୍ରିଜ୍‌ରେ ଜମିବା ପରେ ହାତଖୋଲା ସଟ୍‌ ଖେଳିଥିଲେ । ଦୁଇ ବ୍ୟାଟର ପଞ୍ଚମ ୱିକେଟ୍‌ ପାଇଁ ଦଳୀୟ ଖାତାରେ 171 ରନ ଯୋଡ଼ି ସ୍କୋରକୁ 203ରେ ପହଞ୍ଚାଇଥିଲେ । 96 ରନ କରି ଆଉଟ୍‌ ହୋଇଥିଲେ ସଚିନ । ହେଲେ ସେତେବେଳକୁ ସେ ଦଳର ବିଜୟ ସୁନିଶ୍ଚିତ କରିସାରିଥିଲେ । ସେପଟେ କିନ୍ତୁ ଉଦୟ ଶରଣ ନିଜ ବ୍ୟାଟିଂ ଜାରି ରଖିଥିଲେ । ସେ 81 ରନ କରି ଆଉଟ୍‌ ହୋଇଥିଲେ । ଶେଷରେ ରାଜ ଲିମ୍ବାନୀ 4 ବଲରୁ 13 ରନ ସଂଗ୍ରହ କରି ଭାରତକୁ ଜିତାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.